ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ ପାକିସ୍ତାନର ଇସଲାମାବାଦରେ ଆଉ ଏକ ଭୟଙ୍କର ବିସ୍ଫୋରଣ ଘଟିଛି, ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଦୁଇଟି ପଡ଼ୋଶୀ ଦେଶରେ ପ୍ରାୟ ଏକା ସମୟରେ ଘଟିଥିବା ଏହି ଦୁଇଟି ବିସ୍ଫୋରଣ ଘଟଣା ଦକ୍ଷିଣ ଏସିଆର ସୁରକ୍ଷା ବ୍ୟବସ୍ଥାର ଦୁର୍ବଳତାକୁ ପୁଣି ଥରେ ସାମ୍ନାକୁ ଆଣିଛି; ଏହି ଘଟଣାରେ କିନ୍ତୁ ଦୁଇ ଦେଶର ପ୍ରତିକ୍ରିୟାରେ ରହିଛି ଆକାଶ ପାତାଳ ଫରକ। ଭାରତ ଯେଉଁଠି ତଦନ୍ତ କରି ପ୍ରକୃତ ଅପରାଧୀଙ୍କୁ ଖୋଜିବାରେ ଲାଗିଛି, ସେଠି ପାକିସ୍ତାନ କୌଣସି ପ୍ରମାଣ ବିନା ସିଧାସଳଖ ଭାରତକୁ ଦୋଷାରୋପ କରି ବସିଛି। ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଅଭିଯୋଗ ଯେ ପାକିସ୍ତାନରେ ହୋଇଥିବା ବିସ୍ଫୋରଣ ପଛରେ ଭାରତର ହାତ ଅଛି। ସରିଫଙ୍କ ଅଭିଯୋଗ କୌଣସି ପ୍ରମାଣ ଉପରେ ଆଧାରିତ ନୁହେଁ। ଏହା କେବଳ ଏକ ଅସୁରକ୍ଷିତ ରାଷ୍ଟ୍ରର ନିରାଶାକୁ ପ୍ରତିଫଳିତ କରୁଛି। ଭାରତ ଏହି ଅଭିଯୋଗକୁ ‘ଆଧାରହୀନ ଓ ମିଥ୍ୟା’ ବୋଲି ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ପାକିସ୍ତାନ ନିଜ ଦେଶରେ ଚାଲିଥିବା ‘ସାମ୍ବିଧାନିକ ବିଶୃଙ୍ଖଳା’ରୁ ଧ୍ୟାନ ହଟାଇବା ପାଇଁ ମିଥ୍ୟା କାହାଣୀ କହୁଛି। ଏହା ତାହାର ପୁରୁଣା ଅଭ୍ୟାସର ପୁନରାବୃତ୍ତି।
ବିସ୍ଫୋରଣର ଗୋଟିଏ ଦିନ ଆଗରୁ ପାକିସ୍ତାନ ପାର୍ଲିଆମେଣ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିଲା। ପାକିସ୍ତାନ ସମ୍ବିଧାନର ୨୭ତମ ସଂଶୋଧନ କରାଯାଇଛି, ଯାହା ଅତ୍ୟନ୍ତ ବିବାଦୀୟ। ଏହି ସଂଶୋଧନ ପାକିସ୍ତାନ ସେନାକୁ ବହୁତ ଅଧିକ ଶକ୍ତି ଦେଇଛି। ବିଶେଷକରି ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ କ୍ଷମତା ଏବେ ଆଇନଗତ ଭାବରେ ଅଧିକ ହୋଇଯାଇଛି। ଏହି ସଂଶୋଧନ ଅନୁସାରେ ସେନାର ଉଚ୍ଚ ଅଧିକାରୀମାନେ ସାରାଜୀବନ ସରକାରୀ ସୁବିଧା ପାଇବେ ଏବଂ ସବୁଠାରୁ ବଡ଼ କଥା, ଯଦି ସେମାନେ କିଛି ଭୁଲ ବା ଅପରାଧ କରନ୍ତି, ତେବେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପ୍ରାୟ ଅସମ୍ଭବ ହୋଇଯିବ। ଏହି ସଂଶୋଧନ ସେନାକୁ ଏତେ ଶକ୍ତିଶାଳୀ କରିଦେଇଛି ଯେ ପାକିସ୍ତାନର ଗଣତନ୍ତ୍ର ଆହୁରି ଦୁର୍ବଳ ହୋଇଯାଇଛି। ପ୍ରକୃତରେ ଏବେ ସେନା ହିଁ ପାକିସ୍ତାନ ଚଳାଉଛି, ନିର୍ବାଚିତ ସରକାର ନୁହେଁ। ଏହି ସବୁ ସମସ୍ୟା ଯୋଗୁଁଁ ପାକିସ୍ତାନର ଜନତା ସରକାର ଓ ସେନା ଉପରେ ଅସନ୍ତୁଷ୍ଟ। ତେଣୁ ଏଥିରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ସରିଫ ଇସ୍ଲାମାବାଦ ବିସ୍ଫୋରଣ ସକାଶେ ଭାରତକୁ ଦୋଷ ଦେଉଛନ୍ତି। ପାକିସ୍ତାନବାସୀ ଯେ ଏହା ଜାଣି ନାହାନ୍ତି ତାହା ନୁହେଁ।
ଇସଲାମାବାଦରେ ବିସ୍ଫୋରଣର ପ୍ରକୃତ ଅପରାଧୀ କିଏ ତାହା ସ୍ପଷ୍ଟ ହୋଇନାହିଁ। ପ୍ରଥମେ ତେହେରିକ-ଇ-ତାଲିବାନ ପାକିସ୍ତାନକୁ ଦୋଷ ଦିଆଗଲା; କିନ୍ତୁ ସେମାନେ ନିଜେ ଏହାକୁ ଅସ୍ୱୀକାର କରିଦେଲେ। ଏଥିରୁ ବୁଝାଯାଉଛି ଯେ ପାକିସ୍ତାନରେ ଅନେକ ଆତଙ୍କବାଦୀ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି – ଇସଲାମିକ୍ ଷ୍ଟେଟ୍, ବଲୋଚ ବିଦ୍ରୋହୀ ଓ ଅନ୍ୟାନ୍ୟ। ଏତେ ଆତଙ୍କବାଦୀ ଗୋଷ୍ଠୀ ସୃଷ୍ଟି ହେବାର କାରଣ ହେଉଛି ପାକିସ୍ତାନ ସରକାରଙ୍କର ବର୍ଷ ବର୍ଷର ଦୋମୁହାଁ ନୀତି। ଭାରତ ବିରୋଧରେ ଆତଙ୍କବାଦୀମାନଙ୍କୁ ବ୍ୟବହାର କରିବା ପାଇଁ ପାକିସ୍ତାନ ସେମାନଙ୍କୁ ସାହାଯ୍ୟ କରିଥାଏ। ଏବେ ପାକିସ୍ତାନ ନିଜେ ନିଜର ଜାଲରେ ପଡ଼ିଛି ଏବଂ ତିଆରି କରିଥିବା ଆତଙ୍କବାଦୀଙ୍କ କାର୍ଯ୍ୟର ଫଳ ଭୋଗୁଛି। ଯେପର୍ଯ୍ୟନ୍ତ ପାକିସ୍ତାନ ସଚ୍ଚୋଟତାର ସହିତ ନିଜର ଆଭ୍ୟନ୍ତରୀଣ ଶତ୍ରୁମାନଙ୍କୁ ସାମ୍ନା ନକରିଛି, ସେପର୍ଯ୍ୟନ୍ତ ଏହା କେବେ ବି ନିଜର ନାଗରିକଙ୍କୁ ସୁରକ୍ଷା ଯୋଗାଇ ଦେଇ ପାରିବ ନାହିଁ କି ଏହାର ଗଣତନ୍ତ୍ର ସୁରକ୍ଷିତ ରହିବ ନାହିଁ
ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି
Popular Categories



