୨୧ ଦିନିଆ କ୍ବାରେଣ୍ଟାଇନରେ ରହିବେ ବାହାର ରାଜ୍ୟ ଫେରନ୍ତା

ଛତ୍ରପୁର: ବର୍ଦ୍ଧିତ ଲକଡାଉନ ମେ ୩ ତାରିଖରେ ଶେଷ ହେବାପରେ ବାହାର ରାଜ୍ୟରେ ଥିବା ଲୋକେ ଜିଲାକୁ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ଅଧିକ ରହିଛି। ଏଥିପାଇଁ ସାମଗ୍ରିକ ପ୍ରସ୍ତୁତିକୁ ଠିକ ଭାବରେ ପରିଚାଳନା କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଗ୍ରାମ ଏବଂ ସହରାଞ୍ଚଳର ସବୁ ସ୍କୁଲ ଘର, ସରକାରୀ ଘର, ବାତ୍ୟା ଆଶ୍ରୟସ୍ଥଳ, କଲ୍ୟାଣ ମଣ୍ଡପ ପ୍ରଭୃତି ପ୍ରସ୍ତୁତ କରି ରଖାଯିବ। ସେଠାରେ ପାଇଖାନା, ପାନୀୟ ଜଳ ଏବଂ ବିଦ୍ୟୁତ ବ୍ୟବସ୍ଥା ସୁନିଶ୍ଚିତ କରାଯିବ। ଯେଉଁଠାରେ ପାଇଖାନା ନାହିଁ ସେଠାରେ ତୁରନ୍ତ ପାଇଖାନା ନିର୍ମାଣ କରାଯିବ। ନିମ୍ନମାନର ପାଇଖାନା ହେଲେ ଅଧିକାରୀଙ୍କ ଦରମାରୁ ସେହି ଅର୍ଥ ଭରଣ କରାଯିବ। ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଡାକ୍ତରୀ ପରୀକ୍ଷା ସୁନିଶ୍ଚିତ କରାଯିବ। ସେମାନଙ୍କୁ ଏକୋଇଶି ଦିନିଆ କ୍ୱାରେଣ୍ଟାଇନରେ ରଖାଯିବ। ଯେଉଁ କର୍ମଚାରୀମାନେ ଭୁବନେଶ୍ୱରରୁ ଫେରିବେ ସେମାନଙ୍କ ପାଇଁ ୨୧ ଦିନିଆ କ୍ୱାରେଣ୍ଟାଇନରେ ବାଧ୍ୟତାମୂଳକ। ଅଧିକାରୀ ଏହା ସୁନିଶ୍ଚିତ ନକଲେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ।

ଜିଲାରେ ଅଦ୍ୟାବଧି ବାହାର ରାଜ୍ୟର ଲୋକଙ୍କୁ ଯେଉଁ ସବୁ ଟ୍ରାଞ୍ଜିଟ କ୍ୟାମ୍ପରେ ରଖାଯାଇଛି ସେମାନଙ୍କ ପାଇଁ ଦୈନିକ ସାରଣୀ ଧାର୍ୟ୍ୟ କରିବା ସହିତ ମନୋରଞ୍ଜନ ପାଇଁ ସେଠାରେ ଟେଲିଭିଜନ ସେଟ ଲଗାଇବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। ଜିଲାର ବିଭିନ୍ନ ଫାଟକରେ ପୁଲିସ ସହିତ ସରକାରୀ କର୍ମଚାରୀମାନେ କାର୍ୟ୍ୟରତ ରହିବେ। ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ପାଇଁ ଆଗ୍ରହ ପ୍ରକାଶ ପାଉଥିବାରୁ ସେଥିପାଇଁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ୟୁନିଟ କାର୍ୟ୍ୟକାରୀ କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। ଡାକ୍ତରୀ ପରାମର୍ଶ ପାଇଁ ଜିଲା ବାହାରକୁ ଯିବାର ଥିଲେ ଉପଜିଲାପାଳ ପାସ୍‍ ପ୍ରଦାନ କରିପାରିବେ। ବିଭିନ୍ନ ପେନସନ ଓ ଭତ୍ତା ନିର୍ଦ୍ଦିଷ୍ଟ ବ୍ୟକ୍ତି ବ୍ୟତୀତ ଅନ୍ୟ କୌଣସି ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ ବୋଲି ଜିଲାପାଳ କହିଛନ୍ତି। ଏହି ବୈଠକରେ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲାପାଳ ସିନ୍ଦେ ଦତାତ୍ରୟ ଭାଉ ସାହେବ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡି, ଜିଲା ମଙ୍ଗଳ ଅଧିକାରୀ ପରକ୍ଷୀତ ଦାଶଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.