ବାଂଲାଦେଶରେ ୨୨୦୦ ହିନ୍ଦୁ ବିରୋଧୀ ହିଂସା ମାମଲା
ନୂଆଦିଲ୍ଲୀ: ଚଳିତବର୍ଷ (୨୦୨୪)ରେ ବାଂଲାଦେଶରେ ବାସ କରୁଥିବା ହିନ୍ଦୁଙ୍କ ବିରୋଧରେ ୨୨୦୦ ହିଂସା ଘଟଣା ଘଟିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ରାଜ୍ୟସଭାରେ ସୂଚନା ପ୍ରଦାନ କରାଯାଇଛି। ଏହି ସମୟରେ ପାକିସ୍ତାନରେ ହିନ୍ଦୁଙ୍କ ଉପରେ ୧୧୨ଟି ହିଂସାତ୍ମକ ଘଟଣା ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବାଂଲାଦେଶରେ ଶେଖ ହସିନାଙ୍କ ସରକାରର ପତନ ପରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣା ଯଥେଷ୍ଟ ବୃଦ୍ଧି ପାଇଥିବା ରିପୋର୍ଟରୁ ଜଣାପଡିଛି। ଏହି ତଥ୍ୟକୁ ଆଧାର କରି ସେଠାରେ ବାସ କରୁଥିବା ହିନ୍ଦୁ ସଂପ୍ରଦାୟଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଉଭୟ ବାଂଲାଦେଶ ଓ ପାକିସ୍ତାନ ସରକାରଙ୍କୁ ପତ୍ର ଜରିଆରେ ଅନୁରୋଧ କରାଯାଇଛି। ବାଂଲାଦେଶ ଓ ପାକିସ୍ତାନରେ ବାସ କରୁଥିବା ହିନ୍ଦୁଙ୍କ ଉପରେ ବାରମ୍ବାର ଆକ୍ରମଣ କରାଯାଉଥିବା ଏବଂ ସେମାନଙ୍କର ଧନ ସମ୍ପତ୍ତି ଓ ମଠ ମନ୍ଦିର ନଷ୍ଟ କରାଯାଉଥିବାରୁ ଭାରତ ସରକାର ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ୨୦୨୨ରେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ୪୭ଟି ଆକ୍ରମଣ ଘଟଣା ରୁଜୁ କରାଯାଇଥିବାବେଳେ ୨୦୨୩ରେ ଏହି ସଂଖ୍ୟା ୩୦୨କୁ ବୃଦ୍ଧି ପାଇଥିଲା। ତେବେ ଚଳିତବର୍ଷ ଡିସେମ୍ବର ୮ ସୁଦ୍ଧା ଏହି ସଂଖ୍ୟା ୨୨୦୦ରେ ପହଞ୍ଚିଥିବାରୁ ଏହା ଉଦ୍ବେଗଜନକ ସ୍ଥିତି ସୃଷ୍ଟି କରିଛି। ବାଂଲାଦେଶ ଓ ପାକିସ୍ତାନ ବ୍ୟତୀତ ଅନ୍ୟ କୌଣସି ପଡୋଶୀ ରାଷ୍ଟ୍ରରେ ହିନ୍ଦୁଙ୍କ ଉପରେ ଆକ୍ରମଣ ହୋଇଥିବାର ସୂଚନା ମିଳିପାରି ନାହିଁ। ସଂଖ୍ୟାଲଘୁ ଓ ମାନବାଧିକାର ସଂଗଠନର ତଥ୍ୟକୁ ଆଧାର କରି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ରାଜ୍ୟସଭାରେ ଏହି ସୂଚନା ଉପସ୍ଥାପନ କରିଛନ୍ତି। ଅପରପକ୍ଷରେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ଚଳିତମାସ ୯ରେ ବାଂଲାଦେଶ ଗସ୍ତରେ ଯାଇଥିବାବେଳେ ସେଠାକାର ଅନ୍ତରୀଣ ସରକାରଙ୍କୁ ଭାରତର ଉଦ୍ବେଗ ସମ୍ପର୍କରେ ଜଣାଇଥିଲେ।
Comments are closed.