ବନ୍ତଳା: ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ସେଠାରେ ଫଶିଛନ୍ତି ୩ ଜିଲାର ୨୬ ଯୁବକ। ଅନୁଗୋଳ, କଟକ ଏବଂ ନୟାଗଡ଼ ଜିଲାର ଏହି ଯୁବକମାନେ ସେମାନଙ୍କୁ ଉଦ୍ଧାର କରି ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ସୋସିଆଲ ମିଡିଆରେ ନିବେଦନ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଜଗନ୍ନାଥପୁର, ପୁରୁଣାକୋଟ ଗାଁର ୫ ଯୁବକ, ଲୁଣାହାଣ୍ଡିର ଜଣେ ଯୁବକ, କଟକ ଜିଲା ନରସିଂହପୁର ଥାନା ଅନ୍ତର୍ଗତ ରେଗେଡା ଅଞ୍ଚଳର ୧୯ ଜଣ ଓ ନୟାଗଡ଼ର ଜଣେ ଯୁବକ ୫ ବର୍ଷ ପୂର୍ବେ କାମ କରିବା ପାଇଁ ପଡୋଶୀ ଆନ୍ଧ୍ରପ୍ରଦେଶର ନେରଲୋର ଜିଲାକୁ ଯାଇଥିଲେ। ଭିଞ୍ଜାମପୁର ସହରର କବାଲିରୋଡ଼ର ନ୍ୟୁ ସୁରୟା ଧାଵାରେ ଏହି ସମସ୍ତ ୨୬ ଯୁବକ କାମ କରୁଥିଲେ। ହେଲେ ସାରା ବିଶ୍ୱରେ କରୋନା ଭୁତାଣୁ ବ୍ୟାପିବାରୁ ଦେଶର ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟ ତଥା ଦେଶକୁ ସମ୍ପୂର୍ଣ୍ଣ ଲକ ଡାଉନ କରିଥିବାରୁ ଯାନବାହନ ଚଳାଚଳ ଠପ ହୋଇଯାଇଥିଲା। ଫଳରେ ଏହି ଯୁବକମାନେ ନିଜ ଘରକୁ ଫେରିପାରୁ ନାହାନ୍ତି। ଲକଡାଉନ ଯୋଗୁ ସେମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ଖାଇବା ପିଇବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମସ୍ତ ଯୁବକଙ୍କୁ ଓଡ଼ିଶାକୁ ଫେରାଇ ଆଣିବାକୁ ରାଜ୍ୟ ସରକାର ଓ ଜିଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।



