ଅବସରପ୍ରାପ୍ତ ଶିକ୍ଷକ ସଙ୍ଗଠନର ୧୮ତମ ବାର୍ଷିକ ଉତ୍ସବ

‘ଆମ ଗୁରୁକୁଳ’ ଉନ୍ମୋଚିତ

କେନ୍ଦୁଝରଗଡ଼ : ପଳାଶପଙ୍ଗାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରବିବାର ସଦର ବ୍ଲକ ଅବସରପ୍ରାପ୍ତ ଶିକ୍ଷକ ସଙ୍ଗଠନର ୧୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଜନାର୍ଦ୍ଦନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦୁଝର ଯାନ୍ତ୍ରୀକ ବିଦ୍ୟାଳୟର ପ୍ରତିଷ୍ଠାତା ଇଂ ବସନ୍ତ କୁମାର ଦାନୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷକ ମାନଙ୍କ ତ୍ୟାଗ, ନିଷ୍ଠା, ଶୃଙ୍ଖଳିତ ଓ ସଂସ୍କାରିତ ଶିକ୍ଷାଦାନ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ସୁନାଗରିକ ଗଢ଼ି ତୋଳିବାର ଯେଉଁ ଗୁରୁ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି ତାହା ବାସ୍ତବିକ ସୁସ୍ଥ ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ବୋଲି କହିଥିଲେ। ସନ୍ତୋଷୀ ମା’ ଆଞ୍ଚଳିକ ମହାବିଦ୍ୟାଳୟ ଝାରବେଲଦାର ଅଧ୍ୟାପିକା ସ୍ମୃତି ବାନାର୍ଜି ମୁଖ୍ୟବକ୍ତା ଭାବେ ଯୋଗଦେଇ ଦେଶ ଗଠନରେ ଶିକ୍ଷକମାନଙ୍କ ଭୂମିକା ବେଶ୍‌‌ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହାକୁ ବ୍ରତ ଭାବେ ପାଳନ କରି ଛାତ୍ରଛାତ୍ରୀଙ୍କୁ ଉତ୍ତମ ଚରିତ୍ରବାନ ଓ ଭଲ ମଣିଷ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ରଘୁନାଥ ସାହୁ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋଲକ ବିହାରୀ ଗିରି, ଅବସରପ୍ରାପ୍ତ ଶିକ୍ଷାଧିକାରୀ ଧରଣୀଧର ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ସଙ୍ଗଠନର ପଳାଶପଙ୍ଗାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ଆମ ଗୁରୁକୁଳ’କୁ ଅତିଥିଗଣ ଉନ୍ମୋଚିତ କରିଥିଲେ। ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷକ ପଦ୍ମଚରଣ ମହାନ୍ତି, ରାଜେନ୍ଦ୍ର ପ୍ରସାଦ ଅଗସ୍ତି, ବିଭୁତିଭୂଷଣ ମହାନ୍ତ, ବୈକୁଣ୍ଠନାଥ ମହାନ୍ତ, ବିଶ୍ୱନାଥ ମାଝୀ, ପଞ୍ଚାନନ ବାରିକ, ଶିକ୍ଷୟିତ୍ରୀ କୁମୁଦିନୀ କର, ମଞ୍ଜୁଲତା ନାୟକ ପ୍ରମୁଖଙ୍କୁ ପୁଷ୍ପଗୁଛ, ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିିତ କରାଯାଇଥିଲା। କବି ମଣିନାଥ ଆରୁକଙ୍କୁ ‘ସନ୍ଥଭୂମି’ ସମ୍ମାନରେ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିିତ କରା ଯାଇଥିଲା। ସେହିଭଳି ୨୦୨୩ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡରେ ସଫଳତାର ସହ ପାସ୍‌‌ କରିଥିବା ଛାତ୍ରୀ ଅନ୍ୱେଷା ରାଉତ, ଶସ୍ମିତା ମହାରଣା, ବିଭୁତିଭୂଷଣ ବାରିକ, କଳିଙ୍ଗ କୁମାର ସାହୁ, ଦିପ୍ତୀମଞ୍ଜରୀ ନାଏକଙ୍କୁ ସଙ୍ଗଠନ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ବେଣୁଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବ ପ୍ରାରମ୍ଭରେ କାର୍ଯ୍ୟକାରୀ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅବସରପ୍ରାପ୍ତ ଅଧ୍ୟାପକ ରମାକାନ୍ତ ପ୍ରଧାନ ବିବରଣୀ ପାଠ କରିଥିଲେ। ସଙ୍ଗଠନ ସମ୍ପାଦକ ବିଧ୍ୟାଧର ପ୍ରଧାନ ସଙ୍ଗଠନକୁ ଆଗେଇ ନେବାକୁ ସମସ୍ତ ସଦସ୍ୟ ସଦସ୍ୟାଙ୍କ ସହଯୋଗ ଲୋଡିଥିଲେ। ସଙ୍ଗଠନର ଉପଦେଷ୍ଟା ଶୁକଦେବ ମହାନ୍ତ, କବି ଭୀମସେନ ମହାନ୍ତ, ସମାଜସେବୀ କରୁଣାକର ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ବୀରବର ପ୍ରଧାନ, ଶରତ ଚନ୍ଦ୍ର ମହାନ୍ତ, ଠାକୁର ଚରଣ ମହାନ୍ତ, କ୍ଷମାନନ୍ଦ ମହାନ୍ତ ପ୍ରମୁଖ ଯୋଗଦେଇ ନିଜ ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଶେଷରେ ସଙ୍ଗଠନର କାର୍ଯ୍ୟକାରୀ ସଦସ୍ୟ ରମାକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.