ପଶ୍ଚିମବଙ୍ଗ: ଭାରତ ସମେତ ବିଶ୍ୱର ଅନେକ ଦେଶରେ ଆତଙ୍କ ଖେଳାଇଛି ବାର୍ଡ-ଫ୍ଲୁ। ପୂର୍ବରୁ ଆମେରିକାରେ ମଣିଷ ଦେହରେ ବାର୍ଡ-ଫ୍ଲୁ ଚିହ୍ନଟ ହେବା ପରେ ଏବେ ଭାରତରେ ଚଳିତ ବର୍ଷର ଏହା ପ୍ରଥମ ମାମଲା ବୋଲି ସୂଚନା ମିଳିଛି। ପଶ୍ଚିମବଙ୍ଗର ଏକ ୪ବର୍ଷର ଝିଅ ବାର୍ଡ-ଫ୍ଲୁ ଭାଇରସରେ ଆକ୍ରାନ୍ତ ହୋଇଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୂଚନା ଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ଲଗାତର ଭାବେ ଶ୍ୱାସକ୍ରିୟାରେ ସମସ୍ୟା, ପ୍ରବଳ ଜ୍ୱର ଏବଂ ପେଟ ଯନ୍ତ୍ରଣା ହେତୁ କୁନି ଝିଅଟିକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତିନି ମାସ ଧରି ଚିକିତ୍ସା ହେବା ପରେ ଝିଅଟିକୁ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି।
ଏହା ହେଉଛି ଭାରତରେ ଏଚ୯ଏନ୨ ବାର୍ଡ-ଫ୍ଲୁର ଦ୍ୱିତୀୟ ମାନବ ସଂକ୍ରମଣ। ପ୍ରଥମ ମାମଲା ୨୦୧୯ରେ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତେଣୁ ଏଥିପ୍ରତି ସତର୍କ ରହିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗର ଏହି କୁନି ଝିଅଟିର ଘର ପାଖରେ କୁକୁଡା ରଖାଯାଇଥିଲା। କୁକୁଡାଙ୍କଠାରୁ ବାର୍ଡ-ଫ୍ଲୁ ସଂକ୍ରମିତ କରିଥିବା କୁହାଯାଉଛି।



