ଲାଠୋର : ବଲାଙ୍ଗିର ଜିଲା ଲାଠୋର ପୁଲିସ ବାହାରକୁ ଚାଲାଣ ହୋଇଥିବା ୪ ଶହ କଫ ସିରପ ବୋତଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏଥିରେ ବ୍ୟବହୃତ ବାଇକ ମଧ୍ୟ ଜବତ କରାଯାଇଛି।
ନୂଆପଡା ଜିଲା ବୋଡେନ ଗ୍ରାମର ଗଙ୍ଗାଧର ନାଗ (୩୦) ଓ କୋମନାର ଟୁନା ବେମାଲ (୩୨) ଏକ ଟିଭିଏସ ଆପାଚି ବାଇକ ନମ୍ବର ଓଡି-୨୬-ଡି-୩୪୬୩ ଯୋଗେ ବଲାଙ୍ଗିର ଜିଲା ପାଟଣାଗଡରୁ ୪ ଶହ କଫ ସିରପ ବୋତଲ ବାଇକରେ ବୋଝେଇ କରି କୋମନା ନେଉଥିଲେ। ଲାଠୋର ପୁଲିସ କୌଣସି ସୂତ୍ରରୁ ଖବର ପାଇ ତାଙ୍କର ପିଛା କରି ମସିଣା ଛକ ନିକଟରେ କାବୁ କରିଥିଲା। ଚାଲାଣ ହେଉଥିବା କଫ ସିରପ ସହ ଯୁବକମାନଙ୍କୁ ଥାନାକୁ ଆଣିଥିଲେ। ଖପ୍ରାଖୋଲ ତହସିଲଦାର ଧିରଜ କୁମାର ପାତ୍ର ମାଜିଷ୍ଟ୍ରେଟ ଭାବେ ଆସି ପୁଲିସ ସମ୍ମୁଖରେ ଜବତ କରାଯାଇଥିବା କଫ ସିରଫକୁ ଗଣିଲା ପରେ ସିଲ୍ କରାଯାଇଥିଲା। ଏନେଇ ଲାଠୋର ଥାନାରେ କେସ ନମ୍ବର ୧୬୯/୨୦ ରେ ଦଫା ୨୧(ବି) ଏନ୍ଡିପିଏସ୍ରେ ଏକ ମାମଲା ରୁଜୁ କରି ଦୁଇ ଜଣ ଯୁବକଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି ସୂଚନା ଦେଇଛନ୍ତି।



