ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଶୁକ୍ରବାର ଦେଶରେ ଥିବା ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ପାନୀୟ ଜଳ ଯୋଗାଣ ପାଇଁ ୧୦୦ ଦିନିଆ ଅଭିଯାନର ଆରମ୍ଭ କରିଛନ୍ତି। ଗତ ମାସ ୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯାନ ପାଇଁ ଗ୍ରାମ ପଞ୍ଚାୟତ ଓ ଜଳ ସମିତିଗୁଡିକ ପାଇଁ ‘ମାର୍ଗଦର୍ଶିକା’ ଉନ୍ମୋଚନ କରିବା ସହ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ପାନୀୟ ପାଇପ୍ ଜଳ ଯୋଗାଣ ନିଶ୍ଚିତ କରିବାକୁ ଏହି ଅଭିଯାନର ସର୍ବୋତ୍ତମ ଉପଯୋଗ ନେଇ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କୁ ନିବେଦନ କରିଥିଲେ।
ଜଳ ଜୀବନ ମିଶନ ଅଧୀନରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଆଗାମୀ ୧୦୦ ଦିନ ମଧ୍ୟରେ ଗାଁର ସମସ୍ତ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ତଥା ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନକୁ ପାନୀୟ ଜଳ ଯୋଗାଇବା ପାଇଁ ଯଥା ଶୀଘ୍ର ଗ୍ରାମ ସଭା ଡକାଇ ସଂକଳ୍ପ ପାରିତ କରିବେ। ଏହି ବ୍ୟବସ୍ଥାର ପରିଚାଳନା ଓ ରକ୍ଷଣାବେକ୍ଷଣ ଗ୍ରାମ ପଞ୍ଚାୟତ ଏବଂ ଏହାର ଉପ-କମିଟି ଦ୍ୱାରା କରାଯିବ।
ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜନ୍ମ ବାର୍ଷିକୀରେ ଏହା ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ। ଜଳ ଜୀବନ ମିଶନ ଅଧୀନରେ ୨୦୧୪ ସୁଦ୍ଧା ପ୍ରତ୍ୟେକ ଗ୍ରାମୀଣ ଘରକୁ ପାଇପ ଜଳ ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି।



