ଭୋଟ ପରେ କଥା ସରେ
କଲମପୁର(ରବୀନ୍ଦ୍ର ମିଶ୍ର) : ଆଦିବାସୀ ବସ୍ତିର ସବୁ ଲୋକ ଭୋଟ୍ ଦିଅନ୍ତି; କିନ୍ତୁ ଅଧିକାର ପାଆନ୍ତି ନାହିଁ। ଭୋଟ ଆସିଲେ ବାବୁମାନେ ଗାଡିମୋଟରରେ ସେମାନଙ୍କୁ ଭୋଟ କେନ୍ଦ୍ର ନିକଟକୁ ନେଇ ନିର୍ଦିଷ୍ଟ ଚିହ୍ନରେ ଭୋଟ ଦେବା ପାଇଁ କହନ୍ତି। ଭୋଟ ପରେ ଗାଁକୁ ସୁବିଧା ଏବଂ ସେମାନଙ୍କ ପାଇଁ ସରକାରୀ ଯୋଜନା ସଂପର୍କରେ କହନ୍ତି କିନ୍ତୁ ଭୋଟ୍ ପରେ ସେମାନଙ୍କ ଆଉ ଦେଖା ମିଳେ ନାହିଁ। ଦେଶ ସ୍ୱାଧୀନ ହେବାର ୭୨ ବର୍ଷ ବିତି ସାରିଛି, ତଥାପି ଗାଁର ଶିଶୁଙ୍କ ପାଇଁ ଶିକ୍ଷାର ବ୍ୟବସ୍ଥା କିମ୍ବା ଗାଁ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା ହୋଇପାରିନାହିଁ। ସେହିପରି ଗାଁକୁ ଯାତାୟାତ ପାଇଁ ରାସ୍ତାର ବ୍ୟବସ୍ଥା ନଥିବାରୁ ତାହା ଅଗମ୍ୟ ହୋଇ ରହିଯାଇଛି। ଏଭଳି ଏକ ଅପହଞ୍ଚ ଇଲାକା ହେଉଛି କଳାହାଣ୍ଡି ଜିଲାର ଆଦିବାସୀ ଅଧ୍ୟୁଷିତ ତଥା ବଣ ପାହାଡ ଘେରା ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ତଲଝାପି ପଞ୍ଚାୟତର ଲାଞ୍ଜିଗଡ ଗାଁ। ୨୯ଟି ଆଦିବାସୀ ଓ ୧୩ଟି ତଫସିଲଭୁକ୍ତ
ଅନୁସୂଚିତ ପରିବାରର ୨୩୬ ଜନସଂଖ୍ୟା ବିଶିଷ୍ଟ ଗାଁ ହେଉଛି ଲାଞ୍ଜିଗଡ଼। ୬ରୁ ୧୪ ବର୍ଷ ମଧ୍ୟରେ ପ୍ରାୟ ୨୭ ଜଣ ଶିଶୁ ରହିଛନ୍ତି। ଗତ କିଛି ବର୍ଷ ତଳେ ଏକ ମିନି ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଥିଲେ ମଧ୍ୟ ୬ରୁ ୧୪ ବର୍ଷ ଶିଶୁଙ୍କ ପାଠ ପଢା ପାଇଁ ପ୍ରାଥମିକ ବିଦ୍ୟାଳୟର ବ୍ୟବସ୍ଥା ହୋଇ ପାରିନାହିଁ। ଏହି ଗାଁରେ ଶିକ୍ଷାର ବ୍ୟବସ୍ଥା ନଥିବା କାରଣରୁ ଏହି ଗାଁର ଶିଶୁ ସରକାରଙ୍କ ଶିକ୍ଷା ଅଧିକାରୀ ଆଇନରୁ ବଂଚିତ। ଯାହାରି ଫଳେରେ ବହୁ ଶିଶୁ ପାଠ ପଢିବାରୁ ବଂଚିତ ହେଇ ଛେଳି ମେଣ୍ଢା ଓ ଗାଈ ଜଗିବା, ରାସ୍ତା କାମ, ଜାଲେଣି ସଂଗ୍ରହ କରିବା କାର୍ଯ୍ୟରେ ନିୟୋଜିତ। ଏହି ଗାଁର ପିଲାଙ୍କୁ ପାଠ ପଢିବାକୁ ହେଲେ ଗାଁ ଠାରୁ ୧୦ରୁ ୧୨ କିଲୋମିଟର ଦୂରରେ ଥିବା କୌଣସି ଏକ ଆବାସିକ ବିଦ୍ୟାଳୟର ସାହାରା ନେବାକୁ ହେଇଥାଏ। କିନ୍ତୁ ଏହି ବିଦ୍ୟାଳୟ ସବୁରେ ପଢିବାର ସୁଯୋଗ ସମସ୍ତଙ୍କୁ ମିଳିନଥାଏ। ପ୍ରାଥମିକ ଶିକ୍ଷା ପାଇଁ ଗାଁଠାରୁ ପ୍ରାୟ ୨ କିଲୋମିଟର ଦୂରରେ ନିକେଶଜୋର ବିଦ୍ୟାଳୟ ରହିଛି କିନ୍ତୁ ସେଠାକୁ ଯାଇ ପାଠ ପଢିବାକୁ ହେଲେ ରାସ୍ତାର ବ୍ୟବସ୍ଥା ନଥିବା କାରଣରୁ ବିପଦସଙ୍କୁଳ ଅବସ୍ଥାରେ ଯିବାକୁ ହେଇଥାଏ। ଯାହା ବର୍ଷା ଦିନେ ସମ୍ଭବ ହେଉନଥିବା ବେଳେ ଜଣେ ୬ ବର୍ଷର ଶିଶୁ ରୀତିମତ ଯାଇ ପାଠ ପଢିବା ସମ୍ଭବ ହେଉ ନାହିଁ।
ସ୍ୱାସ୍ଥ୍ୟ ସେବା ଅତ୍ୟନ୍ତ ଦୟନୀୟ। କୌଣସି ପ୍ରକାର ସ୍ୱାସ୍ଥ୍ୟ ସେବା ପହଞ୍ଚୁ ନ ଥିବାରୁ ଅନେକ ରୋଗୀ ଗାଁ ତଥା ନିକଟସ୍ଥ ଗାଁର କୌଣସି କ୍ୱାକ ଅଥବା ଠୁଣୁଠୁଣୁକିଆ ବୈଦ୍ୟଙ୍କ ଦ୍ୱାରସ୍ଥ ହେଇଥାନ୍ତି। ଶିକ୍ଷା ସଚେତନତା ନଥିବାରୁ ବହୁ ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତି ହେଇ ରୋଗ ବଇରାଗ ସମୟରେ ଗୁରୁମେ ଦିଶାରୀଙ୍କ ଦ୍ୱାରସ୍ଥ ହେଇଥାନ୍ତି। ଚିକିତ୍ସାରେ ବିଳମ୍ବ କାରଣରୁ ଅନେକ ଅମୂଲ୍ୟ ଜୀବନ ଅଦିନରେ ଚାଲିଯାଉଛି।
କଳାହାଣ୍ଡି ଜିଲା ପାଇଁ ଇନ୍ଦ୍ରାବତୀ ନଦୀ ବରଦାନ ସ୍ୱରୁପ ରହିଥିବା ବେଳେ ଥୁଆମୁଳ ରାମପୁରର ତଲଝାପି ପଞ୍ଚାୟତର ଏହି ଲାଞ୍ଜିଗଡ ଗ୍ରମ ସମେତ ତଲଝାପି ପଞ୍ଚାୟତବାସୀଙ୍କ ପାଇଁ ଅଭିଶାପ ପାଲଟିଛି। ଚିର ପ୍ରବାହିତ ଇନ୍ଦ୍ରାବତୀ ନଦୀର କାଠକୁରା ନିକେଶଜୋର ଘାଟଠାରେ ପୋଲର ବ୍ୟବସ୍ଥା ନ ଥିବାରୁ ତଲଝାପି ପଞ୍ଚାୟତର ୪ ହଜାରରୁ ଅଧିକ ଲୋକ ପ୍ରଭାବିତ ହେଉଛନ୍ତି। ବର୍ଷା ଚାରି ମାସ ଜଳ ବନ୍ଦୀ ଜୀବନ ବିତାଇଥାନ୍ତି ଏହି ଅଂଚଳବାସୀ। ବାରମ୍ବାର ଏନେଇ ଦାବି ହେଉଥିଲେ ମଧ୍ୟ କେହି ପ୍ରଶାସନିକ ଅଧିକାରୀ ଅଥବା ଲୋକ ପ୍ରତିନିଧି ଗୁରୁତ୍ୱ ନଦେବା ପରିତାପର ବିଷୟ। ଗାଁ ଠାରୁ ଅନ୍ୟ କୌଣସି ଗାଁକୁ ଯାତାୟତ ପାଇଁ ରାସ୍ତାର ବ୍ୟବସ୍ଥା ନାହିଁ। ଯାହାରି ଫଳରେ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ସମେତ ବ୍ଲକ ମୁଖ୍ୟ କାର୍ଯ୍ୟାଳୟକୁ ଯୋଗାଯୋଗ କରିବା ସମ୍ଭବ ହୋଇନଥାଏ। ବିଶେଷ କରି ପଞ୍ଚାୟତ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାରେ ସହାୟତା ପାଉଥିବା ଏହି ଗାଁର ବୃଦ୍ଧବୃଦ୍ଧା ତଥା ଭିନ୍ନକ୍ଷମ ହିତାଧିକାରୀ ଅସୁବିଧାର ସମ୍ମୁଖିନ ହେଇ ପଂଚାୟତ କାର୍ଯ୍ୟାଳୟକୁ ଯାଇଥାନ୍ତି। ରାସ୍ତାର ଅଭାବ କାରଣରୁ ଲାଞ୍ଜିଗଡ ଗାଁର ଗୋଟିଏ ପଡାକୁ ପାନୀୟ ଜଳର ସୁବିଧା ଥିବା ବେଳେ ଅନ୍ୟ ଦୁଇଟି ପଡା ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ। ଯେଉଁଥି ପାଇଁ ଅନେକ ସମୟରେ ଦୁଷିତ ପାଣି ବ୍ୟବହାର କରି ରୋଗର ଶିକାର ହେଉଛନ୍ତି।
ସେମାନଙ୍କ ମତାମତ
ମୋ ନେତୃତ୍ୱରେ ଇନ୍ଦ୍ରାବତୀ ନଦୀ କାଠକୁରା ନିକୋଶଜୋର ଘାଟଠାରେ ଏକ ପୋଲ ନିର୍ମାଣ ପାଇଁ ବାରମ୍ବାର ବ୍ଲକ ପ୍ରଶାସନ ଓ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇ ଆସୁଛି କିନ୍ତୁ ଅଦ୍ୟାବଧି ପ୍ରଶାସନ ଗୁରୁତ୍ୱ ଦେଇ ନାହିଁ।
-ସୋମନାଥ ନାଏକ, ସମିତିସଭ୍ୟ ତଲଝାପି ପଂଚାୟତ
ଗାଁ ପାଇଁ ପ୍ରାଥମିକ ବିଦ୍ୟାଳୟର ଆବଶ୍ୟକତା ରହିଛି। କିନ୍ତୁ ଦୁଃଖର ବିଷୟ ଆମ ଗାଁ ପାଇଁ ବିଦ୍ୟାଳୟ ପାଇଁ ବ୍ୟବସ୍ଥା ହେଇ ପାରି ନାହିଁ। ଯାହା ଶିକ୍ଷା ଅଧିକାର ଆଇନର କାର୍ଯ୍ୟ କାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
-କୁମୁଦି ନାଏକ, ୱାର୍ଡମେମ୍ବର, ଲାଞ୍ଜିଗଡ
ବିକାଶର ନମୁନା କ’ଣ ? ପୋଲବିହୀନ ନଦୀ ରାସ୍ତା। ଆଦିବାସୀ ଅଧ୍ୟୁଷିତ ଗାଁ ପାଇଁ ରାସ୍ତା ନାହିଁ କି ଗାଁ ପିଲାଙ୍କ ପାଇଁ ବିଦ୍ୟାଳୟର ବ୍ୟବସ୍ଥା ନାହିଁ ନାହିଁ ସ୍ୱାସ୍ଥ୍ୟ ସେବା ଓ ପାନୀୟ ଜଳର ବ୍ୟବସ୍ଥା ତେବେ ସରକାର କେଉଁଠି ଆଦିବାସୀଙ୍କ ବିକାଶ କରିଛନ୍ତି?
-ସନ୍ଦୀପ ମାଝୀ, ଗ୍ରାମର ଯୁବକ
ଆମେ ଏବେ ମରୁଛୁଁ। ନା ଆଜ୍ଞା ଇସ୍କୁଲ ଗୋଟେ ନେଇ ହେଲା ଆମେ ତ ପାଠ ଦୁଇ ଅକ୍ଷର ନେଇ ପଢିପାରି ଆମର ପିଲା ଟୁକିଲ କି ଏବେ ଆମର ନାତି ନାତେନ ବି ପାଠ ଦୁଇ ଅକ୍ଷର ନେଇ ପଢି ପାରବାର।
-ଧନସିଂ ମାଝୀ, ଗ୍ରାମବାସୀ
ଲାଞ୍ଜିଗଡ ଗାଁର ସ୍ଥିତି ସମ୍ବନ୍ଧରେ ମୁଁ ଜାଣିଛି। ଏହି ଗାଁ ପାଇଁ ମୁଖ୍ୟ ପ୍ରତିବନ୍ଧକ ଇନ୍ଦ୍ରାବତୀ ନଦୀରେ ଏକ ସେତୁର ଅଭାବ। ଗାଁର ଶିଶୁଙ୍କ ପାଇଁ ବିଦ୍ୟାଳୟର ବ୍ୟବସ୍ଥା ନଥିବାରୁ ବହୁ ଶିଶୁ ପ୍ରାଥମିକ ଶିକ୍ଷାରୁ ବଂଚିତ ହେଉଛନ୍ତି। ରାସ୍ତା ନିର୍ମାଣର ବ୍ୟବସ୍ଥା ସହିତ ଗାଁର ଦୁଇଟି ପଡା ଗ୍ରାମକୁ ସଂଯୋଗ ସହିତ ପାନୀୟ ଜଳର ବ୍ୟବସ୍ତା ପାଇଁ ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ସ୍ଥାପନ ପାଇଁ ଶିକ୍ଷା ବିଭାଗ ସହିତ ଯୋଗାଯୋଗ କରାଯାଇଛି।
-ନବୀନ ଚନ୍ଦ୍ର ନାୟକ, ବି.ଡି.ଓ…