ଆଠଗଡ : ଆଠଗଡରେ ବିଶେଷକରି ଗ୍ରାମାଞ୍ଚଳରେ କରୋନା କରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଏବେ ଗାଁ ଗାଁରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗ୍ରାମାଞ୍ଚଳରେ ଲୋକମାନେ ସତର୍କ ଓ ସଚେତନ ହେଉନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି। ବିଗତ ୨ ତାରିଖରୁ ଆଜି ମଧ୍ୟରେ ୧୪ଟି ଗାଁକୁ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣ କରାଯାଇ ସାରିଲାଣି। ଶନିବାର ରାଧାକୃଷ୍ଣପୁର (ମୁଶୁଳିଆ) ଓ ଧୁରୁଷିଆ ପଞ୍ଚାୟତର ଗଜାମ୍ବ ଗ୍ରାମରେ ଗତ ୧୦ଦିନ ମଧ୍ୟରେ ଯଥାକ୍ରମେ ୨୨ ଓ ୧୨ଜଣ କରୋନା ସଂକ୍ରମିତ ବାହାରିଥିବାରୁ ଶନିବାର ସଂପୃକ୍ତ ୨ ଗ୍ରାମକୁ ଆଂଶିକ ଆବଦ୍ଧାଞ୍ଚଳ ଘୋଷଣା କରିଛନ୍ତି ଆଠଗଡ ଉପଜିଲ୍ଲାପାଳ।

ପୂର୍ବରୁ ୧୧ଟି ଗ୍ରାମ ଯଥା ବେଣ୍ଟପଦା, ରାଧାକିଶୋରପୁର, ଖୁଣ୍ଟୁଣୀ, ରାଧାଗୋବିନ୍ଦପୁର, ସଠିଲୋ, କୁଲାଇଲୋ, ଖମାରନୂଆଗାଁ, ଗୋବରା, ଭୋଗରା, ଡାଳୁଆ, କଣ୍ଟରେଇ ଗ୍ରାମକୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା। ଆଜି ଘୋଷଣା କରାଯାଇଥିବା ସଂପୃକ୍ତ ୨ ଗ୍ରାମର ସମସ୍ତ ପ୍ରବେଶ ପଥକୁ ବାଉଁଶ ବାଡରେ ଆବଦ୍ଧ କରାଯାଇଥିବାବେଳେ ଆସନ୍ତାକାଲିଠାରେ ବ୍ରହ୍ମପୁର ସିଏଚସି ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ମାଧ୍ୟମରେ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର କୋଭିଡ ପରୀକ୍ଷା କରାଇବା ପାଇଁ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି।



