୧୨୧ ଆଦିବାସୀ ୫ବର୍ଷ ପରେ ମୁକ୍ତ

ମାଓବାଦୀ ସମର୍ଥକ ଅଭିଯୋଗରେ ରାତିଅଧିଆ ଗିରଫ ହୋଇଥିଲେ, ଏନ୍‌ଆଇଏ ଦେଇପାରିଲାନି ପ୍ରମାଣ ; ସମସ୍ତେ ନିର୍ଦୋଷ

ରାୟପୁର : ସିଆରପିଏଫ୍‌ର ୨୬ ଯବାନଙ୍କୁ ହତ୍ୟା ପାଇଁ ମାଓବାଦୀଙ୍କୁ ସହାୟତା ଅଭିଯୋଗରେ ଛତିଶଗଡ଼ ଅନ୍ତର୍ଗତ ସୁକ୍‌ମା ଜିଲାର ୧୨୧ ଆଦିବାସୀଙ୍କୁ ଗିରଫ କରି ୫ବର୍ଷ ଜେଲ୍‌ରେ ରଖିବା ପରେ ନିର୍ଦୋଷରେ ଖଲାସ କରିଛି ଏନ୍ଆଇଏ ଅଦାଲତ। ଦେଶର ସବୁଠୁ ମହତ୍ତ୍ବପୂର୍ଣ୍ଣ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ଏହି ଆଦିବାସୀଙ୍କ ବିରୋଧରେ କୌଣସି ପ୍ରମାଣ ସଂଗ୍ରହ କରିବାରେ ବିଫଳ ହୋଇଥିବା ମତ ଦେଇଛନ୍ତି ଏନ୍‌ଆଇଏ ଅଦାଲତର ବିଚାରପତି ଦୀପକ କୁମାର ଦେଶଲାହାଡ଼େ। ଏନ୍‌ଆଇଏ ଅଭିଯୁକ୍ତଙ୍କୁ ଗିରଫ କଲାବେଳେ ସେମାନଙ୍କଠାରୁ ଗୋଟିଏ ହେଲେ ଅସ୍ତ୍ର ଜବତ କରିପାରି ନ ଥିଲା। ଯବାନଙ୍କ ଉପରେ ମାଓବାଦୀମାନେ ଆକ୍ରମଣ କରିବା ସମୟରେ ମଧ୍ୟ ସେମାନେ ଘଟଣାସ୍ଥଳରେ ଉପସ୍ଥିତ ନ ଥିଲେ। ଏହାସତ୍ତ୍ବେ ଏନ୍‌ଆଇଏ କିପରି ସେମାନଙ୍କୁ ଗିରଫ କରିଥିଲା ବୋଲି ବିଚାରପତି କହିଛନ୍ତି ।
୨୦୧୭ ଏପ୍ରିଲ ୨୪ରେ ମାଓବାଦୀମାନେ ବସ୍ତର ନିକଟ ବୁର୍କାପଲ ଓ ଜଗରଗୁଣ୍ଡା ଗ୍ରାମରେ ସିଆରପିଏଫ୍‌ ଯବାନଙ୍କୁ ଘେରିଯାଇ ମରଣାନ୍ତକ ଆକ୍ରମଣ କରିଥିଲେ। ସେମାନଙ୍କ ଦୁଇ ପର୍ଯ୍ୟାୟ ଆକ୍ରମଣରେ ଯଥାକ୍ରମେ ୧୧ ଓ ୧୫ଜଣ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣରେ ୩୦୦ ମାଓବାଦୀ ସମ୍ପୃକ୍ତ ଥିବା କୁହାଯାଇଥିଲା। ଘଟଣାର ତଦନ୍ତ ଭାର ଏନ୍‌ଆଇଏକୁ ପ୍ରଦାନ କରାଯାଇଥିଲା। ମାଓବାଦୀଙ୍କୁ ସହାୟତା ଅଭିଯୋଗରେ ଆଖପାଖ ୬ଟି ଗାଁ ବୁର୍କାପଲ, ଗୋଣ୍ତଡାପାଲି, ଚିନ୍ତାଗୁଫା, ତାଲ୍‌ମେତଲା, କୋରାଇଗୁଣ୍ଡୁମ୍‌ ଓ ତୋଙ୍ଗୁଡ଼ାର ୧୨୧ ଆଦିବାସୀଙ୍କୁ ଏନ୍‌ଆଇଏ ତଥା ପୁଲିସ ରାତି ଅଧରେ ଶୋଇଥିବାବେଳେ ଉଠାଇ ନେଇ ଗିରଫ କରିଥିଲା। ଏହି ଆଦିବାସୀମାନଙ୍କ ବୟସ ୨୦ରୁ ୩୦ ମଧ୍ୟରେ ଥିଲାବେଳେ ୭ ଜଣ ନାବାଳକ ଥିଲେ। ସେମାନଙ୍କ ବିରୋଧରେ କଠୋର ‘ୟୁଏପିଏ’ ଆଧାରରେ ବିଭିନ୍ନ ଦଫା ଲଗାଯାଇଥିଲା। ଅଭିଯୁକ୍ତମାନେ ୪ବର୍ଷ କାରାଗାରରେ ରହିବା ପରେ ୨୦୨୧ରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଆକ୍ରମଣରେ ଆହତ ୭ ଯବାନଙ୍କୁ ମାମଲାରେ ସାକ୍ଷୀ କରାଯାଇ ନ ଥିଲାବେଳେ ଅଦାଲତ ଦୁଇ ଡଜନରୁ ଅଧିକ ସାକ୍ଷୀଙ୍କ ବୟାନ ସଂଗ୍ରହ କରିଥିଲା; କିନ୍ତୁ ସେଥିରୁ ଗୋଟିଏ ହେଲେ ଆଦିବାସୀଙ୍କ ବିରୋଧରେ ଯାଇ ନ ଥିଲା। ୨୦୧୦ରେ ଏହି ଅଞ୍ଚଳରେ ମାଓବାଦୀମାନେ ୭୬ ଯବାନଙ୍କୁ ହତ୍ୟା କରିଥିବାରୁ ସ୍ବାଭାବିକ ଭାବେ ପୁଲିସ ଉକ୍ତ ଆଦିବାସୀଙ୍କ ଉପରେ ସନ୍ଦିଗ୍ଧ ଦର୍ଶାଇଥିଲା। ଏବେ ପୁଲିସ ଅଦାଲତ ରାୟର ତର୍ଜମା କରିବ ଏବଂ ଆବଶ୍ୟକ ହେଲେ ହାଇକୋର୍ଟକୁ ଯିବ ବୋଲି କହିଛି।
କାରାଗାରରେ ରହିବା ମଧ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟମାନେ ଜୀବିକା ହରାଇଛନ୍ତି ଏବଂ ସାମାଜିକ ସଙ୍କଟ ମଧ୍ୟରେ ପେଷି ହୋଇଯାଇଛନ୍ତି। ରବିବାର ସେମାନେ ମୁକ୍ତି ପାଇଲାବେଳକୁ କାହାରି ମନରେ ସ୍ପୃହା ନ ଥିବା ଲକ୍ଷ୍ୟ କରାଯାଇଛି। ପାଞ୍ଚ ବର୍ଷ କାରାଗାରରେ ରହିବା ପରେ ସେମାନେ ପଥର ପାଲଟି ଯାଇଥିବାବେଳେ ଭବିଷ୍ୟତ ନେଇ ସନ୍ଦିହାନ ବୋଲି କହିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଆକ୍ରମଣ ସମୟରେ ଗାଁରେ କିମ୍ବା ଘଟଣାସ୍ଥଳରେ ନ ଥିଲେ ବୋଲି କହିଛନ୍ତି। ଜଣଙ୍କ କହିବାନୁସାରେ, ବିବାହର ସପ୍ତାହେ ନ ପୂରୁଣୁ ତାଙ୍କୁ ଗିରଫ କରାଯାଇଥିଲା। ସେ ପତ୍ନୀଙ୍କୁ ଠିକ୍‌ ଭାବେ ଦେଖିବାର ସୁଯୋଗ ମଧ୍ୟ ପାଇ ନାହାନ୍ତି। ଅପରପକ୍ଷରେ ମାନବାଧିକାରୀ କର୍ମୀମାନେ ଏନ୍‌ଆଇଏ ଓ ଛତିଶଗଡ଼ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

kalyan agarbati

Comments are closed.