ନୂଆଦିଲ୍ଲୀ : ସପ୍ତମ ତଥା ଅନ୍ତିମ ପର୍ୟ୍ୟାୟ ଲୋକସଭା ନିର୍ବାଚନ ପାଇଁ ଶନିବାର ୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟ ଗ୍ରହଣ ଜାରି ରହିଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ ପୂର୍ବାହ୍ନ ୧୧ଟା ସୁଦ୍ଧା ଦେଶରେ ୨୬.୩ % ମତଦାନ ହୋଇଛି।
ପୂର୍ବାହ୍ନ ୧୧ଟା ସୁଦ୍ଧା ହିମାଚଳ ପ୍ରଦେଶରେ ସର୍ବାଧିକ ୩୧.୯୨ ପ୍ରତିଶତ ମତଦାନ ହୋଇଥିବାବେଳେ ଓଡ଼ିଶାରେ ସର୍ବନିମ୍ନ ୨୨.୬୪ ପ୍ରତିଶତ ରହିଛି। ଏହାବ୍ୟତୀତ ଝାଡ଼ଖଣ୍ଡରେ ୨୯.୫୫ ପ୍ରତିଶତ, ପଞ୍ଜାବରେ ୨୩.୯୧, ଉତ୍ତରପ୍ରଦେଶରେ ୨୮.୦୨, ବିହାରରେ ୨୪.୨୫, ଚଣ୍ଡୀଗଡ଼଼ରେ ୨୫.୦୩ ଏବଂ ପଶ୍ଚିମବଙ୍ଗରେ ୨୮.୧ ପ୍ରତିଶତ ମତଦାନ ହୋଇଛି।
ସୂଚନାଯୋଗ୍ୟ, ଶେଷ ପର୍ଯ୍ୟାୟରେ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ନିର୍ବାଚନ ପରିଚାଳନା ନିମନ୍ତେ ୧୦ ଲକ୍ଷ ୯୦ ହଜାର ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି। ୧ ଲକ୍ଷ ୯ ହଜାର ମତଦାନ କେନ୍ଦ୍ରରେ ୧୦ କୋଟି ୬ ଲକ୍ଷରୁ ଅଧିକ ଭୋଟର ମତଦାନ କରିବେ। ଭୋଟ ଗ୍ରହଣ ହେବାକୁ ଥିବା ଆସନଗୁଡିକ ମଧ୍ୟରେ ବିହାରର ୮ଟି, ହିମାଚଳ ପ୍ରଦେଶର ୪ଟି, ଝାଡଖଣ୍ଡର ୩ଟି, ଓଡ଼ିଶାର ୬ଟି, ପଞ୍ଜାବର ୧୩ଟି, ଉତ୍ତରପ୍ରଦେଶର ୧୩ଟି, ପଶ୍ଚିମବଙ୍ଗର ୯ଟି ଓ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡର ୧ଟି ଅଛି। ଏହି ପର୍ଯ୍ୟାୟରେ ମୋଟ ୯୦୪ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।



