ଆରଡି: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଞ୍ଚାୟତ ସେଠୀସାହିକୁ ପକ୍କା ରାସ୍ତା ନଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖରାଦିନେ ଯେନେତନ ପ୍ରକାର ସାହିଲୋକ ଯାତାୟତ କରିଥାନ୍ତି ହେଲେ ବର୍ଷାଋତୁ ୩/୪ମାସ ମଧ୍ୟରେ ସେହି ରାସ୍ତାରେ ଚଳାଚଳ କରିବା ଏକ ରକମର ଅସମ୍ଭବ ହୋଇଯାଏ ।
ସୂଚନାଯୋଗ୍ୟ, ସାହିରେ ବସବାସ କରୁଥିବା ଲୋକମାନେ ଦୈନଦିନ ବଜାର ଓ ପାଠପଢୁଥିବା ଛୋଟଛୋଟ ପିଲାମାନେ ଯାତାୟତ ରାସ୍ତାରେ ଆଣ୍ଠୁଏ ଉଚ୍ଚରୁ ଜମି ରହିଥିବା ପାଣିରେ ପଶି ଯାଆଆସ କରିଥାନ୍ତି। ଏପରିକି ସାହିରେ ପାନୀୟଜଳର କୈାଣସି ବ୍ୟବସ୍ଥା ନଥିବାରୁ ୨ଶହ ମିଟର ଅର୍ଥାତ ଆଖଣ୍ଡଳମଣି-ଭଦ୍ରକ ଜାତୀୟ ରାଜପଥ କଡରେ ଥିବା ଏକ ନଳକୂପରୁ ପାଣି ନେଇଥାନ୍ତି। ଏପରି ସମସ୍ୟା ବାବଦରେ ଉକ୍ତ ସାହିର ଲୋକମାନେ ବାରମ୍ବାର ଲୋକପ୍ରତିନଧି ଓ ପ୍ରଶାସନଙ୍କୁ ଗୁହାରୀ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ନିରଞ୍ଜନ ସେଠୀ, ପ୍ରଫୁଲ ସେଠୀ, କାର୍ତ୍ତିକ ସେଠୀ, ବାଉରୀ ସେଠୀ ପ୍ରମୁଖ ପ୍ରକାଶ କରିଛନ୍ତି। ଏବାବଦରେ ସ୍ଥାନୀୟ ସରପଞ୍ଚ ଶ୍ରୀକାନ୍ତ ନାୟକଙ୍କୁ ପଚାରିବାରୁ ଏବେ ରାସ୍ତା ନିର୍ମାଣ ପାଇଁ କୈାଣସି ଅନୁଦାନ ନାହିଁ, ତାହାସହ ପ୍ରଥମେ ଗାଁ ରାସ୍ତା ନିର୍ମାଣ କରାଯିବ ପରେ ସାହି ରାସ୍ତା କରାଯିବ ବୋଲି ପ୍ରକାଶ କରିଥିଲେ। ସେହିପରି ଉକ୍ତ ପଞ୍ଚାୟତ ଅଧିନସ୍ଥ ଦୋହରାପାଟଣା ଜେନାସାହିର ମଧ୍ୟ ସମାନ ଅବସ୍ଥା। ଉକ୍ତ ସାହିରେ ୧୫/୨୦ ପରିବାର ବସବାସ କରୁଥିଲେ ମଧ୍ୟ ଦୈନଦିନ କାଦୁଅ ପଚପଚ ରାସ୍ତାରେ ଯାଆସ କରନ୍ତି, ହେଲେ ଏହି ସମସ୍ୟା ବାବଦରେ ବାରମ୍ବାର ଜଣାଉଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି।



