mission shakti banner

କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଆସନ ପାଇଁ ମତଦାନ

BSKY banner  750×100

ଭୁବନେଶ୍ୱର: ରାଜ୍ୟର ଚାରିଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନରେ ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ୟ୍ୟାୟରେ ଲୋକସଭା ପାଇଁ ୨୬ ଏବଂ ବିଧାନସଭା ପାଇଁ ୧୯୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଗୁରୁବାର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏଥିସହ କଳାହାଣ୍ଡି ଲୋକସଭା ଅନ୍ତର୍ଗତ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା ବିଧାନସଭା ଆସନ, ନବରଙ୍ଗପୁର ଲୋକସଭା ଅନ୍ତର୍ଗତ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା ବିଧାନସଭା, ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି ଏବଂ କୋରାପୁଟ ଲୋକସଭା ଅନ୍ତର୍ଗତ ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟାଙ୍ଗୀ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ସକାଳ ୭ଟାରୁ ସନ୍ଧ୍ୟା୬ଟା ପର୍ୟ୍ୟନ୍ତ ଏହି ସମସ୍ତ ନିର୍ବାଚନମଣ୍ଡଳୀର ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ନକ୍ସଲ ପ୍ରଭାବିତ ଏବଂ ଦୁର୍ଗମ ଅଞ୍ଚଳରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ।

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରାଥମିକ ପ୍ରସ୍ତୁତି ଶେଷ ହୋଇଛି। ଭୋଟ ଗ୍ରହଣର ଦେଢ଼ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୫.୩୦ରେ ମକ୍‌ପୋଲ୍‌ ପାଇଁ ବ୍ୟବସ୍ଥା କରାଯାଇଛି। ଇଭିଏମ ଓ ଭିଭିପାଟ୍‌ ମେସିନ ଠିକ୍‌ ଭାବେ କାର୍ୟ୍ୟ କରୁଛି କି ନା ତାହା ଯାଞ୍ଚ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ବୁଥ୍‌ ଦାୟିତ୍ବରେ ଥିବା ସରକାରୀ କର୍ମଚାରୀ ଏବଂ ରାଜନୈତିକ ଦଳର ଏଜେଣ୍ଟ ମକ୍‌ପୋଲ୍‌ରେ ଭାଗ ନେବେ। ମକ୍‌ପୋଲରେ ଲୋକସଭା ଓ ବିଧାନସଭା ପାଇଁ ୫୦ଟି ଲେଖାଏଁ ଭୋଟ ଗ୍ରହଣ କରାଯିବ। ଏହା ପରେ ମତଦାତା ସେମାନଙ୍କ ଭୋଟ ଦେବେ। ପ୍ରତି ବୁଥ୍‌ରେ ମକ୍ ପୋଲ ପାଇଁ ନିର୍ବାଚନ କମିସନ ନିର୍ଦେଶ ଦେଇଛନ୍ତି। ଏହି ଆଧାରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମକ୍‌ପୋଲ ନେଇ ସମସ୍ତ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛନ୍ତି। ପ୍ରଥମ ଥର ପାଇଁ ଭିଭିପାଟ୍‌ ପ୍ରଚଳନ କରାଯିବା ଯୋଗୁଁ ମତଦାତା କାହାକୁ ଭୋଟ ଦେଲେ ଏଥର ତାହା ମତାଧିକାର ସାବ୍ୟସ୍ତ ସମୟରେ ଜାଣିପାରିବେ।

ପ୍ରଥମ ପର୍ଯ୍ୟାୟରେ ଏହି ସବୁ ଅଞ୍ଚଳର ୬୦ଲକ୍ଷ ୦୩ହଜାର ୭୦୭ ଭୋଟର ମତଦାନ କରିବେ। ସେମାନଙ୍କ ମଧ୍ୟରେ ୨୯ଲକ୍ଷ ୭୨ହଜାର ୯୨୫ଜଣ ପୁରୁଷ ଭୋଟର ଥିବା ବେଳେ ୩୦ଲକ୍ଷ ୩୦ହଜାର ୨୨୨ ମହିଳା ଓ ୫୬୦ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି। ନିର୍ବାଚନ କାର୍ୟ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ପୋଷ୍ଟାଲ ବାଲଟର ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ୟ୍ୟାୟରେ ୧ଲକ୍ଷ ୩୦ହଜାର ୩୦୭ ଦିବ୍ୟାଙ୍ଗ ମତଦାତା ଅଛନ୍ତି। ମତଦାନ ପାଇଁ ୭୨୩୩ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି। ସେଥିମଧ୍ୟରୁ ୨୩୭୫ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ଦୃଷ୍ଟିଶକ୍ତିହୀନ ମତଦାତାଙ୍କ ପାଇଁ ୫୦୫୧ଟି ବୁଥକୁ ବ୍ରେଲି ବାଲଟ ପଠାଯାଇଛି। ମତଦାନ କେନ୍ଦ୍ରରେ ୧୮ବର୍ଷ ବୟସରୁ କମ ଦୁଇ ଜଣ ଲେଖାଏଁ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ନକ୍ପଲ ପ୍ରଭାବିତ ଅଞ୍ଚଳକୁ ସୁରକ୍ଷା କର୍ମଚାରୀ, ସରକାରୀ କର୍ମଚାରୀ ଓ ଭୋଟ ଗ୍ରହଣ ପାଇଁ ଆବଶ୍ୟକ ସାମଗ୍ରୀ ପଠାଯିବାକୁ ଦୁଇଟି ହେଲିକପ୍ଟର ଯୋଗାଇ ଦିଆଯାଇଛି। ନିର୍ବାଚନ ପରିଚାଳନା ପାଇଁ ୪୭ହଜାର ୮୦୫ ସରକାରୀ କର୍ମଚାରୀ ନିୟୋଜିତ ଅଛନ୍ତି।

Comments are closed.