ଯୁବବର୍ଗଙ୍କ ଦକ୍ଷତା ବିକାଶ ଜରୁରୀ – କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର

ଡେସ୍କ: ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଚାଲିଛି। ଆଜି ପ୍ରତିନିଧି ସ୍ତରୀୟ ଆଲୋଚନାର ପ୍ରଥମ ଦିନରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର କହିଛନ୍ତି ଯେ, ଭାରତର ଅଧ୍ୟକ୍ଷତା ଅଧୀନରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ଶିକ୍ଷାର ପ୍ରସାର, ଗୁଣବତ୍ତା ଓ ପରିଣାମରେ ସୁଧାର ଆଣିବା ଲାଗି ସାଧାରଣ ବାସ୍ତବତା ଉପରେ ଆଲୋକପାତ କରିବା ଏବଂ ସାଧାରଣ ପ୍ରତିବଦ୍ଧତାକୁ ଦୋହରାଇବା ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରୁଛି। ସେ କହିଛନ୍ତି ଯେ ଆଜିର ଦୁନିଆରେ ବଡ଼ ପରିବର୍ତ୍ତନ ସବୁ ଦେଖିବାକୁ ମିଳୁଛି। କୃତ୍ରିମ ବୁଦ୍ଧିମତା, ଇଣ୍ଡଷ୍ଟ୍ରୀ ୪.୦ ଏବଂ ୱେବ ୩.୦ ଆଦି ଉଲ୍ଲେଖନୀୟ ଭାବେ କାର୍ଯ୍ୟସ୍ଥଳୀ ଉପରେ ପ୍ରଭାବ ପକାଇବ। ଏହି ପରିବର୍ତ୍ତିତ କାର୍ଯ୍ୟ ପରିସ୍ଥିତି ସହିତ ଖାପ ଖୁଆଇବା ଲାଗି ଆମର ଯୁବବର୍ଗଙ୍କୁ ଆବଶ୍ୟକ ଦକ୍ଷତା ବିକାଶ ଏବଂ ଦୃଷ୍ଟିକୋଣ ସହିତ ପ୍ରସ୍ତୁତ କରିବାକୁ ହେବ।

ସମସ୍ତଙ୍କ ପାଇଁ ସମାନ ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ବିକଶିତ କରିବା ଲାଗି ସହଭାଗିତା ନିମନ୍ତେ ସେ ଆହ୍ୱାନ କରିଥିଲେ। ସମାଜ କଲ୍ୟାଣ ଲକ୍ଷ୍ୟ ହାସଲ ନିମନ୍ତେ ଆମର ମିଳିତ ବିଶେଷଜ୍ଞତାକୁ ଉପଯୋଗ କରିବା ଏବଂ ଦୃଢ଼ ଗବେଷଣା ଓ ଉଦ୍ଭାବନ ଇକୋସିଷ୍ଟମ ନିର୍ମାଣ କରିବାକୁ ସେ ପରାମର୍ଶ ଦେଇଥିଲେ। ବୈଠକ ଅବସରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ବିଭିନ୍ନ ପ୍ରାଥମିକତା ପ୍ରସଙ୍ଗ ଉପରେ ଆଲୋଚନା ଅଧିବେଶନ ଆୟୋଜନ କରାଯାଇଥିଲା। ଏଥିରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରି ନିଜ ନିଜର ମତ ରଖିଥିଲେ।

ଏଥିରେ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ ସଚିବ କେ. ସଞ୍ଜୟ ମୂର୍ତ୍ତି, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ସଚିବ ସଞ୍ଜୟ କୁମାର ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ସଚିବ ଅତୁଲ ତିୱାରୀଙ୍କ ସମେତ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଛନ୍ତି। ଜି-୨୦ ସଦସ୍ୟ ରାଷ୍ଟ୍ର ସମେତ ୨୭ଟି ନିମନ୍ତ୍ରିତ ରାଷ୍ଟ୍ର, ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ, ୟୁନିସେଫ, ୟୁନେସ୍କୋ ଏବଂ ଆର୍ଥିକ ସହଯୋଗ ଓ ବିକାଶ ସଂଗଠନ (ଓଇସିଡି)ର ୬୦ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଛନ୍ତି।

Comments are closed.