ଜାମ୍ମୁ କାଶ୍ମୀରରେ ଆଫସା ଓ ପେଲେଟ ଗନ ବ୍ୟବହାର ବନ୍ଦ ନେଇ ୟୁରୋପୀୟ ସାଂସଦଙ୍କ ମୋଦୀଙ୍କୁ ପତ୍ର

0

ଶ୍ରୀନଗର: ୟୁରୋପୀୟ ସଂସଦର ୫୦ ଜଣ ସଦସ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ମାଧ୍ୟମରେ ଜାମ୍ମୁ କାଶ୍ମୀରରେ ଭିଡ ନିୟନ୍ତ୍ରଣ ପାଇଁ ପେଲେଟ ଗନର ବ୍ୟବହାର ବନ୍ଦ କରିବା ସହ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ (ଆଫସା) ଓ ଜନ ସୁରକ୍ଷା ଆଇନ (ପିଏସଏ) ପ୍ରତ୍ୟାହାର ପାଇଁ ଦାବୀ କରିଛନ୍ତି। ୟୁରୋପୀୟ ସଂସଦର ୫୦ଜଣ ସଦସ୍ୟଙ୍କ ଦ୍ୱାରା ମୋଦୀଙ୍କୁ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଯେ, ମାନବାଧିକାର ସମ୍ପର୍କିତ ଜାତିସଙ୍ଘ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ (ଓ.ଏଚ.ସି.ଏଚ.ଆର.) ରିପୋର୍ଟ ଅନୁଯାୟୀ ପୂର୍ବରୁ ଓ ଏବେ କାଶ୍ମୀର ନାଗରିକଙ୍କ ମାନବାଧିକାର ଲଙ୍ଘନ ବିଷୟକୁ ସେହି ସାଂସଦମାନେ ଗୁରୁତ୍ୱର ସହ ଗ୍ରହଣ କରୁଛନ୍ତି। ପତ୍ରରେ ସୋପିଆନ ଜିଲ୍ଲାରେ ପେଲେଟ ଗନରେ ପୀଡିତ ୧୯ ମାସର ହିବା ନିଶାର ବିଷୟରେ ଉଲ୍ଲେଖ କରାଯାଇଛି। ୧୯ ମାସର ହିବା ନିଶାର ୨୦୧୮ ନଭେମ୍ବରରେ ପେଲେଟ ଗନ ଆଘାତରେ ଗୁରୁତର ହୋଇ ପଡ଼ିଥିଲେ।

ସଦସ୍ୟମାନେ ତୁରନ୍ତ ପେଲେଟ ଗନର ବ୍ୟବହାର ବନ୍ଦ କରିବାକୁ ଦାବି କରିବା ସହ, ଆନ୍ତର୍ଜାତିକ ମାନବାଧିକାର ମାନକ ଅନୁଯାୟୀ ଆଇନରେ ସଂଶୋଧନ କରିବାକୁ କହିଛନ୍ତି। ଏହାଛଡା ପେଲେଟ ଗନ ଦ୍ୱାରା ମୃତ ଏବଂ ଆହତଙ୍କ ପରିବାରକୁ ଅଧିକ ସାହାଯ୍ୟ କରିବା ଦିଗରେ ପଦକ୍ଷେପ ନେବାକୁ ସଦସ୍ୟମାନେ ଆଗ୍ରହ ପ୍ରକାଶ କରିଛନ୍ତି।

Leave A Reply