Patra electronics

୨୦୪୭ ସୁଦ୍ଧା ବିକଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କର ଆକାଂକ୍ଷା – ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୨୦୪୭ ସୁଦ୍ଧା ବିକଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କର ଆକାଂକ୍ଷା। ଆଜି ନୀତି ଆୟୋଗର ନବମ ବୈଠକକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟଗୁଡିକ ସକ୍ରିୟ ଭୂମିକା ଗ୍ରହଣ କରିବେ କାରଣ ସେମାନେ ଲୋକଙ୍କ ସହିତ ସିଧାସଳଖ ଜଡ଼ିତ ଅଛନ୍ତି। ଏହି ଦଶନ୍ଧି ପରିବର୍ତ୍ତନ, ବୈଷୟିକ ଏବଂ ଭୂ-ରାଜନୈତିକ ଓ ସୁଯୋଗର ମଧ୍ୟ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ଏହି ସୁଯୋଗର ଲାଭ ଉଠାଇବା ଉଚିତ ଏବଂ ନୀତିଗୁଡ଼ିକୁ ଅନ୍ତର୍ଜାତୀୟ ପୁଞ୍ଜିନିବେଶ ପାଇଁ ଅନୁକୂଳ କରିବା ଉଚିତ୍। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଏହା ପ୍ରଗତିର ପଥ ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଦେଶ ସଠିକ୍ ଦିଗରେ ଗତି କରୁଛି ଏବଂ ଶହେ ବର୍ଷରେ ଥରେ ମହାମାରୀକୁ ପରାସ୍ତ କରିଛି। ସେ କହିଛନ୍ତି, ଦେଶବାସୀ ଉତ୍ସାହ ଓ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ। ପ୍ରଧାନମନ୍ତ୍ରୀ କହିଥିଲେ, ସମସ୍ତ ରାଜ୍ୟର ମିଳିତ ପ୍ରୟାସରେ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ। ସେ କହିଥିଲେ, ବିକଶିତ ରାଜ୍ୟ ବିକଶିତ ଭାରତ ନିର୍ମାଣ କରିବ। ଶ୍ରୀ ମୋଦୀ କହିଛନ୍ତି ଯେ, ଭାରତ ଏକ ଯୁବ ମନୋଭାବ ସମ୍ପନ୍ନ ରାଷ୍ଟ୍ର ଏବଂ ଏହାର କାର୍ଯ୍ୟବଳ ଯୋଗୁଁ ଏହା ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ଆକର୍ଷଣ। ଯୁବବର୍ଗଙ୍କୁ ଏକ ଦକ୍ଷ ଓ ରୋଜଗାରକ୍ଷମ ଶ୍ରମଶକ୍ତିରେ ପରିଣତ କରିବା ଏହାର ଲକ୍ଷ୍ୟ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦକ୍ଷତା, ଗବେଷଣା, ଉଦ୍ଭାବନ ଉପରେ ଗୁରୁତ୍ୱ ଦିଆଯାଉଛି ଏବଂ ବିକଶିତ ଭାରତ @୨୦୪୭ ଗଠନ ପାଇଁ ନିଯୁକ୍ତି ଭିତ୍ତିକ ଜ୍ଞାନ ଆବଶ୍ୟକ।

ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ନୀତି ଆୟୋଗ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ନୀତି ଆୟୋଗର ଅଧ୍ୟକ୍ଷ ଶ୍ରୀ ମୋଦୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ, କାର୍ଯ୍ୟନିର୍ବାହୀ ସଦସ୍ୟ ଓ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ କେନ୍ଦ୍ରମନ୍ତ୍ରୀ ଏବଂ ଉପାଧ୍ୟକ୍ଷ ସୁମନ ବେରି ଓ ନୀତି ଆୟୋଗର ସଦସ୍ୟମାନେ ଯୋଗ ଦେଇଥିଲେ। ଚଳିତ ବର୍ଷର ବୈଠକର ବିଷୟବସ୍ତୁ ଥିଲା ‘ବିକଶିତ ଭାରତ@୨୦୪୭’, ଯେଉଁଥିରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଗଭର୍ଣ୍ଣିଂ କାଉନସିଲ ବୈଠକରେ ବିକଶିତ ଭାରତ @୨୦୪୭ ଉପରେ ଭିଜନ ଡକ୍ୟୁମେଣ୍ଟ ଉପରେ ଆଲୋଚନା ହୋଇଥିଲା। ଏହି ବୈଠକର ଉଦ୍ଦେଶ୍ୟ ହେଉଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଭାଗିଦାରୀ ଶାସନ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା, ସରକାରୀ ହସ୍ତକ୍ଷେପ ଗୁଡିକର ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରି ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳ ଜନସଂଖ୍ୟାର ଜୀବନଧାରଣର ଗୁଣବତ୍ତା ବୃଦ୍ଧି କରିବା। ଏହି ବୈଠକରେ ବିକଶିତ ଭାରତ @୨୦୪୭ର ଲକ୍ଷ୍ୟ ହାସଲ କରିବାରେ ରାଜ୍ୟଗୁଡ଼ିକର ଭୂମିକା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ନୀତି ଆୟୋଗ କହିଛି ଯେ ଜିଡିପି ୫ ଟ୍ରିଲିୟନ ଡଲାର ଅତିକ୍ରମ କରିବା ସହ ୨୦୪୭ ସୁଦ୍ଧା ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିବା ପାଇଁ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ଲକ୍ଷ୍ୟ ହାସଲ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମିଳିତ ଆଭିମୁଖ୍ୟର ଆବଶ୍ୟକତା ରହିଛି। ନବମ ଗଭର୍ଣ୍ଣିଂ କାଉନସିଲ ବୈଠକର ଉଦ୍ଦେଶ୍ୟ ହେଉଛି ଏହି ଦୃଷ୍ଟିକୋଣ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବା, ଯାହା ଟିମ୍ ଇଣ୍ଡିଆ ଭାବରେ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ମଧ୍ୟରେ ଦଳଗତ କାର୍ଯ୍ୟକୁ ପ୍ରୋତ୍ସାହିତ କରିବ। ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ମଧ୍ୟ ଗତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ମୁଖ୍ୟ ଶାସନ ସଚିବଙ୍କ ତୃତୀୟ ଜାତୀୟ ସମ୍ମିଳନୀର ସୁପାରିସ ଉପରେ ଗୁରୁତ୍ୱାରୋପ କରିଥିଲା।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲକୁ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B4

Comments are closed.