ଓଡ଼ିଶାବାସୀଙ୍କ ସ୍ୱର ‘ସମାଜ’
୧୦୧ ପୂର୍ତ୍ତି ଉତ୍ସବ ନିରାଡ଼ମ୍ବର ଭାବେ ପାଳିତ

କଟକ : କୋଭିଡ-୧୯ କଟକଣା ମଧ୍ୟରେ ‘ସମାଜ’ର ୧୦୧ ବର୍ଷ ପୂର୍ତ୍ତି ଉତ୍ସବ କର୍ମଚାରୀଙ୍କ ଗହଣରେ ପାଳନ କରାଯାଇଛି। ଲୋକସେବକ ମଣ୍ଡଳ ଓ ‘ସମାଜ’ ପରିବାର ପକ୍ଷରୁ ରବିବାର ସନ୍ଧ୍ୟାରେ ଗୋପବନ୍ଧୁ ଭବନରେ ଆୟୋଜିତ ଏହି ନିରାଡମ୍ବର ଉତ୍ସବରେ ଅଧ୍ୟକ୍ଷତା କରି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ କହିଲେ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନିଷ୍ଠା, ତ୍ୟାଗ ଓ ବଳିଦାନ ଯୋଗୁଁ ‘ସମାଜ’ ଆଜି ଏକ ମହାଦ୍ରୁମରେ ପରିଣତ ହୋଇଛି। ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ‘ସମାଜ’ ସବୁବେଳେ ଲଢେଇ ଜାରିରଖିଛି ଏବଂ ଆଗାମୀ ଦିନରେ ଏହି ଧାରା ବଜାୟ ରଖିବ ବୋଲି ସେ କହିଥିଲେ। ପୁଣ୍ୟାତ୍ମା ଗୋପବନ୍ଧୁ କେବଳ ଓଡ଼ିଶା କାହିଁକି ସମଗ୍ର ଦେଶର ଏକ ବିରଳ ବ୍ୟକ୍ତିତ୍ୱ। ତାଙ୍କର କୃତି ଓ କୀର୍ତ୍ତି ସମ୍ପର୍କରେ ଯୁବପିଢି ଅନୁପ୍ରାଣିତ ହେଲେ ଏକ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।
‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତକୁମାର ମହାନ୍ତି କହିଲେ, ଯେଉଁ ମହାପୁରୁଷମାନଙ୍କ ତ୍ୟାଗରେ ‘ସମାଜ’ ଆଜି ୧୦୦ ବର୍ଷ ଅତିକ୍ରମ କରିଛି, ସେହି ଅନୁଷ୍ଠାନକୁ ଆଗକୁ ବଢାଇ ନେବା ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି। ‘ସମାଜ’ ଅନୁଷ୍ଠାନ କୌଣସି ପୁଞ୍ଜିପତି, ଶିଳ୍ପପତି କିମ୍ବା ବ୍ୟକ୍ତିର ନୁହେଁ, ଏହା ଓଡ଼ିଶାବାସୀଙ୍କର। ରାଜ୍ୟବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ଯୋଗୁଁ ‘ସମାଜ’ ଆଜି ୧୦୦ ବର୍ଷ ଅତିକ୍ରାନ୍ତ କରିପାରିଛି। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଦେଶରେ ଯେଉଁ କେତେକ ଖବରକାଗଜ ଆତ୍ମପ୍ରକାଶ କରିଥିଲା, ସେମାନଙ୍କ ମଧ୍ୟରୁ ୧୦୦ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାରେ ‘ସମାଜ’ ଅନ୍ୟତମ। ସାମ୍ପ୍ରତିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରିସ୍ଥିତିରେ ଆମକୁ ଅଧିକ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟକରିବାକୁ ପଡ଼ିବ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ।
‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ସ୍ୱାଗତ ଭାଷଣ ଦେଇ କହିଲେ କୋଭିଡ ପରି ମହାମାରୀ ସମୟରେ ‘ସମାଜ’ ତା’ର ସାମାଜିକ ଦାୟିତ୍ୱବୋଧରୁ ଦୂରେଇ ଯାଇନାହିଁ। କରୋନା ବିପତ୍ତି ସମୟରେ ରାଜ୍ୟବାସୀଙ୍କ ନିକଟରେ ଖବର ପହଞ୍ଚାଇବା ଏବଂ ଲୋକଙ୍କ ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚାଇବା ଦାୟିତ୍ୱ ‘ସମାଜ’ ନିରବଚ୍ଛିନ୍ନ ଭାବେ ତୁଲାଇଥିବା ସେ କହିଥିଲେ। ‘ସମାଜ’ ରିଲିଫ ସଂଗଠନର ସମ୍ପାଦକ ଡଃ ପ୍ରଭାସ ଆଚାର୍ଯ୍ୟ ଗୋପବନ୍ଧୁଙ୍କ ହାତ ଗଢା ଅନୁଷ୍ଠାନ ‘ସମାଜ’ ଲୋକଙ୍କ ଆଶା ଓ ବିଶ୍ୱାସର ପ୍ରତୀକ ପାଲଟିଛି। ‘ସମାଜ’ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ପ୍ରତିଷ୍ଠାତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟକଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ। ଏହି ଅବସରରେ ପ୍ରତିବର୍ଷ ପରି ଚଳିତବର୍ଷ ‘ସମାଜ’ର ବାର୍ଷିକ ପ୍ରସଙ୍ଗ ‘କୋଭିଡ ଯୋଦ୍ଧାଙ୍କୁ ସମ୍ମାନ’ ଗୋପବନ୍ଧୁଙ୍କ କର୍ତ୍ତବ୍ୟବୋଧିନୀ ସମ୍ମାନ ରଖାଯାଇଛି। ପରବର୍ତ୍ତୀ ସମୟରେ ଜିଲା ସ୍ତରରେ କରୋନା ମହାମାରୀ ସମୟରେ ସେବା ଯୋଗାଇ ଦେଇଥିବା କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ।

ଏହି ଅବସରରେ ‘ସମାଜ’ର ଶ୍ରେଷ୍ଠ ୧୦ଜଣ ସମ୍ବାଦଦାତା, ୧୦ ଜଣ ପ୍ରସାରଣ ଏଜେନ୍ସି ଓ ୧୦ ଜଣ ବିଜ୍ଞାପନ ଏଜେନ୍ସିଙ୍କୁ ପୁରସ୍କୃତ କରିବା ପାଇଁ ଘୋଷଣା କରାଯାଇଥିଲା। ସଭା ପ୍ରାରମ୍ଭରେ କରୋନାରେ ପ୍ରାଣ ହରାଇଥିବା ‘ସମାଜ’ର ହିଞ୍ଜିଳି ସମ୍ବାଦଦାତା ପ୍ରିୟଦର୍ଶୀ ପଟ୍ଟନାୟକ, ନିଳୟ ରଞ୍ଜନ ପଟ୍ଟନାୟକ ଓ ଭୁବନେଶ୍ବର ‘ସମାଜ’ ଏଜେଣ୍ଟ ଅକ୍ଷୟ କୁମାର ନାୟକଙ୍କ ବିୟୋଗରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ‘ସମାଜ’ର ବରିଷ୍ଠ ଆଇଟି ପରିଚାଳକ ପ୍ରଦୀପ ବେହେରା, ବିତ୍ତ ପରିଚାଳକ ପ୍ରଭାତ ଦାସ, ଓଏସଡି ମଳୟ ଦେ, ବିଜ୍ଞାପନ ପରିଚାଳକ ସଞ୍ଜୟ ମିଶ୍ର, ଉତ୍ପାଦନ ପରିଚାଳକ ନିତ୍ୟାନନ୍ଦ ଦାସ, ସହକାରୀ ପ୍ରସାର ପରିଚାଳକ ମୀନକେତନ ବେହେରା, ସହକାରୀ ମାନବସମ୍ବଳ ପରିଚାଳକ କୃଷ୍ଣଚନ୍ଦ୍ର ସାହୁ, ସହକାରୀ ପ୍ରଶାସନିକ ପରିଚାଳକ ଇମ୍ତିଆଜ ଅହମ୍ମଦ, ଆଇନ ଅଧିକାରୀ ସନ୍ତୋଷ ସାହୁଙ୍କ ସମେତ କର୍ମଚାରୀଗଣ ଉପସ୍ଥିତ ଥିଲେ।
Comments are closed.