୪ ଦିନିଆ ଟେଷ୍ଟ ଆୟୋଜନ ପ୍ରସ୍ତାବକୁ ତେନ୍ଦୁଲକରଙ୍କ ବିରୋଧ

ନୂଆଦିଲ୍ଲୀ : ଟେଷ୍ଟ ମ୍ୟାଚ୍‌କୁ ୫ ଦିନ ପରିବର୍ତ୍ତେ ୪ ଦିନରେ ସୀମିତ ରଖିବାକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମସୁଧା କରୁଥିବା ବେଳେ ୪ ଦିନିଆ ଟେଷ୍ଟ ଆୟୋଜନ ପ୍ରସ୍ତାବକୁ ବିରୋଧ କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। କ୍ରିକେଟ୍‌ରେ ଟେଷ୍ଟ ଫର୍ମାଟ୍‌ର ସ୍ବତନ୍ତ୍ରତା ରହିଥିବା ବେଳେ ଏଥିରେ କୌଣସି ପ୍ରକାର ପରିବର୍ତ୍ତନର ଆବଶ୍ୟକତା ନାହିଁ ବୋଲି ତେନ୍ଦୁଲକର ମତ ଦେଇଛନ୍ତି।

ସୂଚନାଥାଉକି,  ୧୪୩ ବର୍ଷର ପରମ୍ପରାକୁ ଭଙ୍ଗ କରି ଆଇସିସି ଟେଷ୍ଟ ମ୍ୟାଚ୍‌କୁ ୫ ଦିନରୁ ୪ ଦିନକୁ କମାଇ ଦେବାକୁ ଯୋଜନା କରୁଥିବା ବେଳେ ଏହାକୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି, ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ, ଜଷ୍ଟିନ୍‌ ଲାଙ୍ଗର୍‌, ନାଥାନ୍ ଲାୟନ ପ୍ରମୁଖ ବିରୋଧ କରିଛନ୍ତି।

prayash

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତେନ୍ଦୁଲକର କହିଥିଲେ ଟେଷ୍ଟ ଫର୍ମାଟ୍‌ର ସେ ଜଣେ ବଡ଼ ପ୍ରଶଂସକ। ଟେଷ୍ଟ କ୍ରିକେଟ୍‌ ଖେଳିବା ଦ୍ବାରା ଜଣେ କ୍ରିକେଟର୍‌ଙ୍କ ଦକ୍ଷତାର ସଠିକ୍‌ ପରିଚୟ ମିଳୁଥିବାରୁ ଏଥିରେ କୌଣସି ପ୍ରକାର ପରିବର୍ତ୍ତନର ଆବଶ୍ୟକତା ନାହିଁ। ଟେଷ୍ଟ ମ୍ୟାଚ୍‌କୁ ୫ ଦିନ ପରିବର୍ତ୍ତେ ୪ ଦିନକୁ କମାଇ ଦିଆଗଲେ ଏହା ବ୍ୟାଟସମ୍ୟାନ୍‌ଙ୍କ ପାଇଁ ସୁବିଧାଜନକ ହେବ ବୋଲି ତେନ୍ଦୁଲକର ମତ ଦେଇଛନ୍ତି। ଅଧିକାଂଶ ଟେଷ୍ଟ ମ୍ୟାଚ୍‌ର ଅନ୍ତିମ ଦିନରେ ସ୍ପିନରଙ୍କ ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ୪ ଦିନିଆ ଟେଷ୍ଟ ମ୍ୟାଚ୍‌ ଆୟୋଜନ ଫଳରେ ସ୍ପିନରଙ୍କ ବିଶେଷ ପ୍ରଭାବ ପରିଲକ୍ଷିତ ହେବ ନାହିଁ ବୋଲି ତେନ୍ଦୁଲକର ସ୍ପଷ୍ଟ କରି ଦେଇଛନ୍ତି।

ଦର୍ଶକଙ୍କୁ ଅଧିକ ସଂଖ୍ୟାରେ ଷ୍ଟାଡ଼ିୟମକୁ ଆସିବାକୁ ଉତ୍ସାହିତ କରିବାକୁ ଦିନିକିଆ, ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯାଉଛି। ଏହାବାଦ୍‌ ବର୍ତ୍ତମାନ ଟି-୧୦ କ୍ରିକେଟ୍‌ ମଧ୍ୟ ଆରମ୍ଭ ହୋଇଗଲାଣି। ତେଣୁ ଟେଷ୍ଟ କ୍ରିକେଟ୍‌ର ଢ଼ାଞ୍ଚାରେ ପରିବର୍ତ୍ତନର ଆବଶ୍ୟକତା ନାହିଁ ବୋଲି ତେନ୍ଦୁଲକର ମତ ଦେଇଛନ୍ତି। ଟେଷ୍ଟ କ୍ରିକେଟ୍‌କୁ ଅଧିକ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଆୟୋଜନ ସହ କ୍ରିକେଟର୍‌ମାନେ ନାମ ଲେଖାଥିବା ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଉଛନ୍ତି। ତେଣୁ ଟେଷ୍ଟ ମ୍ୟାଚ୍‌କୁ ୪ ଦିନକୁ କମାଇ ଦିଆଯିବାର ଯଥାର୍ଥତା ନାହିଁ ବୋଲି ତେନ୍ଦୁଲକର ସ୍ପଷ୍ଟ କରି ଦେଇଛନ୍ତି। ଟେଷ୍ଟ ମ୍ୟାଚ୍‌କୁ ଅଧିକ ସଂଘର୍ଷପୂର୍ଣ୍ଣ କରିବା ପାଇଁ ଭଲ ପିଚ୍‌ ପ୍ରସ୍ତୁତିର ଆବଶ୍ୟକତା ରହିଛି ବୋଲି ତେନ୍ଦୁଲକର କହିଛନ୍ତି। ଭଲ ପିଚ୍‌ ପ୍ରସ୍ତୁତ ହେଲେ ଅଧିକାଂଶ ଟେଷ୍ଟ ମ୍ୟାଚ୍‌ରେ ଫଳାଫଳ ବାହାରିବ ଓ ଏହାର ଲୋକପ୍ରିୟତା ବୃଦ୍ଧି ପାଇବ ବୋଲି ତେନ୍ଦୁଲକର ଆଶାବ୍ୟକ୍ତ କରିଛନ୍ତି।

Comments are closed.