କୁଲଦୀପଙ୍କୁ ୬ ୱିକେଟ ; ଭାରତର ସହଜ ବିଜୟ

0

ଟ୍ରେଣ୍ଟବ୍ରିଜ୍‍ : ଟ୍ୱେଣ୍ଟି୨୦ ସିରିଜ୍‍ ପରେ ଦିନିକିଆରେ ମଧ୍ୟ ଭାରତ ତା’ର ପାରିଲାପଣିଆ ଦେଖାଇଛି। କୁଲଦୀପ ଯାଦବଙ୍କ ୬ ୱିକେଟ ଦଖଲ ପରେ ରୋହିତ ଶର୍ମାଙ୍କ ଶତକ ବଳରେ ପ୍ରଥମ ଦିନିକିଆ ମ୍ୟାଚ୍‍ରେ ଭାରତ ଘରୋଇ ଇଂଲଣ୍ଡକୁ ପରାସ୍ତ କରିଛି। ଗୁରୁବାର ମ୍ୟାଚ୍‍କୁ ୮ ୱିକେଟରେ ସହଜରେ ଜିତି ୩ ମ୍ୟାଚ୍‍ର ସିରିଜ୍‍ରେ ଭାରତ ୧-୦ରେ ଆଗୁଆ ହୋଇଛି। ଚାଇନାମ୍ୟାନ୍‍ ସ୍ପିନର କୁଲଦୀପ ଯାଦବ ମାତ୍ର ୨୫ ରନ୍‍ଦେଇ ୬ଟି ୱିକେଟ ନେବାରୁ ପ୍ରଥମେ ବ୍ୟାଟିଂକରି ଇଂଲଣ୍ଡ ଗୋଟିଏ ବଲ୍‍ ବାକିଥାଇ ୨୬୮ ରନ୍‍ରେ ଅଲ୍‍ଆଉଟ ହୋଇ ଯାଇଥିଲା। ବେନ୍‍ ଷ୍ଟୋକ୍‍ସ ଓ ଜୋସ୍‍ ବଟ୍‍ଲରଙ୍କ ଅର୍ଦ୍ଧଶତକ ଯୋଗୁଁ ଇଂଲଣ୍ଡର ଏହି ସ୍କୋର୍‍ ସମ୍ଭବ ହୋଇଥିଲା। ପରେ ରୋହିତ ଶର୍ମାଙ୍କ ଅପରାଜିତ ଶତକ ଓ ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ୪୦.୧ ଓଭରରେ ୨ ୱିକେଟ ହରାଇ ଜିତିଥିଲା। ଶନିବାର ୨ୟ ଦିନିକିଆ ମ୍ୟାଚ୍‍ ଖେଳାଯିବ।
ଦୃଢ଼ତାର ସହ ଭାରତ ୨୬୯ ରନ୍‍ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ଓପ୍‍ନିଂ ଯୋଡ଼ିରେ ରୋହିତ ଶର୍ମା ଓ ଶିଖର ଧାୱନ ନିୟମିତ ବାଉଣ୍ଡରୀ ମାରି ଦ୍ରୁତଗତିରେ ସ୍କୋର୍‍ କରିଥିଲେ। ୮ ଓଭରରେ ଓପ୍‍ନିଂ ଯୋଡ଼ି ୫୯ ରନ୍‍ର ଭାଗିଦାରୀ କରିଥିଲା। ବିସ୍ଫୋରକ ବ୍ୟାଟିଂ କରୁଥିବା ଶିଖର ଧାୱନ ପ୍ରଥମେ ଆଉଟ ହୋଇଥିଲେ। ଏହି ବାମହାତି ୨୭ ବଲ୍‍ରୁ ୮ଟି ଚୌକା ସହ ୪୦ ରନ୍‍ କରିଥିଲେ। ପରେ ରୋହିତ ଓ ଅଧିନାୟକ ବିରାଟ କୋହଲି ଦୃଢ଼ତାର ସହ ସ୍କୋର୍‍କୁ ଆଗେଇ ନେଇଥିଲେ। ଦୁହେଁ ୨୫ ଓଭରରେ ୨ୟ ୱିକେଟ ପାଇଁ ୧୬୭ ରନ୍‍ ଯୋଡ଼ି ବିଜୟ ନିଶ୍ଚିତ କରିଥିଲେ। କୋହଲି ୮୨ ବଲ୍‍ରୁ ୭ଟି ଚୌକା ସହ ୭୫ ରନ୍‍କରି ଆଉଟ ହୋଇଥିଲେ। ପରେ ରୋହିତ ଶର୍ମା ଓ କେ.ଏଲ୍‍. ରାହୁଲ ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ୩ୟ ଟ୍ୱେଣ୍ଟି୨୦ରେ ଅପରାଜିତ ଶତକ ହାସଲ କରିଥିବା ରୋହିତ ଶର୍ମା ତାଙ୍କ ବ୍ୟାଟିଂ ଫର୍ମ ବଜାୟ ରଖି ଜୀବନର ୧୮ତମ ଦିନିକିଆ ଶତକ ପୂରଣ କରିଥିଲେ। ରୋହିତ ୧୧୪ ବଲ୍‍ରୁ ୪ଟି ଛକା ଓ ୧୫ଟି ଚୌକା ସହ ୧୩୭ ରନ୍‍କରି ଅପରାଜିତ ଥିଲେ। ରାହୁଲ ୯ ରନ୍‍କରି ଅପରାଜିତ ରହିଥିଲେ।
ଭାରତ ଟସ୍‍ ଜିତି ଫିଲ୍‍ଡିଂ ନେଇଥିଲା। ଇଂଲଣ୍ଡର ଓପ୍‍ନିଂ ଯୋଡ଼ି ଭାରତୀୟ ପେସ୍‍ ବୋଲରଙ୍କ ବିପକ୍ଷରେ ଚମତ୍କାର ବ୍ୟାଟିଂକରି ୧୦ ଓଭରରେ ବିନା ୱିକେଟରେ ୭୧ ରନ୍‍କରି ବଡ଼ ସ୍କୋର୍‍ର ମୂଳଦୁଆ ପକାଇଥିଲା। ତେବେ ପରବର୍ତ୍ତୀ ୩୨ ରନ୍‍ରେ ୪ଟି ୱିକେଟ ପଡ଼ି ଯାଇଥିଲା। କୁଲଦୀପ ଯାଦବ ବୋଲିଂ କରିବାକୁ ଆସିବା ମାତ୍ରେ ଜେସନ୍‍ ରୟଙ୍କୁ ଆଉଟ କରି ଦେଇଥିଲେ। ଏହି ଓପ୍‍ନର ୩୫ ବଲ୍‍ରୁ ୬ଟି ଚୌକା ସହ ୩୮ ରନ୍‍ କରିଥିଲେ। ପରେ ଜୋ ରୁଟ୍‍ ୩ ରନ୍‍କରି କୁଲଦୀପଙ୍କ ୨ୟ ଶିକାର ହୋଇଥିଲେ। ଜନି ବେୟାରଷ୍ଟୋ ସେଟ୍‍ ହୋଇ ଯାଇଥିଲେ ହେଁ ତାଙ୍କୁ ମଧ୍ୟ କୁଲଦୀପ ଆଉଟ କରି ଦେଇଥିଲେ। ବେୟାରଷ୍ଟୋ ୩୫ ବଲ୍‍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୮ ରନ୍‍ କରିଥିଲେ। ଅଧିନାୟକ ଇଓନ୍‍ ମୋର୍ଗାନ୍‍ ୨୦ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୯ ରନ୍‍ କରିଥିଲେ। ୧୦୫ ରନ୍‍ରେ ୪ଟି ୱିକେଟ ପଡ଼ିଯିବା ପରେ ବେନ୍‍ ଷ୍ଟୋକ୍‍ସ ଓ ଜୋସ୍‍ ବଟ୍‍ଲର ୫ମ ୱିକେଟ ପାଇଁ ୯୩ ରନ୍‍ ଯୋଡ଼ିଥିଲେ। ଫର୍ମରେ ଥିବା ବଟ୍‍ଲର ୫୧ ବଲ୍‍ରୁ ୫ଟି ଚୌକା ସହ ୫୩ ରନ୍‍ କରିଥିଲେ। ବାମହାତି ବେନ୍‍ ଷ୍ଟୋକ୍‍ସ ୧୦୩ ବଲ୍‍ରୁ ୨ଟି ଚୌକା ସହ ୫୦ ରନ୍‍ କରିଥିଲେ। ମୋଇନ୍‍ ଅଲୀ ୨୩ ବଲ୍‍ରୁ ୨୪ ଓ ଆଦିଲ ରସିଦ୍‍ ୧୬ ବଲ୍‍ରୁ ୨୨ ରନ୍‍ କରିଥିଲେ। କୁଲଦୀପ ୨୫ ରନ୍‍ଦେଇ ୬ଟି ୱିକେଟ ନେଇଥିଲେ। ଦିନିକିଆରେ ଏହା କୁଲଦୀପଙ୍କ ସର୍ବଶ୍ରେଷ୍ଠ ବୋଲିଂ। ଟ୍ୱେଣ୍ଟି୨୦ ସିରିଜ୍‍ରେ ମଧ୍ୟ ଇଂଲଣ୍ଡ ବିପକ୍ଷରେ କୁଲଦୀପ ତାଙ୍କ ଶ୍ରେଷ୍ଠ ଟି୨୦ ବୋଲିଂ (୫/୨୪) ଫିଗର ହାସଲ କରିଥିଲେ। ଉମେଶ ଯାଦବ ୨ଟି ୱିକେଟ ପାଇଥିଲେ।

Leave A Reply