କବି ଶଶିଭୂଷଣ ମହାପାତ୍ରଙ୍କ ଦ୍ବାଦଶ ଶ୍ରାଦ୍ଧ ବାର୍ଷିକୀ
ଯାଜପୁର : ବିଶିଷ୍ଟ ସାରସ୍ବତ ସାଧକ କବି ଶଶିଭୂଷଣ ମହାପାତ୍ରଙ୍କ ଦ୍ବାଦଶ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । କବିଙ୍କ ଜନ୍ମଭୂମି ଯାଜପୁର ଜିଲ୍ଲାର ବନ୍ତଳା ଗ୍ରାମରେ ଅନୁଷ୍ଠିତ ତାଙ୍କର ଦ୍ବାଦଶ ବାର୍ଷିକ ଶ୍ରାଦ୍ଧ ଉତ୍ସବରେ ପରିଜନଙ୍କ ସହିତ ବହୁ କବି ସାହିତ୍ୟିକମାନଙ୍କ ସମାଗମ ହୋଇଥିଲା । ପବିତ୍ର ହେରା ପଞ୍ଚମୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବିଙ୍କ ସାହିତ୍ୟ ଆଲୋଚନା କରିବା ସହିତ କବିଙ୍କ ପ୍ରତିମୂର୍ତ୍ତିରେ ସମସ୍ତେ ମାଲ୍ୟାପୁଷ୍ପ ଅର୍ପଣ କରିଥିଲେ।
ସଂକ୍ଷିପ୍ତ ପରିଚୟ- କବି ଶଶିଭୂଷଣ ମହାପାତ୍ର
କବି ଶଶିଭୂଷଣ ମହାପାତ୍ର ଯାଜପୁର ଜିଲ୍ଲାର ବଡଚଣା ଅନ୍ତର୍ଗତ ବନ୍ତଳା ଗ୍ରାମରେ ୧୯୨୧ ମସିହାରେ ଏକ କୁଳିନ ବ୍ରାହ୍ମଣ ପରିବାରରେ ଜନ୍ମଲାଭ କରିଥିଲେ। ଧର୍ମପ୍ରାଣ ନୈଷ୍ଠିକ ବ୍ରାହ୍ମଣ ଲକ୍ଷ୍ମୀଧର ମହାପାତ୍ରଙ୍କର ଶଶିଭୂଷଣ ଥିଲେ ଏକମାତ୍ର ସନ୍ତାନ।ବାଲ୍ୟକାଳରେ ମାଆ ଚାନ୍ଦଦେବୀଙ୍କୁ ହରାଇଥିବା ଶଶିଭୂଷଣଙ୍କର ପ୍ରକୃତ ନାମ ଗୟାଧର। ମାଆ ଚାନ୍ଦଦେବୀ ଗୟାଧରକୁ ଜନ୍ମଦେଇ ଦୃଷ୍ଟି ଶକ୍ତି ହରାଇ ନିଜ ଭାଉଜଙ୍କୁ ତାର ଲାଳନପାଳନ ଭାର ଅର୍ପଣ କରିଥିଲେ।କିଛି ଦିନ ପରେ ସେ ମଧ୍ୟ ସବୁଦିନ ପାଇଁ ଆଖି ବୁଜିଲେ। ବାଲ୍ୟକାଳରୁ ମାତୃହରା ହୋଇ ଗୟାଧର ନିଜ ମାମୁଁ ଦିବାକର ପାଣିଗ୍ରାହୀ ଓ ମାଇଁ ସତୀଦେବୀଙ୍କ ତତ୍ବାବଧାନରେ ବଡ଼ ହୋଇଥିଲେ। ତାଙ୍କର କାନ ଦୁଇଟା ଦେଖିବାକୁ ଠିକ୍ ଠେକୁଆ(ଶଶା)ର କାନପରି ଥିଲା। ସେଥିପାଇଁ ମାଇଁ ଶ୍ରଦ୍ଧାରେ ଡାକିଲେ ଶଶା। ଏଇ ଶଶା ଶ୍ରଦ୍ଧାନାମରୁ ପରବର୍ତ୍ତୀ ସମୟରେ ସେ ଶଶିଭୂଷଣ ଭାବେ ପରିଚିତ ହେଲେ। ପରେ କବି ଶଶିଭୂଷଣ ମହାପାତ୍ର ଭାବରେ ତାଙ୍କୁ ସମାଜରେ ମିଳିଲା ସ୍ବତନ୍ତ୍ର ପରିଚୟ। ଜୀବନରେ ନାନା ଉତ୍ଥାନ ପତ୍ତନ ଭିତରେ ତାଙ୍କ ଲେଖନୀରୁ ସୃଷ୍ଟି ହୋଇଛି ଅଜସ୍ର ସାହିତ୍ୟ ବିଭବ। ତତ୍କାଳୀନ ପେଷାଦାର ନାଟ୍ୟସଂସ୍ଥା ଶଶିଭୂଷଣ ମହାପାତ୍ରଙ୍କ ବହୁ ନାଟକ ମଞ୍ଚସ୍ଥ କରି ଦର୍ଶକ ମାନଙ୍କ ମହଲରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସେଇ ନାଟକ ଗୁଡିକ ମଧ୍ୟରୁ ମାଣିକ ଫରୁଆ, ଟିକିଏ ଭୂଲ୍, କଳାପାହାଡ, ଛତ୍ରପତି ଶିବାଜୀ, ଗୋଟିଏ ପୁଅ କାହାର, ରାଜା ମୁକୁନ୍ଦଦେବ ଆଦି ଆଜି ମଧ୍ୟ ଦର୍ଶକମାନଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛି। ପୁଣି ତାଙ୍କ ଲେଖନୀରୁ କେତେ ବେଳେ ଝରି ପଡିଛି ଅନେକ କାବ୍ୟ କବିତା। ରାମ ଲୀଳା, ଗୀତିନାଟ୍ୟ, ପାଲା, ଦାସକାଠିଆ, ଘୋଡାନାଚ ମାଧ୍ୟମରେ ଆଜି ବି ଜୀଇଁ ରହିଛି ତାଙ୍କର ଅଜସ୍ର କୃତି। ଜଗତସିଂହପୁର ଜିଲ୍ଲାର ଆରାଧ୍ୟା ଠାକୁରାଣୀ ମାଆ ଶାରଳା ହେଉଛନ୍ତି କବି ଶଶିଭୂଷଣଙ୍କର ବରଦାତ୍ରୀଦେବୀ। ଏକୋଇଶି ଦିନ ଧରି ନ ଖାଇ ନ ପିଇ ସେ ମାଆ ଶାରଳାଙ୍କ ପାଖରେ ବରେହୀ ପଡିଥିଲେ। ମନୋବାଞ୍ଛା ଥିଲା ପାଲା ଗାୟକ ହେବାକୁ, କିନ୍ତୁ ମାଆ କୃପାର ସିନ୍ଧୁରେ ବୁଡାଇଦେଲେ ଶଶିଭୂଷଣଙ୍କୁ। ବରେହୀ ପଡିବାର ଏକବିଂଶ ଦିବସରେ ବଡପଣ୍ଡାଙ୍କୁ ହେଲା ସ୍ବପ୍ନାଦେଶ –‘ଯାଜପୁରିଆ ଦକ୍ଷିଣ ଦ୍ବାରରେ ଅଛି। ତାକୁ ଖାତା କଲମ ଦେ। ତାକୁ କହ ସେ ଲେଖିବ ,ଗାଇ ପାରିବ ନାହିଁ ।’ ସେଇ ଖାତାରୁ ଶଶିଭୂଷଣ ମହାପାତ୍ରଙ୍କ ଲେଖା ଲେଖି ଜୀବନ ଆରମ୍ଭ ହୁଏ। ଶେଷ ଜୀବନ ପର୍ୟ୍ୟନ୍ତ ସେ ଲେଖନୀ ଚାଳନା କରି ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି। ଆଜି ମଧ୍ୟ ତାଙ୍କ ଲେଖନୀରୁ ସୃଷ୍ଟି ହୋଇଥିବା ଅଜସ୍ର କୃତି ଏ ଜାତିର ସୁଯୋଗ୍ୟ ପାଠକ ଓ ଗବେଷକଙ୍କ ଅପେକ୍ଷାରେ। ଓଡିଶାର ଏଇ ଯୋଗ୍ୟତମ ସାରସ୍ବତ ସାଧକଙ୍କ ପ୍ରତି ସରକାରଙ୍କ ଦୃଷ୍ଟି କ୍ଷୀଣତେଜ ପରି ମନେ ହୁଏ।
ଓଡ଼ିଶା ମାଟିର ଏଇ ମହାନ୍ ସାରସ୍ବତ ସାଧକ ୨୦୦୭ ମସିହା ଜୁଲାଇ ମାସ ୧୯ ତାରିଖ ପବିତ୍ର ହେରାପଞ୍ଚମୀ ଦିନ ଇହଲୀଳା ସମ୍ବରଣ କରିଥିଲେ।
Comments are closed.