ସାଇବର ଠକଙ୍କ ସହ ମିଶି ଜମାକାରୀଙ୍କ ଟଙ୍କା ଲୁଟୁଥିଲେ ବ୍ୟାଙ୍କ କର୍ମଚାରୀ, ୩୧ ଗିରଫ

ସମାଜ ଡିଜିଟାଲ ଡେସ୍କ: ଶୀର୍ଷକଟି ଆଶ୍ଚର୍ଯ୍ୟ କରୁଥାଇପାରେ। କିନ୍ତୁ ଏହା ସତ୍ୟ। ଏପରି ଏକ ଘଟଣାର ପର୍ଦ୍ଦାଫାଶ କରିଛି ଗୁରୁଗ୍ରାମ ପୁଲିସ। ସାଇବର ଠକଙ୍କ ସହିତ ମିଶି ଜମାକାରୀଙ୍କ ଟଙ୍କା ଲୁଟିବାରେ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି। ଏହି ଘଟଣାରେ ୩୧ ଜଣଙ୍କୁ ଗିରଫ କରାଯାଇଛି।
ସାଇବର ଠକମାନେ ଗୋଟିଏ ଜାଗାରେ ବସି ଲୋକଙ୍କୁ ଡିଜିଟାଲ ଆରେଷ୍ଟ କରି କୋଟି କୋଟି ଟଙ୍କା ଚୁନ ଲଗାଉଛନ୍ତି। ଜମାକାରୀ ଏବଂ ସାଇବର ଠକଙ୍କ ମଧ୍ୟରେ ସେତୁ ପାଲଟିଛନ୍ତି ବ୍ୟାଙ୍କ କର୍ମଚାରୀ। କମିସନ ଲୋଭରେ ବ୍ୟାଙ୍କ କର୍ମଚାରୀମାନେ ନିଜ ଜମାକାରୀଙ୍କ ତଥ୍ୟ ସାଇବର ଠକଙ୍କୁ ବିକ୍ରି କରୁଛନ୍ତି। ଗୁରୁଗ୍ରାମ ପୁଲିସକୁ ଏହି ସୂଚନା ମିଳିବା ପରେ ତଦନ୍ତ କରି ଭିନ୍ନ ଭିନ୍ନ ବ୍ୟାଙ୍କର ୩୧ କର୍ମଚାରୀଙ୍କୁ ଗିରଫ କରିଛି।
ପୁଲିସ ସୂଚନା ଅନୁସାରେ, ବ୍ୟାଙ୍କ କର୍ମଚାରୀମାନେ ଅପରାଧୀମାନଙ୍କ ସହିତ ମିଶି ଏହି ରାକେଟ ଚଳାଉଥିଲେ। ଏଥିରେ କିଛି ବ୍ୟାଙ୍କର ମ୍ୟାନେଜର ବି ସାମିଲ ରହିଛନ୍ତି। ସେମାନେ ଜମାକାରୀଙ୍କ ତଥ୍ୟ ସାଇବର ଅପରାଧୀ ଦେବା ସହିତ ବିନା କୌଣସି ବୈଧ କାଗଜପତ୍ରରେ ସାଇବର ଠକମାନଙ୍କ ଜମାଖାତା ଖୋଲିବାରେ ସହଯୋଗ କରୁଥିଲେ। ଡିଜିଟାଲ ଆରେଷ୍ଟ, ଚାକିରି ଦେବା ନାଁରେ ଟଙ୍କା ମଗାଯିବା ଏବଂ କୌଣସି ଅନଲାଇନ ଲିଙ୍କ ନ ଖୋଲିବାକୁ ପୁଲିସ ଲୋକଙ୍କୁ ସତର୍କ କରାଇଛି।
Comments are closed.