୨୪ଘଣ୍ଟାରେ ଅବପାତ
ଭୁବନେଶ୍ବର: ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରାଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଆସନ୍ତା ୨୪ଘଣ୍ଟାରେ ଏହା ଅବପାତ ଏବଂ ପରବର୍ତ୍ତୀ ୨୪ଘଣ୍ଟାରେ ତୀବ୍ର ଅବପାତ ରୂପ ନେବା ସହିତ ୭୨ଘଣ୍ଟା ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ତାମିଲନାଡ଼ୁ
ଅଭିମୁଖେ ଗତି କରିବ। ଲଘୁଚାପ ସହିତ ଉତ୍ତର ଛତିଶଗଡ଼, ବାଂଲାଦେଶ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ରହିଛି। ଓଡ଼ିଶା ଉପରେ ଏହାର ପ୍ରଭାବ ବିେଶଷ ଅନୁଭୂତ ନହେଲେ ମଧ୍ୟ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସହିତ ସମୁଦ୍ର ଅଶାନ୍ତ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ନବରଙ୍ଗପୁର, କୋରାପୁଟ ଓ ସୁନ୍ଦରଗଡ଼ର କିଛି ସ୍ଥାନରେ ବର୍ଷା ହୋଇଛି। ତେବେ ଆସନ୍ତା ୩ଦିନ ଧରି ରାଜ୍ୟରେ ବର୍ଷାର ସମ୍ଭାବନା ନଥିବାବେଳେ ୧୬ ଓ ୧୭ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ।
ପରବର୍ତ୍ତୀ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିେଶଷ ପରିବର୍ତ୍ତନର ସମ୍ଭାବନା ନାହିଁ। କୃଷକଙ୍କ ପାଇଁ ମଧ୍ୟ କୌଣସି ସତର୍କ ସୂଚନା ନାହିଁ। ଲଘୁଚାପ ଜନିତ ବର୍ଷା ନେଇ ଉପକୂଳ ଓଡ଼ିଶା ପାଇଁ ସେପରି କିଛି ସତର୍କ ସୂଚନା ନଥିଲେ ହେଁ ଗଭୀର ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଆସନ୍ତାକାଲିଠାରୁ ୧୬ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ, ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ। ସ୍ଥଳ ବିେଶଷରେ ପବନର ବେଗ ୭୦କିମି ଛୁଇଁପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି।