www.samajalive.in
Saturday, December 6, 2025
15.1 C
Bhubaneswar

ଆମେରିକାରେ ଅରାଜକତା: ରାଜଧାନୀରେ ୧୫ ଦିନ ପାଇଁ ଜରୁରିକାଳୀନ ପରିସ୍ଥିତି ଘୋଷଣା, ହିଂସାରେ ୪ ମୃତ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ପରାଜିତ ହେବା ପରେ ବି କ୍ଷମତା ହସ୍ତାନ୍ତର କରିବାକୁ ଇଚ୍ଛୁକ ନାହାନ୍ତି, ଯେଉଁଥିପାଇଁ ଦେଶରେ ଏବେ ଅରାଜକତା ସୃଷ୍ଟି ହୋଇଛି। ଟ୍ରମ୍ପଙ୍କ ହଜାର ହଜାର ସମର୍ଥକ ୱାଶିଂଟନ ଡିସିରେ ଥିବା କ୍ୟାପିଟଲ ବିଲ୍‌ଡିଂରେ ପ୍ରବେଶ କରି ହିଂସା ଘଟାଇଛନ୍ତି। ପୁଲିସ ସହ ସଂଘର୍ଷ ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ଦେଶରେ ୧୫ ଦିନ ପାଇଁ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

ସୂଚନା ଅନୁସାରେ, ଗତ ବୁଧବାର ଦିନ ଆମେରିକା କଂଗ୍ରେସ ସଦସ୍ୟ ଇଲେକ୍ଟୋରାଲ ଭୋଟ ଗଣତି କରୁଥିଲେ। ଏହି ସମୟରେ ବହୁ ସଂଖ୍ୟାରେ ଟ୍ରମ୍ପଙ୍କ ସମର୍ଥକ ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି କ୍ୟାପିଟଲ ବିଲ୍ଡିଂରେ ଧସେଇ ପଶିଥିଲେ। ପୁଲିସ ସେମାନଙ୍କୁ ଅଟକାଇବା ସହିତ କାବୁ କରିବା ଲାଗି ନାକେଦମ ହୋଇଥିଲା। ଏଭଳି ପରିସ୍ଥିତିରେ ପ୍ରତିନିଧିଙ୍କ ସଭା ତଥା ସିନେଟକୁ ବନ୍ଦ କରିଦିଆଯାଇଥିଲା। ଉପରାଷ୍ଟ୍ରପତି ମାଇକ୍‌ ପେନ୍‌ସ ଏବଂ ସାଂସଦମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ପରିସ୍ଥିତି ବିଗିଡ଼ିଯିବାରୁ ରାଜଧାନୀ ୱାଶିଂଟନ ଡିସିରେ କର୍ଫ୍ୟୁ ଜାରି କରାଯାଇଛି। ଏହା ସତ୍ବେ ବହୁ ସଂଖ୍ୟକ ବିକ୍ଷୋଭକାରୀ କର୍ଫ୍ୟୁକୁ ଉଲ୍ଲଂଘନ କରି ରାସ୍ତାରେ ବିକ୍ଷୋଭ କରୁଛନ୍ତି।

- Advertisement -

ୱାଶିଂଟନ ଡିସି ପୁଲିସ ସୂଚନା ଅନୁସାରେ, ସିନେଟ ପରିସରରେ ଟ୍ରମ୍ପ ସମର୍ଥକଙ୍କ ସହିତ ଧସ୍ତାଧସ୍ତ ସମୟରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ମହିଳା ପୁଲିସ ଗୁଳିରେ ପ୍ରାଣ ହରାଇଥିବାବେଳେ ଅନ୍ୟ ୩ ଜଣ ହସ୍ପିଟାଲରେ ଆଖି ବୁଜିଛନ୍ତି। ଘଟଣା ପରେ ୱାଶିଂଟନ ଡିସି ମେୟର ମୁରିଏଲ ବାଉଜର ରାଜଧାନୀରେ ୧୫ ଦିନ ପାଇଁ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

ତେବେ ଗୁରୁବାର ଆମେରିକା ହାଉସ ଏବଂ ସିନେଟ ପକ୍ଷରୁ ମିଳିତ ଅଧିବେଶନ କରାଯାଇ ଇଲେକ୍ଟୋରାଲ ଭୋଟଗୁଡ଼ିକୁ ପ୍ରମାଣିତ କରିବା ସହିତ ଜୋ ବାଇଡେନଙ୍କୁ ବିଜୟୀ ଘୋଷିତ କରାଯାଇଛି।

ଅନ୍ୟପଟେ ଆମେରିକାରେ ଏପରି ଘଟଣାକୁ ନିନ୍ଦା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ। ସେ ଟ୍ବିଟ୍‌ କରି ଲେଖିଛନ୍ତି, ଆମେରିକା କଂଗ୍ରେସର ଲଜ୍ଜାଜନକ  ଦୃଶ୍ୟ। ସଂଯୁକ୍ତ ରାଷ୍ଟ୍ର ଆମେରିକା ବିଶ୍ବରେ ଗଣତନ୍ତ୍ର ପାଇଁ ସବୁବେଳେ ଛିଡ଼ା ହୋଇଥାଏ। ତେଣୁ ବର୍ତ୍ତମାନ କ୍ଷମତାର ଶାନ୍ତିପୂର୍ଣ୍ଣ ଏବଂ ବ୍ୟବସ୍ଥିତ ହସ୍ତାନ୍ତରଣ ହେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍‌ସ ବି ଏହାକୁ ନିନ୍ଦା କରି କହିଛନ୍ତି, ହିଂସା କେବେ ବିଜୟୀ ହୁଏନାହିଁ, ସ୍ବତନ୍ତ୍ରତା ସବୁବେଳେ ଜିତିଥାଏ। ସେହିପରି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଏବଂ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ସମେତ ବହୁ ନେତା ଆମେରିକାରେ ଘଟିଥିବା ଏହି ହିଂସାକାଣ୍ଡର ନିନ୍ଦା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories