ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଭିଭିଆଇପି ଅଞ୍ଚଳ ଚାଣକ୍ୟପୁରୀରେ ମହିଳା କଂଗ୍ରେସ ସାଂସଦଙ୍କ ଚେନ୍ ଛିନତାଇ ଘଟଣାର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୁଲିସ । ୧୫୦୦ରୁ ଅଧିକ ସିସିଟିଭି ଯାଞ୍ଚ କରିବା ଏବଂ ୨୦୦ରୁ ଅଧିକ ସନ୍ଦିଗ୍ଧଙ୍କୁ ପୁଚରାଉଚରା କରିବା ପରେ ଶେଷରେ ଦିଲ୍ଲୀ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ପୁଲିସ ଅଭିଯୁକ୍ତଙ୍କଠାରୁ ସୁନା ଚେନ୍, ଘଟଣା ସମୟରେ ପିନ୍ଧିଥିବା ପୋଷାକ ଏବଂ ଛିନତାଇରେ ବ୍ୟବହୃତ ସ୍କୁଟି ମଧ୍ୟ ଜବତ କରିଛି ।
ସୋମବାର ସକାଳେ ସାଂସଦଙ୍କଠାରୁ ଚେନ୍ ଲୁଟି ନେଇଥିଲେ ଦୁର୍ବୃତ୍ତ । ତାମିଲନାଡୁ କଂଗ୍ରେସ ସାଂସଦ ଆର.ସୁଧା ଚାଣକ୍ୟପୁରୀରେ ଥିବା ବାସଭବନ ନିକଟରେ ପ୍ରାତଃ ଭ୍ରମଣ ପାଇଁ ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ଜଣେ ଅଜଣା ଯୁବକ ବାଇକରେ ଆସି ତାଙ୍କ ସୁନା ଚେନ୍ ଲୁଟି ଚମ୍ପଟ ମାରିଥିଲେ । ଏହି ସମୟରେ ସେମାନଙ୍କ ସାଂସଦ ସାମାନ୍ୟ ଆହତ ହୋଇଥିଲେ । ଘଟଣାକୁ ଗମ୍ଭୀରତା ସହ ନେଇ ପୁଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଦିଲ୍ଲୀ ପୁଲିସ ଏବଂ ସ୍ପେଶାଲ୍ ଷ୍ଟାଫ୍ଙ୍କ ୨୪ଟି ଦଳକୁ ତଦନ୍ତ ପାଇଁ ନିୟୋଜିତ କରାଯାଇଥିଲା । ତଦନ୍ତକାରୀ ଟିମ୍ ୧୫ଶହରୁ ଅଧିକ ସିସିଟିଭି ଯାଞ୍ଚ କରିଥିଲା । ତେବେ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ଦିଲ୍ଲୀର ଓଖଲା ଅଞ୍ଚଳର ହୋଇଥିବା ଜଣାପଡିଛି ।



