www.samajalive.in
Sunday, December 7, 2025
26.1 C
Bhubaneswar

ରାହୁଲ ବାଛିବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସଦ୍ୟ ସମାନ୍ତ ୫ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ଅନୁଯାୟୀ ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବାକୁ ଦାବିଦାର ହୋଇଛି। ସରକାର ଗଠନ କରିବାକୁ ଯାଉଥିବା କଂଗ୍ରେସ ଏହି ତିନି ରାଜ୍ୟ​‌ରେ ମୁଖ୍ୟମନ୍ତ୍ରୀ ସ୍ଥିର କରିପାରି ନାହିଁ। ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମନୋନୟନ ନିଷ୍ପତ୍ତି ଦଳର ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ଉପରେ ଛାଡି ଦିଆଯାଇଛି। ରାଜସ୍ଥାନ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପାଇଁ ଗୁରୁବାର ରାହୁଲ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି। ମାତ୍ର ଛତିଶଗଡ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ସମ୍ପର୍କରେ ହାଇକମାଣ୍ଡ କୌଣସି ସମୟ ଧାର୍ଯ୍ୟ କରିନାହାନ୍ତି।
ଛତିଶଗଡରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଥିବାବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବହୁଜନ ସମାଜ ପାର୍ଟି (ବିଏସପି) ଓ ସମାଜବାଦୀ ପାର୍ଟି (ଏସପି) ସମର୍ଥନରେ କଂଗ୍ରେସ ଏହାର ସରକାର ଗଠନ କରିବ। ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ସରକାର ଗଠନ ପାଇଁ କଂଗ୍ରେସ ପ୍ରତିନିଧି ଦଳ ବୁଧବାର ସନ୍ଧ୍ୟାରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ କଲ୍ୟାଣ ସିଂହଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି। ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସକୁ ସମର୍ଥନ ଦେବା ନେଇ ବୁଧବାର ବିଏସପି ମୁଖ୍ୟ ମାୟାବତୀ ଓ ଏସପି ମୁଖ୍ୟ ଅଖିଳେଶ ଯାଦବ ଘୋଷଣା କରିଛନ୍ତି।
କଂଗ୍ରେସ ସରକାର ଗଠନ କରିବାକୁ ଯାଉଥିବା ୩ଟି ରାଜ୍ୟର ନବ ନିର୍ବାଚିତ କଂଗ୍ରେସ ବିଧାୟକ ଦଳ (ସିଏଲ୍‌ପି)ବୈଠକ ବୁଧବାର ଶେଷ ହୋଇଛି। ତେବେ ନିଜର ନେତା ନିର୍ବାଚନ କରିବା ଲାଗି ବିଧାୟକମାନେ ଦଳର ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ଉପରେ ନିଷ୍ପତ୍ତି ଛାଡିଦେଇଛନ୍ତି। ବିଧାୟକମାନେ କହିଛନ୍ତି ଯେ ହାଇକମାଣ୍ଡଙ୍କ ନିଷ୍ପତ୍ତି ସର୍ବମାନ୍ୟ। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଦୌଡ଼ ଚାଲିଥିବାବେଳେ ମଧ୍ୟପ୍ରଦେଶରେ କମଲ ନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ପରସ୍ପର ମୁଖ୍ୟମନ୍ତ୍ରୀ ପାଇଁ ଆଶାୟୀ ରହିଛନ୍ତି। ଏହି ନେତାମାନଙ୍କ ସମର୍ଥକମାନେ ପ୍ଲାକାର୍ଡ ପ୍ରଦର୍ଶନ ଓ ସ୍ଲୋଗାନ ପୂର୍ବକ ମୁଖ୍ୟମନ୍ତ୍ରୀ ଲାଗି ନିଜର ନିଜର ନେତାଙ୍କ ପାଇଁ ଦାବି ଜଣାଇଛନ୍ତି।
ବୁଧବାର ରାଜସ୍ଥାନର ନବ ନିର୍ବାଚିତ କଂଗ୍ରେସ ବିଧାୟକଙ୍କ ବୈଠକ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ପଦ ପାଇଁ ରାହୁଲଙ୍କ ଉପରେ ନିଷ୍ପତ୍ତି ଛାଡି ଦିଆଯାଇଛି। ରାଜସ୍ଥାନ ପାଇଁ କଂଗ୍ରେସ ପର୍ଯ୍ୟବେକ୍ଷକ ଥିବା କେ ସି ବେଣୁଗୋପାଳ ଓ ଏଆଇସିସି ସାଧାରଣ ସମ୍ପାଦକ ଅବିନାଶ ପାଣ୍ଡେ କହିଛନ୍ତି ଯେ ବିଧାୟକ ଦଳ ବୈଠକରେ ସମସ୍ତଙ୍କ ଠାରୁ ବ୍ୟକ୍ତିଗତ ମତ ନିଆଯାଇଥିଲା। ସମସ୍ତଙ୍କ ମତାମତ ଆଧାରରେ ମୁଖ୍ୟମନ୍ତ୍ରୀ ବାଛିବା ନିଷ୍ପତ୍ତି ରାହୁଲଙ୍କ ଉପରେ ଛାଡିବା ଲାଗି ପ୍ରସ୍ତାବ ଗୃହୀତ ହୋଇଥିଲା। ମଧ୍ୟପ୍ରଦେଶରେ ଅନୁଷ୍ଠିତ କଂଗ୍ରେସ ବିଧାୟକଙ୍କ ବୈଠକରେ ମଧ୍ୟ ଅନୁରୂପ ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ନେତା ଶୋଭା ଓଝା କହିଛନ୍ତି ଯେ ବିଧାୟକମାନେ ସର୍ବସମ୍ମତିକ୍ରମେ ନେତା ନିର୍ବାଚନ ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ଛାଡି ଦେଇଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଟୁଇଟ୍ କରି କହିଛନ୍ତି ଯେ ସରକାରର ନେତୃତ୍ବ ନେବା ନିଷ୍ପତ୍ତି ରାହୁଲଙ୍କ ଉପରେ ଛାଡି ଦିଆଯାଇଛି। ହାଇକମାଣ୍ଡ କମଲ ନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୟନ କରିବେ। ତେବେ ମିଳିଥିବା ସୂଚନା ଅନୁଯାୟୀ ରାହୁଲ ମୁଖ୍ୟମନ୍ତ୍ରୀ ପଦ ଲାଗି କମଲ ନାଥଙ୍କ ନାମରେ ମୋହର ମାରିଛନ୍ତି। ଛତିଶଗଡରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଲାଗି କଂଗ୍ରେସ ଏହାର ନେତା ସ୍ଥିର କରିପାରି ନାହିଁ। ଏଠାରେ ମୁଖ୍ୟମନ୍ତ୍ରୀ ପଦ ଲାଗି ପ୍ରଦେଶ କଂଗ୍ରେସ ମୁଖ୍ୟ ଭୁପେଶ ବାଘେଲା, ତାମ୍ରଧ୍ବଜ ସାହୁ ଓ ଟିଏସ୍ ସିଂହଦେଓଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଛତିଶଗଡର ନବ ନିର୍ବାଚିତ କଂଗ୍ରେସ ବିଧାୟକଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ବାଛିବା ନିଷ୍ପତ୍ତି ରାହୁଲଙ୍କ ଉପରେ ଛାଡିଦିଆଯାଇଛି। ମଙ୍ଗଳବାର ଭୋଟ ଗଣତି ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ବୁଧବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ କଂଗ୍ରେସକୁ ସରକାର ଗଠନ ପାଇଁ ରାସ୍ତା ଛାଡିଛନ୍ତି। କଂଗ୍ରେସର ବିଜୟ ପାଇଁ ଏହି ମୁଖ୍ୟମନ୍ତ୍ରୀମାନେ ଅଭିନନ୍ଦନ ଜଣାଇବା ସହ ବିଜେପିର ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି। ଛତିଶଗଡ ବିଧାନସଭାର ୯୦ ଆସନରୁ କଂଗ୍ରେସ ୬୮ ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ୧୫ ଓ ବିଏସପି ସମେତ ଅନ୍ୟାନ୍ୟ ଦଳ ୭ଟି ଆସନରେ ବିଜୟୀ ହୋଇଛନ୍ତି। ସେହିପରି ମଧ୍ୟପ୍ରଦେଶରେ କଂଗ୍ରେସ ୧୧୪ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ୧୦୯, ବିଏସପି ୨ ଓ ଅନ୍ୟାନ୍ୟ ଦଳ ୫ଟି ଆସନରେ ବିଜୟୀ ହୋଇଛନ୍ତି। ରାଜସ୍ଥାନରେ କଂଗ୍ରେସ ୯୯ଟି ଆସନରେ ବିଜୟୀ ହୋଇଥିବାବେଳେ ସହଯୋଗୀ ରାଷ୍ଟ୍ରୀୟ ଲୋକଦଳ ଗୋଟିଏ ଆସନରେ ବିଜୟୀ ହୋଇଛି। ବିଜେପି ଏଠାରେ ୭୩ଟି ଆସନ ପାଇଥିବାବେଳେ ବିଏସପି ୬ ଓ ଅନ୍ୟାନ୍ୟ ଦଳ ୨୦ଟି ଆସନ ପାଇଛନ୍ତି। ପାଞ୍ଚଟି ରାଜ୍ୟ ମଧ୍ୟରୁ ଅନ୍ୟ ଦୁଇଟି ରାଜ୍ୟ ତେଲେଙ୍ଗାନାରେ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍) ଓ ମିଜେରାମରେ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମ୍ଏନଏଫ) ସରକାର ଗଠନ କରିବା ସ୍ଥିର ହୋଇସାରିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories