ଝାଡ଼ଖଣ୍ଡ: ଆଜି ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଚତ୍ରା, ପାଲାମୁ, ଗୁମ୍ଲା, ଗଡ଼ୱା, ଲତେହାର ଓ ଲୋହାରଦାଗା ଭଳି ୬ଟି ଜିଲ୍ଲାର ୧୩ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ମତଦାନ ସକାଳ ୭ଟାରେ ଆରମ୍ଭ ହୋଇ ଅପରାହ୍ଣ ୩ଟାରେ ଶେଷ ହେବ। ପ୍ରାୟ ୩୭ଲକ୍ଷ ୮୩ହଜାର ଭୋଟର ୧୫ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୧୮୯ ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଫିସର ବିନୟ କୁମାର ଚୁବେ କହିଛନ୍ତି, ମତଦାନ ପାଇଁ ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ରରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଇତିମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି। ଆଜି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ୍ କରାଯିବ ଓ
ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ସୋମବାର ରହିଛି। ଏହି ପର୍ଯ୍ୟାୟ ପାଇଁ ଡିସେମ୍ବର ୧୬ ତାରିଖରେ ଦେଓଘର, ଗିରିଡ଼ି, ବୋକାରୋ ଓ ଧାନବାଦ ଭଳି ଚାରୋଟି ଜିଲ୍ଲାର ୧୫ଟି ନିର୍ବାଚନ ମଣ୍ଡଳୀରେ ଭୋଟ ନିଆଯିବ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୨ ତାରିଖରେ ଭୋଟ ନିଆଯାଉଥିବା ବେଳେ ଏହି ପର୍ଯ୍ୟାୟରେ ମୋଟ୍ ୩୧୨ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୭ ଜଣ ପ୍ରାର୍ଥୀ ସେମାନଙ୍କର ମନୋନୟନ ପତ୍ର ପ୍ରତ୍ୟାହାର କରିନେଇଥିଲେ। ରାଞ୍ଚି, କୋଡରମା ଓ ହଜାରିବାଗ ସମେତ ୮ଟି ଜିଲ୍ଲାର ୧୭ଟି ନିର୍ବାଚନ ମଣ୍ଡଳୀରେ ଏହି ପର୍ଯ୍ୟାୟରେ ମତଦାନ ହେବ।



