ଆସାମରେ ଆତ୍ମ ସମର୍ପଣ କଲେ ୧୬୧୫ ବିଦ୍ରୋହୀ

ଆସାମ: ଆସାମରେ ଏନ୍‍ଡିଏଫ୍‍ବିର ସମସ୍ତ ୪ଟିଯାକ ଗୋଷ୍ଠୀର ୧୬୧୫ଜଣ ସଦସ୍ୟ ଗୁରୁବାର ଗୌହାଟୀଠାରେ ଅସ୍ତ୍ରଶସ୍ତ୍ର ସହ ଆତ୍ମ ସମର୍ପଣ କରିଛନ୍ତି। ସେମାନେ ମଧ୍ୟ ୧୭୮ଟି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରଣ ସାମଗ୍ରୀ ପୁଲିସ ନିକଟରେ ଜମା କରିଛନ୍ତି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୁୱାଲ ଓ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ। ପୂର୍ବରୁ ଏନ୍‍.ଡି.ଏଫ୍‍.ବି କେନ୍ଦ୍ର ସରକାର ଓ ଆସାମ ସରକାରଙ୍କ ସହ ନୂଆଦିଲ୍ଲୀରେ ଏକ ତ୍ରିପକ୍ଷୀୟ ଶାନ୍ତି ରାଜିନାମା ସ୍ୱାକ୍ଷର କରିଥିଲା। ଏହି ରାଜିନାମା ଅନୁସାରେ ଆସନ୍ତା ୩ ବର୍ଷ ଭିତରେ ବୋଡୋଲ୍ୟାଣ୍ଡ ଅଞ୍ଚଳର ବିକାଶ ପାଇଁ ୧୫ଶହ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ସମ୍ପ୍ରତି ସ୍ୱାକ୍ଷରିତ ହୋଇଥିବା ରାଜିନାମାଟି ବିଗତ ୨୭ବର୍ଷ ମଧ୍ୟରେ ତୃତୀୟ ବୋଡୋ ରାଜିନାମା। ସ୍ୱତନ୍ତ୍ର ବୋଡୋଲ୍ୟାଣ୍ଡ ଗଠନ ଦାବିରେ ୨୭ବର୍ଷ ଧରି ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ଯୋଗୁଁ ଶହଶହ ଲୋକଙ୍କର ଜୀବନହାନି ଘଟିଛି।

ପ୍ରଥମ ବୋଡୋ ଚୁକ୍ତି ଅଲ୍‍ ବୋଡୋ ଷ୍ଟୁଡେଣ୍ଟ୍‍ସ ୟୁନିୟନ ଓ ବୋଡୋ ପିପୁଲ୍ସ ଆକ୍ସନ କମିଟି ସହ ୧୯୯୩ ମସିହାରେ ସ୍ୱାକ୍ଷରିତ ହୋଇଥିଲା। ଏହାପରେ ୨୦୦୩ ମସିହାରେ ଦ୍ୱିତୀୟ ବୋଡୋ ରାଜିନାମା ବୋଡୋ ଲିବୋରେସନ ଟାଇଗର୍ସ ସହ ସ୍ୱାକ୍ଷରିତ ହେବା ପରେ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ କାଉନ୍‍ସିଲ ଗଠନ ହୋଇଥିଲା। ଏହି କାଉନ୍‍ସିଲ ରାଜ୍ୟର ୪ଟି ଜିଲ୍ଲାକୁ ନେଇ ଗଠନ କରାଯାଇଥିଲା। ଆସାମ ସରକାର କହିଛନ୍ତି ଏହି ନୂଆ ରାଜିନାମା ବୋଡୋ ଟେରିଟୋରିଆଲ କାଉନ୍‍ସିଲ ଅଞ୍ଚଳରେ ବସବାସ କରୁଥିବା ଅଣ ବୋଡୋ ସମ୍ପ୍ରଦାୟର ଲୋକମାନଙ୍କର ସ୍ୱାର୍ଥ ପ୍ରତି କୌଣସି ଆଞ୍ଚ ଆଣିବ ନାହିଁ।

Comments are closed.