୩ୟ ଟି-୨୦ ଆଜି : ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ

ଗୁଆହାଟୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ୩ୟ ମ୍ୟାଚ ମଙ୍ଗଳବାର ଗୁଆହାଟୀରେ ଖେଳାଯିବ। ଭାରତ ପ୍ରଥମ ଦୁଇ ମ୍ୟାଚ ଜିତି ୨-୦ରେ ଆଗୁଆ ରହିଥିବାବେଳେ ଶୃଙ୍ଖଳା ବିଜୟ ନେଇ ଉଦ୍ୟମ କରିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଉକ୍ତ ମ୍ୟାଚକୁ ଜିତି ଶୃଙ୍ଖଳା ବଞ୍ଚାଇ ରଖିବା ନେଇ ପ୍ରୟାସ କରିବ।
ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିନ ଯୁବ ଭାରତୀୟ ଦଳ ପ୍ରଥମ ଦୁଇ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ପ୍ରଥମ ମ୍ୟାଚକୁ ୨ ୱିକେଟରେ ଓ ଦ୍ବିତୀୟ ମ୍ୟାଚକୁ ୪୪ରନରେ ଜିତିବା ସହିତ ୨-୦ରେ ଆଗୁଆ ରହିଛି। ବ୍ୟାଟିଂ ଓ ବୋଲିଂରେ ଦଳ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛି । ଓପନର ଯଶସ୍ବୀ ଜୟସୱାଲ ଓ ଋତୁରାଜ ଗାଏକ୍ବାର୍ଡ ଶେଷ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ। ୱିକେଟରକ୍ଷକ ଈଶାନ କିଷନ ଦୁଇଟି ମ୍ୟାଚରୁ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ମଧ୍ୟକ୍ରମରେ ତିଲକ ବର୍ମା ଓ ସୂର୍ଯ୍ୟକୁମାର ଯାଦବ ମଧ୍ୟ ରନ କରୁଛନ୍ତି। ରିଙ୍କୁ ସିଂହ ଦୁଇ ମ୍ୟାଚରେ ମ୍ୟାଚ ଫିନିସର ଦାୟିତ୍ବକୁ ସଠିକ ଭାବେ ନିର୍ବାହ କରିଛନ୍ତି। ଦୁଇ ମ୍ୟାଚରେ ଭାରତ ବ୍ୟାଟିଂରେ ୨୦୦ରୁ ଅଧିକ ରନ ମଧ୍ୟ କରିପାରିଛି। ୩ୟ ମ୍ୟାଚରେ ବ୍ୟାଟିଂ କ୍ରମରେ ଭାରତ କୌଣସି ପରିବର୍ତ୍ତନ କରିବାର ଆଶା କରାଯାଉନାହିଁ । ବୋଲିଂରେ ଅର୍ଶଦୀପ୍‌ ସିଂହ, ପ୍ରସିଦ୍ଧ କ୍ରିଷ୍ଣା ଓ ମୁକେଶ କୁମାର ଦ୍ରୁତ ବୋଲିଂ ଭାର ସମ୍ଭାଳୁଥିବାବେଳେ ରବି ବିଷ୍ଣୋୟି ଓ ଅକ୍ଷର ପଟେଲ ସ୍ପିନ ବୋଲିଂ ଦାୟିତ୍ବ ତୁଲାଉଛନ୍ତି। ଅର୍ଶଦୀପ୍‌ଙ୍କ ସ୍ଥାନରେ ଆଭେଶ ଖାନ ଖେଳିବା ନେଇ ଆଶା କରାଯାଉଛି। କାରଣ ଅର୍ଶଦୀପ୍‌ ପ୍ରଥମ ଦୁଇ ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ସେହିପରି ମାଥ୍ୟୁ ୱାଡେଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ପ୍ରଥମ ଦୁଇ ମ୍ୟାଚରେ ବ୍ୟାଟିଂ ଅପେକ୍ଷା ବୋଲିଂରେ ଦୁର୍ବଳ ପ୍ରଦର୍ଶନ କରିଛି। ବୋଲିଂରେ ମାର୍କୋସ ଷ୍ଟୋଇନିସ, ନାଥନ ଏଲିସ, ସେନ ଆବଟ, ଆଡାମ ଜାମ୍ପା, ତନବୀର ସାଙ୍ଘା ଓ ଗ୍ଲେନ ମ୍ୟାକ୍ସୱେଲ ରହିଥିଲେ ମଧ୍ୟ ଦଳ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କୁ ରୋକିବାରେ ସଫଳ ହେଉନାହିଁ। ଦଳ ବୋଲିଂ ତ୍ରୁଟିକୁ ସୁଧାରିବାକୁ ନିଶ୍ଚିତ ଉଦ୍ୟମ କରିବ। ବ୍ୟାଟିଂରେ ଷ୍ଟିଭେନ୍‌ ସ୍ମିଥ୍‌, ମାଥ୍ୟୁ ସର୍ଟ, ଜୋଶ ଇଙ୍ଗଲିଶ, ଟିମ୍‌ ଡେଭିଡ୍‌, ମାର୍କୋସ ଷ୍ଟୋଇନିସ, ମାଥ୍ୟୁ ୱାଡେ ପ୍ରମୁଖ ରହିଛନ୍ତି। ସ୍ମିଥ୍‌, ଇଙ୍ଗଲିଶ , ଷ୍ଟୋଇନିସ୍‌ଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ବଡ ଇନିଂସ ଖେଳିବାରେ ସଫଳ ହେଉନାହାନ୍ତି। ଭାରତକୁ ରୋକିବା ସହ ଶୃଙ୍ଖଳାକୁ ଫେରିବାକୁ ହେଲେ ଦଳକୁ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିବାକୁ ପଡିବ। ଭାରତର ବର୍ତ୍ତମାନର ଫର୍ମକୁ ଦେଖିଲେ ଅଷ୍ଟ୍ରେଲିଆ ପାଇଁ ଶୃଙ୍ଖଳାକୁ ଫେରିବା ସହଜ ମନେ ହେଉନାହିଁ।

Comments are closed.