ଶିକ୍ଷା ବ୍ୟବସ୍ଥାର ବିକଳ ରୂପ : ୮ଟି ଶ୍ରେଣୀକୁ ୩ ଶିକ୍ଷକ

ଶିକ୍ଷକ ନିଯୁକ୍ତି ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବୀପତ୍ର

ରେଙ୍ଗାଲିକ୍ୟାମ୍ପ :  ଅତାବିରା ବ୍ଲକ ଅନ୍ତର୍ଗତ ନୂଆପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧୭ ଜଣ ପିଲା ପାଠ ପଡ଼ୁଛନ୍ତି । ଏହି ବିଦ୍ୟାଳୟରେ ୫ ଜଣ ଶିକ୍ଷକ ଥିଲେ। କିନ୍ତୁ ଗତ ମଇ ମାସରେ ପ୍ରଧାନ ଶିକ୍ଷକ ଅବସର ଗ୍ରହଣ କରିଛନ୍ତି। ପ୍ରଧାନ ଶିକ୍ଷକ ଦାୟିତ୍ବରେ ଯିଏ ଥିଲେ, ତାଙ୍କର ପଦୋନ୍ନତି ହୋଇ ଅନ୍ୟତ୍ର ବଦଳି ହୋଇଯାଇଛି । ଏବେ ଅଛନ୍ତି ମାତ୍ର ତିନି ଜଣ ଶିକ୍ଷକ। ତେବେ ପାଠପଢା ହେବ କେମିତି । ଏପଟେ ପୁଣି ମଧ୍ୟାହ୍ନ ଭୋଜନର କାମ । ସେଥିରେ କିଛି ବିଚ୍ୟୁତି ହେଲେ ଶିକ୍ଷକଙ୍କୁ ମୁକ୍ତି ନାହିଁ, ହେଲେ ହୁଅନ୍ତୁ ପଛକେ ପିଲାଏ ମୂର୍ଖ । ତେବେ ଭାଳେଣି ପଡ଼ିଛି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ। ଏ ନେଇ ବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କ ଅଧ୍ୟକ୍ଷତାରେ କମିଟିର ସଭ୍ୟ ସଭ୍ୟା ମାନେ ସେମବାର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତପନ କୁମାର ଦାଶଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ବିଦ୍ୟାଳୟ ପାଇଁ ଜଣେ ପ୍ରଧାନ ଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକ ପ୍ରଦାନ ନିମନ୍ତେ ଉଲ୍ଲେଖ ରହିଛି ।ଏହି ଦାବି ପତ୍ର ପ୍ରଦାନ ସମୟରେ କମିଟିର ବେଣୁଧର ସାହୁ, ସୁରମା ନାଏକ, ଯଦୁମଣି ସେଠ୍, ମମତା ଭୁଏ, ରାଜେଶ୍ୱରୀ ମିର୍ଦ୍ଧା, ଚନ୍ଦ୍ରମା ନାଏକ, ସଞ୍ଜୁ ଭୁଏ, ମିନୁ ମିରୀ, ଭାଗ୍ୟବତୀ ପ୍ରଧାନ, ସୁଦାମ ଭୁଏ, ଲକ୍ଷ୍ମଣ ସାଲିମା, ନମିତା ନାଏକ, ପିଙ୍କି ଭୁଏ, କିଶୋର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.