ବିଦ୍ୟାଳୟ ପରିସରରୁ ଶିକ୍ଷକଙ୍କ ଗାଡି ଡିକି ଭାଙ୍ଗି ଅଢେଇ ଲକ୍ଷ ଟଙ୍କା ଲୁଟ

ବୌଦ୍ଧ  : ବୌଦ୍ଧ ଜିଲାରେ ପୁଣିଥରେ ଡିକି ଭଙ୍ଗା ଗ୍ୟାଙ୍ଗ ସକ୍ରିୟ ହୋଇଛନ୍ତି । ବୁଧବାର ଏକ ବିଦ୍ୟାଳୟ ପରିସରରୁ ଜଣେ ଶିକ୍ଷକଙ୍କ ଗାଡି ଡିକି ଭାଙ୍ଗି ୨ଲକ୍ଷ ୫୦ ହଜାର ଟଙ୍କା ନେଇ ଦୁବୃର୍ତ୍ତମାନେ ଫେରାର ହେବାରେ ସଫଳ ହୋଇଛନ୍ତି । ସୂଚନା ମୁତାବକ ସରସସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା କଣ୍ଢେଇ ମାଧ୍ୟମରେ ପିଲାଙ୍କୁ ଶିକ୍ଷାଦାନ କରି ରାଜ୍ୟରେ ଚର୍ଚ୍ଚିତ ଏବଂ ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିବା ଶିକ୍ଷକ ବସନ୍ତ କୁମାର ସାହୁ ବୁଧବାର ମଧ୍ୟାହ୍ନରେ ବୌଦ୍ଧ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଟଙ୍କା(୨ଲକ୍ଷ ୫୦ ହଜାର)ଉଠାଇ ବାଇକ ଡିକିରେ ରଖି ବିଦ୍ୟାଳୟକୁ ଫେରିଥିଲେ। ବିଦ୍ୟାଳୟ ପରିସର ମଧ୍ୟରେ ବାଇକ୍ ରଖି କାର୍ଯ୍ୟାଳୟକୁ ଯିବାପରେ ଶିକ୍ଷକ ଶ୍ରୀସାହୁଙ୍କ ଗାଡି ଡିକି ଭାଙ୍ଗି ବ୍ୟାଙ୍କରୁ ଉଠାଇଥିବା ୨ଲକ୍ଷ ୫୦ ହଜାର ଟଙ୍କା ନେଇ ଜଣେ ଯୁବକ ଧାଇଁଥିଲେ । ପ୍ରଥମେ କୌଣସି ଛାତ୍ରଛାତ୍ରୀଙ୍କ ଅଭିଭାବକ ଆସିଥିବା ନେଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୁବକଙ୍କୁ ସନ୍ଦେହ କରିନଥିଲେ । କିନ୍ତୁ ବିଦ୍ୟାଳୟ ଭିତରୁ ଜଣେ ଅପରିଚିତ ଯୁବକ ଧାଇଁ ଚାଲିଯାଉଥିବା ଶିକ୍ଷକ ଶ୍ରୀସାହୁ କାର୍ଯ୍ୟାଳୟ ଭିତରୁ ଲକ୍ଷ କରିବାପରେ ବାହାରକୁ ଆସି ଦେଖିବାରେ ବାହାରେ ଏକ ପଲସର ଗାଡି ନେଇ ଅପେକ୍ଷା କରିଥିବା ଯୁବକ ସହିତ ଉଭୟେ ଫେରାର ହୋଇଯାଇଥିଲେ । ଶିକ୍ଷକ ଶ୍ରୀସାହୁ ବ୍ୟସ୍ତ ହୋଇ ନିଜ ବାଇକ୍ ଦେଖିବାପରେ ଡିକି ଭଙ୍ଗା ହୋଇଥିବା ଏବଂ ଟଙ୍କା ନେଇ ଯୁବକ ଫେରାର ହୋଇଯାଇଥିବା ଜଣାପଡିଥିଲା । ସଙ୍ଗେ ସଙ୍ଗେ ବୌଦ୍ଧ ଥାନାରେ ଏନେଇ ଶ୍ରୀକ୍ଷକ ଶ୍ରୀସାହୁ ଲିଖିତ ଅଭିଯୋଗ କରିବାପରେ ପୁଲିସ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ ମଧ୍ୟ ଡିକି ଭଙ୍ଗା ଗ୍ୟାଙ୍ଗର କୌଣସି ସନ୍ଧାନ ମିଳିପାରିନଥିବା ଜଣାଯାଇଛି । ବ୍ୟାଙ୍କ ସମ୍ମୁଖରୁ ଦୁର୍ବୃତ୍ତମାନେ ଶିକ୍ଷକ ଶ୍ରୀସାହୁଙ୍କୁ ଅନୁସରଣ କରି ବିଦ୍ୟାଳୟ ପର୍ଯ୍ୟନ୍ତ ଯିବାପରେ ସେଠାରୁ ଟଙ୍କା ନେଇ ଚାଲିଯାଇଥିବା ଜଣାଯାଇଛି । ତେବେ ଏହି ଘଟଣାପରେ କୌଣସି କର୍ମଚାରୀ ବ୍ୟାଙ୍କରୁ ଟଙ୍କା ଉଠାଣ କରି ନେବାକୁ ସୁରକ୍ଷିତ ମଣୁନଥିବା ପ୍ରକାଶ କରୁଛନ୍ତି । ବ୍ୟାଙ୍କ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ସଂପୁର୍ଣ୍ଣ ଢିଲା ଥିବାବେଳେ କାମ ନଥିବା ଲୋକ ମଧ୍ୟ ବ୍ୟାଙ୍କ ଭିତରେ ବସିରହି ଗ୍ରାହାକମାନଙ୍କ ନେଣଦେଣ ଉପରେ ଦୃଷ୍ଟି ରଖୁଥିବା ଅଭିଯୋଗ ହେଉଅଛି । ତେଣୁ ପ୍ରତ୍ୟେକ ବ୍ୟାଙ୍କ ସମ୍ମୁଖରେ ନିଜସ୍ୱ ସୁରକ୍ଷା କର୍ମୀ ସହିତ ସାଧା ପୋଷାକରେ ପୁଲିସ ମୁତୟନ ପାଇଁ ଗ୍ରାହକମାନେ ଦାବି କରୁଛନ୍ତି ।

kalyan agarbati

Comments are closed.