୨୧ରୁ ଭାରତ-ଭିଏତନାମ ନୌସେନା ସମରାଭ୍ୟାସ

0

ନୂଆଦିଲ୍ଲୀ : ଭିଏତନାମ ସହିତ ପ୍ରଥମ କରି ନୌସେନା ସମରାଭ୍ୟାସ କରିବାକୁ ଯାଉଛି ଭାରତ। ଚୀନକୁ ଦୃଷ୍ଟିରେ ରଖି ଭାରତ ଏପରି ପଦକ୍ଷେପ ନେଇଛି। ଚୀନର ବିସ୍ତାରବାଦ ଓ ଯୁଦ୍ଧଖୋର ଭାବନକୁ ମୁକାବିଲା କରିବା ପାଇଁ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ରାଷ୍ଟ୍ର ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବା ଯୋଜନା କରିଛି। ଏହି କ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ମାସରେ ଭିଏତନାମ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଭିଏତନାମ ସହ ନୌସେନା ସମରାଭ୍ୟାସରେ ଭାରତର ତିନିଟି ଯୁଦ୍ଧ ଜାହାଜ ସାମିଲ ହେବ। ଆଇଏନଏସ୍‍ ସାୟାଦ୍ରି, ଆଇଏନଏସ୍‍ କାମୋର୍ତ୍ତା ଓ ଆଇଏନଏସ୍‍ ଶକ୍ତି ସୋମବାର ତିଏନ ସା ପୋର୍ଟ ପହଞ୍ଚିବ। ମେ ୨୧ରୁ ମେ ୨୫ ପର୍ଯ୍ୟନ୍ତ ଏହି ସମରାଭ୍ୟାସ ଚାଲିବ। ପ୍ରଥମେ ଦୁଇ ଦେଶର ନୌସେନା ଅଧିକାରୀଙ୍କ ମଧ୍ୟରେ କଥାବାର୍ତ୍ତା ହେବ। କଥାବାର୍ତ୍ତା ପରେ ଉଭୟ ଦେଶର ଯୁଦ୍ଧ ଜାହାଜ ଓ ନୌସୈନିକ ଯୁଦ୍ଧକୌଶଳ ପ୍ରଦର୍ଶନ କରିବେ ବୋଲି ନୌସେନା ମୁଖପାତ୍ର କ୍ୟାପଟେନ ଡିକେ ଶର୍ମା କହିଛନ୍ତି।
ଚୀନର ଯୁଦ୍ଧଖୋର ମନୋଭାବକୁ ମୁକାବିଲା କରିବା ପାଇଁ ଭିଏତନାମ ସହିତ ସାମରିକ ସମନ୍ୱୟ ଭାରତ ଲାଗି ଗୁରୁତ୍ୱପୂର୍ଣ୍ଣ ମନେ ହୋଇଛି। ତେଣୁ ଜୁନ୍‍ରେ ପ୍ରତିରକ୍ଷା ମନ୍ତ୍ରୀ ଭିଏତନାମ ଗସ୍ତରେ ଯାଇ ସାମରିକ ସହଯୋଗ ଉପରେ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବେ। ଭିଏତନାମର ସର୍ବୋଚ୍ଚ ସେନା ଅଧିକାରୀ ମଧ୍ୟ ଚଳିତବର୍ଷ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଚୀନର ବିସ୍ତାରବାଦ ନୀତିକୁ ନେଇ ଭାରତ ଓ ଭିଏତନାମ ବିଚଳିତ। ତେଣୁ ଚୀନକୁ ମିଳିତ ଭାବେ ମୁକାବିଲା କରିବାକୁ ଉଭୟ ଦେଶ ଏକଜୁଟ୍‍ ହେବାକୁ ଉଚିତ୍‍ ମନେ କରିଛନ୍ତି। ଏହା ପୂର୍ବରୁ ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଏତନାମ ଗସ୍ତରେ ଯାଇଥିଲେ। ମୋଦି ତାଙ୍କ ଗସ୍ତ କାଳରେ ଭିଏତନାମ ପାଇଁ ୫୦୦ ନିୟୁତ ଡଲାରର ପ୍ରତିରକ୍ଷା ଅନୁଦାନ ଘୋଷଣା କରିଥିଲେ। ଭିଏତନାମକୁ ବ୍ରହ୍ମସ ସୁପରସୋନିକ କ୍ରୁଇସ୍‍ କ୍ଷେପଣାସ୍ତ୍ର ଓ ଆକାଶ କ୍ଷେପଣାସ୍ତ୍ର ଦେବା ଲାଗି ଭାରତ ଘୋଷଣା କରିଛି। ଏହା ସହିତ ଭିଏତନାମର ପାଇଲଟଙ୍କୁ ସୁଖୋଇ ଯୁଦ୍ଧବିମାନ ଉଡାଣର ଟ୍ରେନିଂ ଭାରତ ଦେବ।

Leave A Reply