‘ମୋ ପାଠ ପଢ଼ା ବ୍ୟବସ୍ଥା କରିଦିଅନ୍ତୁ’: ଜିଲ୍ଲାପାଳଙ୍କୁ ଭେଟି ଏମିତି ଗୁହାରି କଲେ ଅଷ୍ଟମ ଶ୍ରେଣୀ ଛାତ୍ର

ଲାଞ୍ଜିଗଡ: ସାର, ମୋ ଦୁଃଖ ବୁଝନ୍ତୁ। ଆପଣଙ୍କୁ ଭେଟିବାକୁ ମୁଁ ସ୍କୁଲ ବନ୍ଦ କରି ଆସିଛି। ମୋର ସାହାଭରସା କେହି ନାହାନ୍ତି। ବହୁତ ଛୋଟବେଳୁ ମା’ ଚାଲିଯାଇଛି। ତିନି ବର୍ଷ ହେଲା ବାପା ଛାଡି ଚାଲିଗଲେ। ପିଲାଟି ଦିନରୁ ମୋର ବୁଢ଼ୀ ଆଈ ମୋତେ ପାଳି ପୋଷି ବଡ଼ କଲା। ଏବେ ସେ ବି ଆଉ କାମ ଦାମ କରିପାରୁନି। ରହିବାକୁ ଘର ଖଣ୍ଡିଏ ବି ନାହିଁ। ଭଙ୍ଗା କୁଡ଼ିଆରେ ମୁଣ୍ଡ ଗୁଞ୍ଜିଛୁ ଆଇ ନାତି। ତା’ର ଭତ୍ତା ଟଙ୍କା ଓ ଚାଉଳରେ ଆମେ ଚଳିପାରୁନୁ। ବଡ଼ କଷ୍ଟରେ ପାଠ ପଢୁଛି ମୁଁ। ସେଦିନ ସ୍କୁଲରେ ଶୁଣିଲି ଆପଣ କୁଆଡେ ସମସ୍ତଙ୍କ ଦୁଃଖସୁଖ ବୁଝନ୍ତି। ଆଉ ଆମ ବ୍ଲକକୁ ଆସୁଛନ୍ତି ଆପଣ। ତେଣୁ କାହାକୁ କିଛି ନ କହି ଚାଲି ଆସିଲି ଆପଣଙ୍କୁ ଭେଟିବି ବୋଲି। ମୋତେ କିଛି ଦରକାର ନାହିଁ ସାର। ମୋ ଆଇ ନାଁରେ ଗୋଟେ ଘର ଆଉ ମୋ ପାଠ ପଢିବା ପାଇଁ ବ୍ୟବସ୍ଥା କରିଦିଅନ୍ତୁ। ଜିଲ୍ଲାପାଳଙ୍କ ନିକଟରେ ଏମିତି ଗୁହାରି କରିଛନ୍ତି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ  ନିଜର ସମସ୍ୟା ଜଣାଇବାକୁ ଆସିଥିବା ଏହି ଛାତ୍ର ଜଣକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବାବେଳେ ଖୋଦ ଜିଲ୍ଲାପାଳ ମଧ୍ୟ ତା’ କଥାକୁ ମନଧ୍ୟାନ ଦେଇ ଶୁଣିବା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁଯାୟୀ, ସୋମବାର ଥିଲା କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଦୁଇଶହରୁ ଅଧିକ ଅଭିଯୋଗ ଦାଖଲ କରାଯାଇଥିବାବେଳେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ସ୍କୁଲ ବନ୍ଦ କରି ଆସି ପହଞ୍ଚିବା ଚର୍ଚ୍ଚାର ବିଷୟ ହୋଇଛି। ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ କେଶପଦର ଗାଁର ବବଲୁ ବାଗ ନାମକ ଏହି ଛାତ୍ର ଜଣକ ସ୍କୁଲ ଛୁଟି କରି ବିଶ୍ୱନାଥପୁର ଆସିବା ସହିତ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦାବିପତ୍ର ଦେଇଥିଲା। ଜିଲ୍ଲାପାଳ ବବଲୁର କଥା ଶୁଣିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର ମହାପାତ୍ରଙ୍କୁ ତା’ର ଅଭିଯୋଗ ସମ୍ପର୍କରେ ତଦନ୍ତ ସହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଶଶାଙ୍କ ପାତ୍ର ଗାଁ ଗସ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। କେହିଜଣେ ବଦାନ୍ୟ ବ୍ୟକ୍ତି ତାକୁ ନୂଆ ସାଇକେଲଟିଏ କିଣିଦେଇଥିବା ଜଣାପଡିଛି।

Comments are closed.