ବଡ଼ମ୍ବା ଉପ-କାରାଗାରରେ ୯ଜଣ କଏଦୀ କୋଭିଡ ଆକ୍ରାନ୍ତ
କୋଭିଡ ଯତ୍ନ କେନ୍ଦ୍ରରୁ ଚୋରି ପରେ ଚିକିତ୍ସା ସେବାକୁ ନେଇ ପ୍ରଶ୍ନବାଚୀ
ବଡ଼ମ୍ବା : ବଡ଼ମ୍ବା ଉପକାରାଗାରରେ ଥିବା ୯ଜଣ ଅନ୍ତେବାସୀ କଏଦୀ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ଘରୋଇ ଚିକିତ୍ସାଧିନ ଅଛନ୍ତି ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଥିବା କାରାଗାର କର୍ତ୍ତୃପକ୍ଷଙ୍କଠୁ ପ୍ରକାଶ । ପ୍ରଥମେ ୨ଜଣ ଆକ୍ରାନ୍ତ ହୋଇଥିବା ଏବଂ ପରେ ପରେ ଅନ୍ୟ ୭ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ତେବେ ସମସ୍ତଙ୍କୁ ପରୀକ୍ଷାପରେ ନିକଟସ୍ଥ ଡାକ୍ତରଖାନାରୁ ଘରୋଇ ସଂଗରୋଧ ଚିକିତ୍ସାସେବା ଯୋଗାଇ ଦିଆଯାଇଥିବା ସ୍ଥାନୀୟ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱନାଥ ଆଧେକ ସୂଚନା ଦେଇଛନ୍ତି । ସେହିଭଳି ଇତିମଧ୍ୟରେ ସମଗ୍ର ବ୍ଲକରେ କରୋନା ୪ର୍ଥ ଲହରରେ ସମୁଦାୟ ୧୫ଜଣ ଆକ୍ରାନ୍ତ ହୋଇଥିବା ପ୍ରକାଶ।
ଅପରପକ୍ଷରେ ଅଞ୍ଚଳବାସୀଙ୍କ ସୁବିଧା ଦୃଷ୍ଟିରୁ ବଡ଼ମ୍ବାରେ ପୂର୍ବରୁ ଖୋଲାଯାଇଥିବା ଏକ କୋଭିଡ ଯତ୍ନ କେନ୍ଦ୍ର ୪ର୍ଥ ଲହରରେ ପୁନଃ ଖୋଲିବ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକାଶ ଥାଉକି ପ୍ରଶାସନ ଅବହେଳାର ସୁଯୋଗ ନେଇ ବନ୍ଦ ରହିଥିବା ସଂପୃକ୍ତ କୋଭିଡ ଯତ୍ନ କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଯାଇଛି । ଏହି ନିନ୍ଦନୀୟ ଘଟଣାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ତେବେ ପ୍ରଶାସନ ତରଫରୁ ଘଟଣାକୁ ନେଇ ସେଭଳି କୌଣସି ତତ୍ପରତା ପ୍ରକାଶ ନ ପାଇବା ବିଡ଼ମ୍ବନା ମନେ କରାଯାଉଛି । ଇତିମଧ୍ୟରେ ଘଟଣାରେ ସଂପୃକ୍ତ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ଆଂଶିକ ଜିନିଷ ସେମାନଙ୍କଠାରୁ ଉଦ୍ଧାର କରାଯାଇ ପାରିଛି ।
ଅପରପକ୍ଷରେ କରୋନାର ୪ର୍ଥ ଲହରକୁ ନେଇ ବଡ଼ମ୍ବାରେ କୋଭିଡ ଯତ୍ନ କେନ୍ଦ୍ର ପୁନର୍ବାର କିଭଳି ଖୋଲିବ ସେଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି । ନିକଟରେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ନରସିଂହପୁରେ କୋଭିଡ ୪ର୍ଥ ଲହର ମୁକାବିଲା କିଭଳି କରାଯିବ ସେନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଉଭୟ ବଡ଼ମ୍ବା ଏବଂ ନରସିଂହପୁର ବ୍ଲକ ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କୁ ନେଇ ଏହି ବୈଠକରେ ସମସ୍ତ ଦିଗରୁ ଆଲୋଚନା କରାଯାଇଥିବା ପ୍ରକାଶ। ତେବେ ଗୁରତର କୋଭିଡ ରୋଗୀକୁ ନେବାକୁ ଏବେ ବଡ଼ମ୍ବାରେ ଆମ୍ବୁଲାନ୍ସଟିଏ ନଥିବା ସ୍ଥାସ୍ଥ୍ୟ ବିଭାଗ ଅଧିକାରୀଙ୍କଠୁ ଜଣାପଡିଛି। କୋଭିଡ ଯତ୍ନ କେନ୍ଦ୍ରକୁ ଜିଲାପ୍ରଶାସନ ତରଫରୁ ଯୋଗାଇ ଦିଆଯାଇଥିବା ୨ଟି ଆମ୍ବୁଲାନ୍ସ ଯତ୍ନକେନ୍ଦ୍ର ବନ୍ଦ ହେବାପରେ ଫେରାଇ ନିଆଯାଇଛି । ଫଳସ୍ୱରୂପ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ଆପଣାଇବାକୁ ବୁଦ୍ଧିଜୀବୀମାନେ ମତପୋଷଣ କରିଛନ୍ତି ।
Comments are closed.