୧୯୮୩ ବିଶ୍ବକପ୍‌ ବିଜୟ ପରେ ବିସିସିଆଇର ତ୍ରାଣକର୍ତ୍ତା ସାଜିଥିଲେ ଲତା

ନୂଆଦିଲ୍ଲୀ : ୧୯୮୩ରେ କପିଳ ଦେବ ଲର୍ଡସ ବାଲ୍‌କୋନିରେ କ୍ରିକେଟ୍‌ ବିଶ୍ବକପ୍‌ ତୋଳି ଧରିଥିବା ବେଳେ ସାରାଦେଶ ଉତ୍ସବମୁଖର ହୋଇଥିଲା। ହେଲେ ଏକମାତ୍ର ବ୍ୟକ୍ତି ଭାବେ ଚିନ୍ତାରେ ଥିଲେ ବିସିସିଆଇ ସଭାପତି ତଥା ଇନ୍ଦିରା ଗାନ୍ଧି କ୍ୟାବିନେଟ୍‌ର ପ୍ରଭାବଶାଳୀ ମନ୍ତ୍ରୀ ଏନ୍‌କେପି ସାଲ୍‌ଭେ। ସେତେବେଳେ ବହୁତ କଷ୍ଟରେ ଭାରତୀୟ ଖେଳାଳିଙ୍କୁ ୨୦ ଡଲାରର ଦୈନିକ ଭତ୍ତା ବିସିସିଆଇ ଯୋଗାଡ଼ କରି ପାରିଥିଲା। ହେଲେ ବିଶ୍ବବିଜୟୀ କପିଳ ଦେବଙ୍କ ଦଳକୁ ସମ୍ବର୍ଦ୍ଧନା ଦେବା ସହ ଖେଳାଳିଙ୍କୁ କିଛି ପୁରସ୍କାର ଦେବାକୁ ସାଲ୍‌ଭେ ଯୋଜନା କରିଥିଲେ। ହେଲେ ଏତେ ଅର୍ଥ ଦେବ କିଏ? ତେଣୁ କ୍ରିକେଟ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆର ମୁଖ୍ୟ ରାଜ ସିଂହ ଡୁଙ୍ଗରପୁରଙ୍କ ସାହାଯ୍ୟ ସାଲ୍‌ଭେ ଲୋଡ଼ିଥିଲେ।
ଡୁଙ୍ଗରପୁର ଯାଇଥିଲେ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପାଖକୁ। କାରଣ ଲତା ବହୁତ ବଡ଼ କ୍ରିକେଟ୍‌ପ୍ରେମୀ ଥିଲେ। ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ସମସ୍ତ ଟେଷ୍ଟମ୍ୟାଚ୍‌ ଦେଖିବାକୁ ଲତା ତାଙ୍କ ଭାଇ ହୃଦୟନାଥ ମଙ୍ଗେସକରଙ୍କ ସହ ଯାଉଥିଲେ। ଡୁଙ୍ଗରପୁରଙ୍କଠାରୁ ସବୁକଥା ଶୁଣି ବିଶ୍ବବିଜେତା ଭାରତୀୟ ଦଳର ସହାୟତା ପାଇଁ ରାଜି ହୋଇଥିଲେ ଲତା ମଙ୍ଗେସକର। ଦିଲ୍ଲୀର ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍‌ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ଲତା ପ୍ରାୟ ୨ ଘଣ୍ଟା ଧରି ଗୀତ ଗାଇଥିଲେ। ଷ୍ଟାଡିୟମ୍‌ ପଡ଼ିଆ ଓ ଗ୍ୟାଲେରୀ ଭରପୂର ଥିଲା। ଲତା ମଙ୍ଗେସକରଙ୍କୁ ପାଖରୁ ଦେଖିବା ଏବଂ ତାଙ୍କ ଗୀତ ଶୁଣିବା ପାଇଁ ସମସ୍ତ ଟିକଟ ବିକ୍ରି ହୋଇ ଯାଇଥିଲା। ଏହି କନ୍‌ସର୍ଟ ବା କାର୍ଯ୍ୟକ୍ରମରୁ ଏତିକି ଅର୍ଥ ଯୋଗାଡ଼ ହୋଇଥିଲା; ଯାହା ଭାରତୀୟ କ୍ରିକେଟରଙ୍କୁ ପୁରସ୍କୃତ କରିବାକୁ ଯଥେଷ୍ଟ ଥିଲା। କାର୍ଯ୍ୟକ୍ରମ ପରେ କପିଳ ଦେବଙ୍କ ଦଳକୁ ଲତା ମଞ୍ଚ ଉପରକୁ ଡାକିଥିଲେ ଏବଂ ଦେଶ ପାଇଁ ଗୌରବ ଆଣିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ କରିବା ପାଇଁ ଲତା ଟଙ୍କାଟିଏ ମଧ୍ୟ ନେଇନଥିଲେ। ଏହି କାର୍ଯ୍ୟକ୍ରମରୁ ଆଦାୟ ଅର୍ଥରେ ଭାରତୀୟ ଦଳର ସମସ୍ତ ଖେଳାଳିଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରା ଯାଇଥିଲା। ସେତେବେଳେ ୧ ଲକ୍ଷ ଟଙ୍କା ବହୁତ ଥିଲା। କାରଣ ମାସସାରା ଖେଳିବା ପାଇଁ ଦୈନିକ ଭତ୍ତା ଓ ପୁରସ୍କାର ରାଶିକୁ ମିଶାଇ ପ୍ରତି ଖେଳାଳି ମାତ୍ର ୬୦ ହଜାର ଟଙ୍କା ସଞ୍ଚୟ କରି ପାରିଥିଲେ। ଖେଳାଳି ଫେରିବା ପରେ କେହିକେହି ସେମାନଙ୍କୁ ୫ ହଜାର, ୧୦ ହଜାର ଟଙ୍କା ପୁରସ୍କାର ଦେବାକୁ କହିଥିଲେ। ପ୍ରଥମଥର ବିଶ୍ବବିଜେତା ହୋଇଥିବା ଦଳ ପାଇଁ ଏହା ଅପମାନଜନକ ଥିଲା। ଏହା ଅନୁଭବ କରି ଖେଳାଳିଙ୍କ ପାଇଁ ଗୀତ ଗାଇବାକୁ ଆଗେଇ ଆସିଥିଲେ ଲତା ମଙ୍ଗେସକର। ଏହିପରି ସେ ବିସିସିଆଇକୁ ଲଜ୍ଜାରୁ ବଞ୍ଚାଇ ପାରିଥିଲେ।

Comments are closed.