ଅହମଦାବାଦ: ଗୁଜୁରାଟର ଅହମଦାବାଦ ବିମାନ ବନ୍ଦରରେ ଗୁରୁବାର ଘଟିଛି ଏକ ଭୟଙ୍କର ତଥା ହୃଦୟ ବିଦାରକ ବିମାନ ଦୁର୍ଘଟଣା। ଏୟାର ଇଣ୍ଡିଆର ଲଣ୍ଡନଗାମୀ ଏହି ଯାତ୍ରୀବାହୀ ବିମାନ ଅହମଦାବାଦ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିବାର କିଛି ସେକେଣ୍ଡ ମଧ୍ୟରେ ନିକଟସ୍ଥ ସିଭିଲ ହସ୍ପିଟାଲ ହଷ୍ଟେଲ କୋଠାରେ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୪୧ ବିମାନ ଯାତ୍ରୀ ଓ କର୍ମଚାରୀଙ୍କ ସମେତ ମୋଟ ୨୬୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ ହଷ୍ଟେଲ ଭିତରେ ମଧ୍ୟାହ୍ଣ ଭୋଜନ କରୁଥିବା ୨୪ଜଣ ଡାକ୍ତରୀ ଛାତ୍ରଙ୍କ ପ୍ରାଣ ହାନୀ ଘଟିଛି। ଉକ୍ତ ବିମାନରେ ୧୬୯ ଭାରତୀୟ, ୫୩ଜଣ ବ୍ରିଟିଶ ନାଗରିକ, ୭ଜଣ ପର୍ତ୍ତୁଗୀଜ୍ ଓ ଜଣେ କାନାଡ଼ା ନାଗରିକଙ୍କୁ ମିଶାଇ ୨୩୦ ଯାତ୍ରୀ ଓ ୧୨ଜଣ ବିମାନ କର୍ମଚାରୀ ଥିଲେ। କେବଳ ସୌଭାଗ୍ୟକ୍ରମେ ଭାରତ ଜନ୍ମିତ ବ୍ରିଟିଶ ନାଗରିକ ବିଶ୍ବାସ କୁମାର ରମେଶ ବର୍ତ୍ତି ଯାଇଥିବାବେଳେ ଅନ୍ୟମାନଙ୍କ ଅକାଳ ମୃତ୍ୟୁ ଘଟିଛି। ଏଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଥିବା ସ୍ପଷ୍ଟ ହୋଇଛି। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ସିଭିଲ ହସ୍ପିଟାଲରେ ୨୬୫ଜଣଙ୍କ ଶବ ପହଞ୍ଚିଛି। ଦୁର୍ଘଟଣା ପରେ ବିମାନଟି ନିଅଁା ଲାଗିଯାଇଥିବାରୁ ଶବ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଆକାଶକୁ ଉଠିବାର କିଛି ସମୟ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ବିମାନଟି ଅହମ୍ମଦାବାଦ ସିିଭିଲ ହସ୍ପିଟାଲର ହଷ୍ଟେଲ ବିଲ୍ଡିଂ ସହ ଧକ୍କା ହୋଇଥିଲା। ବିମାନ ଖସିପଡିଥିବା ଅଞ୍ଚଳରେ ପାର୍କିଂ ହୋଇଥିବା ଏକାଧିକ ଦୁଇ ଚକିଆ ଓ ଚାରି ଚକିଆ ଯାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ୭ଟି ଦମକଳ ଦୀର୍ଘ ପାଞ୍ଚ ଘଣ୍ଟା ପରିଶ୍ରମ କରିବାପରେ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି। ବିମାନରେ ୧.୨୫ ଲକ୍ଷ ଲିଟର ଇନ୍ଧନ (ଆଭିଏସନ ଟର୍ବାଇନ ଫୁଏଲ)ମହଜୁଦ ଥିଲା। ଏହି ଇନ୍ଧନ ଅତ୍ୟନ୍ତ ଦହନଶୀଳ
ହୋଇଥିବାରୁ ଦୁର୍ଘଟଣା ପରେ ବିମାନଟି ଏକ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଥିଲା। ଏହି ମର୍ମନ୍ତୁଦ ବିମାନ ଦୁର୍ଘଟଣା ପରିପ୍ରେକ୍ଷୀରେ ବ୍ରିଟେନ ରାଜା ଚାର୍ଲସ ତୃତୀୟ, ରାଣୀ କାମିଲା ଓ ପ୍ରଧାନମନ୍ତ୍ରୀ କୈର ଷ୍ଟାର୍ମର, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତଙ୍କ ସମେତ ବିଭିନ୍ନ ରାଷ୍ଟ୍ରର ରାଜନେତା ଗଭୀର ଦୁଃଖପ୍ରକାଶ କରିଛନ୍ତି।
ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏହି ଘଟଣାରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଥିବାବେଳେ କ୍ଷତିଗ୍ରସ୍ତ ହୋଇଥିବା ମେଡିକାଲ କଲେଜକୁ ମରାମତି କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶକ୍ରମେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସନ୍ଧ୍ୟାରେ ଅହମଦାବାଦରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୮.୩୦ରେ ଅହମଦାବାଦ ଯାଇ ସ୍ଥିତି ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଅପରପକ୍ଷରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଘଟଣାର ତଦନ୍ତ ପାଇଁ ଏକ ବିଶେଷଜ୍ଞ ଦଳ କମିଟି ଗଠନ କରାଯାଇଛି। ଦୁର୍ଘଟଣାର କାରଣ ଜଣାପଡ଼ିନଥିଲେ ମଧ୍ୟ ଲିଭରରେ ସମସ୍ୟା ଯୋଗୁଁ ଏଭଳି ଯାନ୍ତ୍ରିକ ତ୍ରୁଟି ଘଟିଥିବା ପ୍ରାଥମିକ ଆକଳନରୁ କୁହାଯାଉଛି।
ସୂଚନାଯୋଗ୍ୟ ଏୟାର ଇଣ୍ଡିଆର ଏହି ବୋଇଂ ୭୮୭-୮ ଡ୍ରିମଲାଇନର ବିମାନଟି (ଫ୍ଲାଇଟ ନମ୍ବର ଏଆଇ-୧୭୧) ୨୩୦ ଯାତ୍ରୀ ଓ ୧୨ କର୍ମଚାରୀଙ୍କୁ ନେଇ ଗୁରୁବାର ମଧ୍ୟାହ୍ନ ୧.୩୩ ମିନିଟରେ ଅହମ୍ମଦାବାଦରୁ ଲଣ୍ଡନ (ଗାଟ୍ୱିକ୍) ଅଭିମୁଖେ ଉଡାଣ ଆରମ୍ଭ କରିଥିଲା। ଦୁଇ ଅଭିଜ୍ଞ ପାଇଲଟ କ୍ୟାପଟେନ ସୁମିତ ସବରୱାଲ ଓ କ୍ଲାଇଭ କୁନ୍ଦର (ସହ-ପାଇଲଟ) ବିମାନକୁ ଉଡାଉଥିଲେ। ଅପରାହ୍ଣ ୧.୩୮ ମିନିଟରେ ବିମାନଟି ୮୨୫ ଫୁଟ ଉଚ୍ଚତାକୁ ଉଠିଥିବାବେଳେ ହଠାତ୍ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ବିମାନଟି ଉପରକୁ ଉଠିବା ପରିବର୍ତ୍ତେ ତଳମୁହାଁ ହୋଇଥିଲା। ଫଳରେ ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି)କୁ ଜରୁରୀ ବାର୍ତ୍ତା (ମେଡେ ବାର୍ତ୍ତା) ପଠାଇଥିଲେ। ତେବେ ଏଟିସିରୁ କୌଣସି ଜବାବ ମିଳିବା ପୂର୍ବରୁ ବିମାନଟି ମେଘାନି ନଗରରେ ଥିବା ବିଜେ ମେଡିକାଲ କଲେଜ ହଷ୍ଟେଲର ଡାଇନିଂ ହଲ୍ ସହିତ ପ୍ରଚଣ୍ଡ ବେଗରେ ଧକ୍କା ହୋଇଥିଲା। ମଧ୍ୟାହ୍ନ ଭୋଜନ ସମୟ ହୋଇଥିବାରୁ ସେହି ସମୟରେ ସେଠାରେ ଡାକ୍ତରୀ ଛାତ୍ରଙ୍କର ଭିଡ ଲାଗିଥିଲା। ବିମାନଟି ଧକ୍କା ହେବାପରେ ୨୪ଜଣ ଛାତ୍ରଙ୍କର ପ୍ରାଣହାନି ଘଟିଛି ଏବଂ ୪୧ ଜଣ ଆହତ ହୋଇଛନ୍ତି। ଡାଇନିଂ ହଲ୍ରେ ଛାତ୍ରଙ୍କ ପାଇଁ ପରଷା ଯାଇଥିବା ଖାଦ୍ୟ, ପାଣି ଗ୍ଲାସ, ଥାଳି, ତାଟିଆ ସେମିତି ଟେବୁଲ ଉପରେ ପଡିଥିବା ଭିଡିଓ ଚିତ୍ରରୁ ଲକ୍ଷ୍ୟ କରାଯାଇଛି। ଦୁର୍ଘଟଣା ସମୟରେ ଡାଇନିଂ ହଲ୍ରେ ୧୫୦ରୁ ୨୦୦ ଡାକ୍ତରୀ ଛାତ୍ର ଉପସ୍ଥିତ ଥିବା କୁହାଯାଇଛି। ବିମାନ ଧକ୍କାରେ ମେଡିକାଲ କଲେଜର ୪ଟି କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ମୃତାହତ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ପାଇବାକୁ ଏୟାର ଇଣ୍ଡିଆ ପକ୍ଷରୁ ଏକ ହେଲପ୍ ଲାଇନ ନମ୍ବର (୧୮୦୦-୫୬୯୧-୪୪୪) ଜାରି କରାଯାଇଛି। ଟାଟା ଗ୍ରୁପ୍ ଅଧ୍ୟକ୍ଷ ଏନ.ଚନ୍ଦ୍ରଶେଖରନ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିଥିବାବେଳେ ମୃତାହତଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ମୃତ ଯାତ୍ରୀ ଓ ବିମାନ କର୍ମଚାରାଙ୍କ ସମ୍ପର୍କୀୟଙ୍କ ସୁବିଧା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଦୁଇଟି ରିଲିଫ୍ ବିମାନ ଚଳାଚଳର ବ୍ୟବସ୍ଥା କରାଯାଇଛି। ଏହି ବିମାନ ଦୁଇଟି ଗୁରୁବାର ରାତି ୧୧ଟାରେ ଯଥାକ୍ରମେ ଦିଲ୍ଲୀ ଓ ମୁମ୍ବଇରୁ ଅହମ୍ମଦାବାଦକୁ ଉଡିବ। ଏହି ଦୁଇଟି ବିମାନ ଗୁରୁବାର ରାତି ୧ଟା ୧୦ ମିନିଟରେ ଦିଲ୍ଲୀ ଓ ମୁମ୍ବଇ ଫେରିଆସିବ।
ବିମାନ ଦୁର୍ଘଟଣା; ମୃତ୍ୟୁ ସଂଖ୍ୟା ୨୬୫
Popular Categories



