ସରିଫଙ୍କ ମୁକ୍ତିକୁ ଆଇଏସଆଇର ବିରୋଧ

0

ଲାହୋର: ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‍ ଯାଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ତାଙ୍କ ଝିଅ ମରୟାମ ସରିଫଙ୍କ ମୁକ୍ତିକୁ ଦେଶର ଗୁଇନ୍ଦା ଏଜେନ୍ସି ଆଇଏସଆଇ ବିରୋଧ କରିଛି। ଇସଲାମାବାଦ ହାଇକୋର୍ଟରେ ସରିଫ ଓ ମରୟାମଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଆଇଏସଆଇ ଉଭୟଙ୍କ ମୁକ୍ତିକୁ ବିରୋଧ କରିଥିଲା। ଆଇଏସଆଇ ଚାହୁଁଛି ଯେ ଦେଶର ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସରିଫ ଜେଲ୍‍ରେ ରହନ୍ତୁ। ସରିଫଙ୍କ ମୁକ୍ତିକୁ ଆଇଏସଆଇର ଏପରି ବିରୋଧ ବିଷୟରେ କହିଛନ୍ତି ଇସଲାମାବାଦ ହାଇକୋର୍ଟର ବିଚାରପତି ସୌକତ ଅଜିଜ୍‍ ସିଦ୍ଦିକ। ରାୱଲପିଣ୍ଡି ଓକିଲ ସଂଘକୁ ବିଚାରପତି ସିଦ୍ଦିକ ଏହା କହିଛନ୍ତି। ସେ କହିଛନ୍ତି ଯେ ଆଇଏସଆଇ ଦେଶର ନ୍ୟାୟପାଳିକା ଓ ଗଣମାଧ୍ୟମକୁ ନିୟନ୍ତ୍ରଣ କରୁଛି। ନ୍ୟାୟପାଳିକାର ସ୍ୱାଧୀନତା ନାହିଁ। ଗଣମାଧ୍ୟମ ସତ ବଖାଣିବାକୁ ସାହସ କରିପାରୁ ନାହିଁ। ସେନା ନିର୍ଦେଶରେ ନ୍ୟାୟପାଳିକା ଓ ଗଣମାଧ୍ୟମ କାର୍ଯ୍ୟ କରୁଛି। ବିଚାରପତି ସିଦ୍ଦିକ କହିଛନ୍ତି ଯେ ଆଇଏସଆଇ ନିଜ ପସନ୍ଦ ଅନୁଯାୟୀ ପୀଠ ଗଠନ କରୁଛି ଓ ନିଜ ଅଭୀପ୍‌ସିତ ନ୍ୟାୟ ପାଉଛି। ଆଇଏସଆଇ ମୁଖ୍ୟ ବିଚାରପତିଙ୍କୁ ପରାମର୍ଶ ଦେଇଛି ଯେ ନୱାଜ ସରିଫ ଓ ମରୟାମ ଜୁଲାଇ ୨୫ ନିର୍ବାଚନ ପୂର୍ବରୁ ଜେଲ୍‍ରୁ ବାହାରିପାରିବେ ନାହିଁ। ବାପ ଓ ଝିଅଙ୍କ ମାମଲାର ଶୁଣାଣି ପାଇଁ ଗଠିତ ପୀଠରେ ତାଙ୍କୁ ସାମିଲ ନ କରିବା ଲାଗି ଆଇଏସଆଇ ପରାମର୍ଶ ଦେଇଥିବା ସିଦ୍ଦିକ କହିଛନ୍ତି।
ସରିଫଙ୍କ ମୁକ୍ତିକୁ ଏପରି ବିରୋଧ ପରେ ପାକିସ୍ତାନରେ ଆଇଏସଆଇ ବିରୋଧୀ ସ୍ଲୋଗାନ ଦିଆଯାଇଛି। ହଜାର ହଜାର ସଂଖ୍ୟାରେ ପିଏମଏଲ୍‍-ଏନର ସମର୍ଥକ ଆଇଏସଆଇ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ ଆଇଏସଆଇ ବିରୋଧରେ ଏପରି ଅଭିଯୋଗ ଆଣିବା ପରେ ଜଷ୍ଟିସ ସିଦ୍ଦିକ ଅଡୁଆରେ ପଡିଛନ୍ତି। ଜଷ୍ଟିସ ସିଦ୍ଦିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆଇଏସଆଇ ସୁପ୍ରିମକୋର୍ଟକୁ ସୁପାରିସ କରିଛି। ଆଇଏସଆଇର ସୁପାରିସ ଆଧାରରେ ପାକିସ୍ତାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ମିଆନ ସିଦ୍ଦିକ ନିସାର ଜଷ୍ଟିସ ସିଦ୍ଦିକଙ୍କୁ ନୋଟିସ ଜାରି କରିଛନ୍ତି। ଆଇଏସ୍‍ଆଇ ଏହାର ସୁପାରିସରେ କହିଛି ଯେ ଜଷ୍ଟିସ ସିଦ୍ଦିକ ଆଣିଥିବା ଅଭିଯୋଗ ଦେଶର ସାମ୍ବିଧାନିକ ପ୍ରତିଷ୍ଠା ଉପରେ ବିପଦ ସୃଷ୍ଟି କରିଛି। ଏହା ଦେଶରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରିଛି। ତେଣୁ ସୁପ୍ରିମକୋର୍ଟ ଜଷ୍ଟିସ ସିଦ୍ଦିକଙ୍କ ଅଭିଯୋଗ ଉପରେ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ଜଷ୍ଟିସ ସିଦ୍ଦିକଙ୍କ ଅଭିଯୋଗକୁ ସୁପ୍ରିମକୋର୍ଟ ଖଣ୍ଡନ କରିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ଦେଶର ନ୍ୟାୟପାଳିକା ସ୍ୱାଧୀନ ଭାବେ କାର୍ଯ୍ୟ କରୁଛି। ଏହା ଉପରେ କୌଣସି ପ୍ରକାର ଚାପ ନାହିଁ।
ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ସରିଫ ଓ ତାଙ୍କ ଝିଅଙ୍କୁ ଜୁଲାଇ ୧୩ରେ ଗିରଫ କରାଯାଇଛି। ଉଭୟ ଏବେ ଆଡିଆଲା ଜେଲ୍‍ରେ ଅଛନ୍ତି। ସରିଫଙ୍କୁ ୧୦ବର୍ଷ ଓ ତାଙ୍କ ଝିଅକୁ ୭ବର୍ଷ ଜେଲ୍‍ ଦଣ୍ଡାଦେଶ ହୋଇଛି। ସରିଫ ଓ ମରୟାମଙ୍କୁ ଆଡିଆଲା ଜେଲ୍‍ରୁ ଏକ ରେଷ୍ଟ ହାଉସକୁ ସ୍ଥାନାନ୍ତର କରାଯିବାକୁ ଥିବାବେଳେ ଜେଲ୍‍ କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା କରିଛନ୍ତି। ଜେଲ୍‍ରେ ସରିଫ ଓ ମରୟାମଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କୁ ରେଷ୍ଟ ହାଉସକୁ ସ୍ଥାନାନ୍ତର କରାଯିବାର ଥିଲା। ତେବେ ଜେଲ୍‍ କର୍ତ୍ତୃପକ୍ଷ ଉଭୟଙ୍କୁ ସ୍ଥାନାନ୍ତର ପରିବର୍ତ୍ତେ ଜେଲ୍‍ରୁ କେତେକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା କରିଛନ୍ତି। ଜୁଲାଇ ୨୫ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ।

Leave A Reply