ବାସୁଦେବପୁର: ଜମିବାଡ଼ି ବିବାଦରୁ ସାନ ଭାଇ ନିଜ ବଡ଼ ଭାଇକୁ ହତ୍ୟା କରିଛି। ଭଦ୍ରକ ଜିଲା ନାୟକାଣିଡିହି ଥାନା ଅଧୀନ ନାୟକାଣିଡିହି ତଳସାହି ଗାଁରେ ଶନିବାର ଭୋର ସମୟରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ଭଗବାନ ବେହେରା(୫୮)। ହତ୍ୟା ଅଭିଯୁକ୍ତ ରତ୍ନାକର ବାରିକକୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି। ଜମିଜମା ବିବାଦକୁ ନେଇ ଦୁଇଭାଇଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ସାନ ଭାଇ ରତ୍ନାକର ବଡ଼ ଭାଇ ଭଗବାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା। ଭଗବାନ ଶନିବାର ଭୋର ସମୟରେ ଘରୁ ବାହାରକୁ ଆସିଥିବାବେଳେ ରତ୍ନାକର ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଭଗବାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।



