ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ ଲୋକଗୀତ ଆମ ପାଇଁ ସାଧାରଣ ହେଲେ ବି ଆଜିର ସମୟରେ ଏହାର ଗୁରୁତ୍ୱ ଅନେକ। ଦୂର ଦିଗ୍ବଳୟର ପର୍ବତମାଳା ହେଉ କି ସମତଳ ଅଞ୍ଚଳର ଚିହିଁକି ଉଠୁଥିବା ମାଟି, ସବୁଠି ମାଣ୍ଡିଆର ପ୍ରୀତିଭରା ସଙ୍ଗୀତର ମୂର୍ଚ୍ଛନା ସମସ୍ତଙ୍କୁ ଆମୋଦିତ କରୁଛି। ବର୍ଷ ବର୍ଷ ଧରି ଗରିବର ଖାଦ୍ୟ ବୋଲି ମାନ୍ୟତା ପାଇଥିବା ଏହି କ୍ଷୁଦ୍ର ଶସ୍ୟ ଆଜି ଘରର ଚାରିକାନ୍ଥ ଭିତରେ ଆଉ ସୀମିତ ହୋଇନାହିଁ। ପୋଲସରାରୁ ପ୍ୟାରିସ୍, କୋରାପୁଟରୁ ଜି-୨୦ ଯାଏ ସବୁଠି ଏହା ପରିବ୍ୟାପ୍ତ। ଜଳବାୟୁର ରୂପରେଖ ହେଉ ଅବା ଆମ ରାଜ୍ୟର ଭୌଗୋଳିକ ଦୃଷ୍ଟିକୋଣ ସବୁଆଡ଼ୁ ବିଚାରକଲେ ଆଗାମୀ ପିଢ଼ି ପାଇଁ ସ୍ୱପ୍ନ ଆଉ ସମ୍ଭାବନାର ବୀଜ ବୁଣିବାରେ ମାଣ୍ଡିଆର ଭୂମିକା ସର୍ବାଗ୍ରେ ରହିବ। ଭବିଷ୍ୟତ ପିଢ଼ି ପାଇଁ ସ୍ୱାବଲମ୍ବୀ ପଥରେ ପଥଚାରୀ ମାଣ୍ଡିଆ। କୃଷି କର୍ମଣ ରାଜ୍ୟ ଭାବେ ଓଡ଼ିଶାର ନାଁ ବିଦିତ; କିନ୍ତୁ ଏବର ସମୟରେ ଦାର୍ଶନିକ ବିଚାରଧାରା ଅପେକ୍ଷା ବାସ୍ତବତାର ସରଳରେଖା ଚାଷୀର ମୁହଁରେ ହସ ଫୁଟେଇ ଥାଏ।
ପାରମ୍ପରିକ ସମୟର ଚାଷ କଥା କହିଲେ ମାଣ୍ଡିଆ ଚାଷର କାହାଣୀ ଗାଁମାନଙ୍କରେ ଶୁଣିବାକୁ ମିଳେ। ଆମ ବାପା ଅଜା ପିତୃପୁରୁଷ ଆମ ପାଇଁ ଧନ ଦୌଲତ ସିନା ଛାଡ଼ି ଯାଇନାହାନ୍ତି ସତ କିନ୍ତୁ ଆଶା ଆଉ ବିଶ୍ୱାସର ସେଇ ବିହନ ଆଉ ଚାଷ ପ୍ରଣାଳୀକୁ ଅର୍ପଣ କରିଯାଇଛନ୍ତି। ଏହି ଗାଁମାନେ ହିଁ ବିକାଶର ମାପକାଠି। ଆଉ କେଇଟା ବର୍ଷ ପରେ ଆମ ରାଜ୍ୟ ୧୦୦ ବର୍ଷ ପାଳନ କରିବ। ଶତାୟୁ ଓଡ଼ିଶାର ବିକାଶ ପାଣ୍ଡୁଲିପିରେ କୃଷିର ଏକ ସିଂହଭାଗ ରହିଛି। ଏହି ଗାଁମାନେ ହିଁ ବିକାଶର ଧ୍ୱଜା ଉଡ଼େଇବେ। ଆଉ ଏହି ମାଣ୍ଡିଆ ଫସଲ ସେ ବିକାଶର ମଙ୍ଗୁଆଳ ସାଜିବ। ଆମକୁ ବିଶ୍ୱଗୁରୁ ହେବାର ସଂକଳ୍ପ ଗାଁରୁ ଆରମ୍ଭ କରିବାକୁ ହେବ। ମାଣ୍ଡିଆକୁ ନେଇ ଭିନ୍ନ ପରିକଳ୍ପନା କରିବାର ସମୟ ଏବେ ଉପନୀତ। ଆମ ସମସ୍ତଙ୍କ ମିଳିତ ପ୍ରଚେଷ୍ଟାରେ ଓଡ଼ିଶାରେ ମାଣ୍ଡିଆ ଗ୍ରାମର ଅୟମାରମ୍ଭ ହେଉ।
ଆମ ରାଜ୍ୟର କୃଷି ଐତିହ୍ୟରେ ମାଣ୍ଡିଆର ସ୍ଥାନ ସ୍ୱତନ୍ତ୍ର। କ୍ଷୁଦ୍ର ଦାନାଜାତୀୟ ଫସଲ କାଙ୍ଗୁ, ସୁଆଁ, କୋଦ, ବାଜରା, ମାଣ୍ଡିଆ ପ୍ରଭୃତି ଉତ୍ପାଦନରେ ଆମେ ବେଶ୍ ଆଗୁଆ। ରାଜ୍ୟରେ ମାଣ୍ଡିଆ ଗାଁର ପରିକଳ୍ପନା କରିବା ଆମ ପର ପିଢ଼ି ପାଇଁ ବାଟ ଉନ୍ମୁକ୍ତ କରିବାର ଏକ ପ୍ରକୃଷ୍ଟ ସୁଯୋଗ। ଦେଶୀ ଚାଷର ପ୍ରତ୍ୟେକଟି ସୋପାନକୁ ଅତିକ୍ରମ କରି ଦେଶୀ ମାଣ୍ଡିଆର କଥା ଆଜି ଜାତୀୟ ସ୍ତରରେ ପ୍ରତିଧ୍ୱନିତ ହେଉଛି। ଆମ କୁଶଳୀ ଚାଷୀମାନେ ଏହି ମହତ ଉଦ୍ଦେଶ୍ୟରେ ପ୍ରମୁଖ ଭାଗୀଦାରି ସାଜିବେ। ମାଣ୍ଡିଆ ଗାଁ ଚାଷ ସହ ସବୁଜ ଆଉ ସ୍ୱାବଲମ୍ବୀ ଭବିଷ୍ୟତର ଏକ ଦିଗନ୍ତବିସ୍ତାରୀ ଦସ୍ତାବିଜ। ଜଳବାୟୁ ପରିବର୍ତ୍ତନର ଉତ୍କଟ ସମସ୍ୟାକୁ ଚାଷ ଜମିରେ ପ୍ରତିହତ କରିବାର ଏକ ସୁଦୂରପ୍ରସାରୀ ଯୋଜନା ମାଣ୍ଡିଆ ଗାଁ। ମାଣ୍ଡିଆ ଗାଁରେ ସମସ୍ତଚାଷୀ ଓ ସାଧାରଣ ଲୋକ ମିଳିତ ଭାବରେ ସହଯୋଗ ଓ ସମର୍ଥନ ପୂର୍ବକ ମାଣ୍ଡିଆର ପ୍ରଚାର ପ୍ରସାର ତଥା ଏହାର ଚାଷ ପରିସୀମା ବୃଦ୍ଧି କରିବା ପାଇଁ ଏକାଠି ଶପଥ ନେବେ। ଗ୍ରାମୀଣ ବଜାରକୁ ସୁଧାରିବା ସହ ପୋଷଣ ଆଉ ଅର୍ଥନୈତିକ ବିକାଶ ଦିଗରେ ମାଣ୍ଡିଆ ଗାଁ ସାହାଯ୍ୟ କରିବ।
ମାଣ୍ଡିଆ ଗାଁ ଗଠନ ପାଇଁ ଆମେ କେତେକ ପ୍ରମୁଖ ଦିଗ ଉପରେ ଧ୍ୟାନ ଦେବା ଆବଶ୍ୟକ। ପ୍ରଥମରେ ପ୍ରତି ଗାଁରେ ପ୍ରତ୍ୟେକ ଚାଷୀ ବର୍ଷକୁ ଥରେ ମାଣ୍ଡିଆ ଚାଷ କରିବାକୁ ଯୋଜନା କରିବେ। ଧାନ କି ୟୁରିଆ ପରି ରାସାୟନିକ ସାର ପଛରେ ପାଗଳ ଭଳି ନ ପଡ଼ି ଫସଲ ବିବିଧୀକରଣ ମାଧ୍ୟମରେ ଚାଷଜମିରେ ମାଣ୍ଡିଆ ଚାଷ କରିବା ସହ ଦେଶୀ କିସମକୁ ପ୍ରୋତ୍ସାହିତ କରିବେ। ଯେହେତୁ ମାଣ୍ଡିଆ ଶୁଷ୍କମାଟିର ସୁନା ତେଣୁ ଏହାକୁ ଧାନ ଅପେକ୍ଷା ଯଥେଷ୍ଟ କମ୍ ପାଣି ଆବଶ୍ୟକ ହୁଏ। କମ୍ ସାର ମଧ୍ୟ ବ୍ୟବହାର କରାଯାଏ। ଏହାର ଚେର ଅଧିକ ମାଟିଭିତରକୁ ଯାଉଥିବା ହେତୁ ମାଟିର ଗଠନ ଓ ସଂରଚନାରେ ଏହା ସାହାଯ୍ୟ କରେ। ଦ୍ୱିତୀୟରେ ଆମ ରାଜ୍ୟର ଅନେକ ଆଦିବାସୀ ଲୋକେ ମାଣ୍ଡିଆ ଚାଷ ବର୍ଷ ବର୍ଷ ହେଲା କରିଆସୁଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଶ୍ରୀଅନ୍ନ ଅଭିଯାନ ମାଧ୍ୟମରେ ବିକାଶର ଧାରା ଜାରି ରହିଛି। ତେଣୁ ସରକାର ଓ ଜନସାଧାରଣଙ୍କ ମିଳିତ ସମନ୍ୱୟରେ ଆମେ ପ୍ରଥମାବସ୍ଥାରେ ଏହି ସବୁ ଅଞ୍ଚଳରେ ମାଣ୍ଡିଆ ଗାଁକୁ ଚୟନ କରିପାରିବା। ଏଥିରେ ସେହି ଗାଁର ଚାଷୀ ତଥା ମହିଳାମାନଙ୍କୁ ଦାୟିତ୍ୱ ଦେଇ ମିଲେଟ ଚମ୍ପିଆନ ବା ସଫଳ ମାଣ୍ଡିଆ ଚାଷୀମାନଙ୍କୁ ଏକାଠି କରି ସେମାନଙ୍କ ମାଧ୍ୟମରେ ଅନ୍ୟ ଚାଷୀମାନଙ୍କୁ କ୍ଷେତ୍ର ପରିଦର୍ଶନର ସୁଯୋଗ ଦେବା। ମହିଳାମାନେ ପ୍ରଗତିର କର୍ଣ୍ଣଧାର। ସେମାନେ ଗାଁର ଚାଷବାସର ଆୟବ୍ୟୟର ହିସାବ ପୂର୍ବକ ମାଣ୍ଡିଆ ଚାଷୀମାନଙ୍କ ସହ ଏକାଠି ହୋଇ ଆଗାମୀ ୫ବର୍ଷର ଯୋଜନା ପ୍ରସ୍ତୁତ କରିପାରିବେ।
ତୃତୀୟରେ ଏହିସବୁ ମାଣ୍ଡିଆ ଗାଁରେ ଗୋଷ୍ଠୀ ବିହନ ବ୍ୟାଙ୍କ ବା ଗୋଷ୍ଠୀଭିତ୍ତିକ ବିହନ ସଂରକ୍ଷଣ ମାଧ୍ୟମରେ ଦେଶୀ ବିହନକୁ ଅଧିକରୁ ଅଧିକ ବ୍ୟବହାର କରିବାକୁ ଯୋଜନା ପ୍ରସ୍ତୁତ ହେବ। ଚାଷୀମାନଙ୍କ ମଧ୍ୟରେ ଦେଶୀ ବିହନକୁ ନେଇ ଅଧିକ ଯତ୍ନବାନ ହେବା ସହ ଏହି ମାଣ୍ଡିଆ ଗାଁମାନଙ୍କରେ ଗୋଟେ ଗୋଟେ ମାଣ୍ଡିଆ ବିହନ ବ୍ୟାଙ୍କ ସୃଷ୍ଟି କରାଯାଇ ପାରିବ। ଏସ.ଏମ.ଆଇ ବା ସିଷ୍ଟମ ଅଫ ମିଲେଟ ଇଣ୍ଟେନସିଫିକେସନ ମେଡଲକୁ ଚାଷୀମାନଙ୍କ ପାଖରେ ପ୍ରଶିକ୍ଷଣ ପୂର୍ବକ ପହଞ୍ଚାଇବାକୁ ଉଦ୍ୟମ କରାଯାଇପାରିବ। ଚତୁର୍ଥରେ ପ୍ରତି ମାଣ୍ଡିଆ ଗାଁର ବିକାଶ ମାନଚିତ୍ରରେ ସେ ଗାଁର ମହିଳା, ଯୁବ ଉଦ୍ୟୋଗୀ ତଥା ସଫଳ କୃଷକମାନଙ୍କୁ ନେଇ ଏକ କମିଟି କରାଯାଇ ପୂର୍ବ ବର୍ଷମାନଙ୍କରେ ମାଣ୍ଡିଆକ୍ଷେତ ତଥା ଏହାର ମୋଟ ଅମଳ ପରିମାଣ ଉପରେ ଏକ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଆଗାମୀ ୫ବର୍ଷ ମଧ୍ୟରେ କିପରି ଏହାର ଚାଷଜମି ଓ ଅମଳ ପରିମାଣ ବୃଦ୍ଧି କରାଯାଇପାରିବ, ସେ ଦିଗରେ ଚିନ୍ତା କରାଯାଇପାରେ। ପଞ୍ଚମରେ ରାଜ୍ୟ କୃଷିବିଭାଗ, ଶ୍ରୀଅନ୍ନ ଅଭିଯାନ, କୃଷି ବିଶ୍ୱବିଦ୍ୟାଳୟ, କୃଷିବିଜ୍ଞାନ କେନ୍ଦ୍ରମାନଙ୍କର ପ୍ରତ୍ୟକ୍ଷ ସହାୟତା ନେଇ ମାଣ୍ଡିଆ ଗାଁର ଚାଷୀମାନେ ବର୍ଷକୁ ଅନ୍ତତଃ ଥରେ ‘ବୀଜ ମହୋତ୍ସବ’ ନାମରେ ଏକ କାର୍ଯ୍ୟକ୍ରମ କରି ମାଣ୍ଡିଆକୁ ନେଇ ନୂଆ ପରିଚୟ ଦେବା ସହ ଏଥିରେ ମାଣ୍ଡିଆର କିପରି ମୂଲ୍ୟ ସଂଯୋଗ ପୂର୍ବକ ବିଭିନ୍ନ ଖାଦ୍ୟ ସମାଗ୍ରୀ ପ୍ରସ୍ତୁତ କରାଯାଇପାରିବ ସେ ଦିଗରେ ଧ୍ୟାନ ଦେଇପାରିବେ। ଏଥିରେ ସ୍ୱୟଂ ସହାୟିକା ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ, ଷ୍ଟାର୍ଟଅପ୍ମାନଙ୍କୁ ଏକାଠି କରି ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇପାରେ। ଏହା ସହ ସ୍ଥାନୀୟ ବିଦ୍ୟାଳୟ ତଥା ଅଙ୍ଗନବାଡ଼ି କେନ୍ଦ୍ରରେ ମାଣ୍ଡିଆକୁ ନେଇ କିପରି ନୂଆ ସୁଯୋଗ ସୃଷ୍ଟି କରିହେବ, ତାହା ମଧ୍ୟ ଅନୁଧ୍ୟାନ କରାଯାଇପାରେ। ଏହା ବ୍ୟତୀତ ମାଣ୍ଡିଆର ଉପଯୁକ୍ତ ବିପଣନ ପାଇଁ ଇ-ମାର୍କେଟ ତଥା ଯୁବ ଉଦ୍ୟୋଗୀମାନଙ୍କ ମାଣ୍ଡିଆ ଉଦ୍ୟୋଗକୁ ଆମେ ଏଥିରେ ଯୋଡ଼ି ପାରିବା। ଏହି ମାଣ୍ଡିଆ ଗାଁରେ ମାସିକିଆ ମିଲେଟ ହାଟ ମାଧ୍ୟମରେ ଆମେ ଦେଶୀ ଉତ୍ପାଦ ପାଇଁ ବିକ୍ରିବଟାର ସୁଯୋଗ ସୃଷ୍ଟି କରିପାରିବା।
ତେବେ ଏସବୁ ମାଧ୍ୟମରେ ଆମେ ଏକ ସଫଳ ମାଣ୍ଡିଆ ଗାଁର ପରିକଳ୍ପନା କରିବାରେ ସକ୍ଷମ ହୋଇପାରିବା। ପ୍ରତିବର୍ଷ ନଭେମ୍ବର ୧୦ରେ ଆମ ରାଜ୍ୟ ମାଣ୍ଡିଆ ଦିବସ ପାଳୁଛି। ମାଣ୍ଡିଆ ଚାଷରେ ମହିଳାମାନଙ୍କର ଗୁରୁତ୍ୱ ତଥା କୃଷି ଐତିହ୍ୟ ଦିଗରେ ଆମେ କିପରି ପ୍ରତ୍ୟକ୍ଷ ଭାଗୀଦାରି ସାଜିପାରିବା ତାହା ଆମ ପାଇଁ ଏକ ବଡ଼ ଆହ୍ୱାନ। ଆଗାମୀ ୨୦୩୬ ବେଳକୁ ଆମେ ଅନ୍ତତଃ ଓଡ଼ିଶାରେ ୫୦୦ଟି ମାଣ୍ଡିଆ ଗାଁର ପରିକଳ୍ପନା କରିବାକୁ ସଂକଳ୍ପ ନେବା। ଯେଉଁଥିରେ ପାଖାପାଖି ୧୦ଲକ୍ଷ ମାଣ୍ଡିଆ ଚାଷୀ ପ୍ରତ୍ୟକ୍ଷ ଭାବେ ପ୍ରଶିକ୍ଷଣ ପୂର୍ବକ ସଫଳ ମିଲେଟ ଚାଷୀଭାବେ ପରିଗଣିତ ହୋଇପାରିବେ। ମାଣ୍ଡିଆ, ମହିଳା ଆଉ ମାର୍କେଟର ସମନ୍ୱୟ ଏହି ମିଶନକୁ ସଫଳରୂପ ଦେବ। ମାଣ୍ଡିଆ ଗାଁର ରୂପାୟଣ ଅଧିକରୁ ଅଧିକ ଉଦ୍ୟୋଗୀ ସୃଷ୍ଟି କରିବା ସହ ସମସ୍ତଙ୍କ ପାଇଁ ଏକ ସଫଳ ଉଦାହରଣ ସାଜିପାରିବ। ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନରେ ଆସନ୍ତୁ ଏ ବୈପ୍ଲବିକ ଅଭିଯାନରେ ଏକାଠି ହେବା।
ଡି. ଶୁଭମ୍ , ଭୁବନେଶ୍ୱର
ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ
Popular Categories



