ନୂଆଦିଲ୍ଲୀ : ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ କେନ୍ଦ୍ର କ୍ୟାବିନେଟ ଗୁରୁବାର କରତାରପୁର କରିଡର ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରିଛି। ଗୁରୁ ନାନକ ଜୟନ୍ତୀର ଗୋଟିଏ ଦିନ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି। ପଞ୍ଜାବର ଗୁରଦାସପୁର ଜିଲା ଅନ୍ତର୍ଗତ ଡେରା ବାବା ନାନକଠାରୁ ଅନ୍ତର୍ଜାତୀୟ ସୀମାରେଖା ପର୍ଯ୍ୟନ୍ତ ଏହି କରିଡର ନିର୍ମାଣ କରାଯିବ। ଏହାଦ୍ୱାରା ଭାରତୀୟ ଶିଖ ଶ୍ରଦ୍ଧାଳୁମାନେ ସହଜରେ ପାକିସ୍ତାନର ରାବି ନଦୀ କୂଳସ୍ଥିତ କରତାରପୁର ସାହିବ ଗୁରୁଦ୍ୱାରକୁ ତୀର୍ଥ ପାଇଁ ଯାଇପାରିବେ। ଏଥିରେ ତୀର୍ଥଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ସୁବିଧା ରହିବ ବୋଲି ପ୍ରେସ ବିବୃତିରେ କୁହାଯାଇଛି। କେବଳ ସେତିକି ନୁହେଁ; ନିଜ କ୍ଷେତ୍ରରେ ମଧ୍ୟ ଏଭଳି ଏକ କରିଡର ନିର୍ମାଣ କରିବାକୁ ପାକିସ୍ତାନ ସରକାରଙ୍କୁ ଭାରତ ସରକାର ପରାମର୍ଶ ଦେଇଛନ୍ତି।
ପୂର୍ବରୁ କରତାରପୁର ସାହିବ ଦର୍ଶନ ନିମନ୍ତେ ଭାରତ-ପାକିସ୍ତାନ ସୀମାରେ ଏକ ଉଚ୍ଚକ୍ଷମତାସମ୍ପନ୍ନ ଦୂରବୀକ୍ଷଣ ଯନ୍ତ୍ର ଲଗାଯିବ ବୋଲି କେନ୍ଦ୍ର ସରକାର କହିଥିଲେ। ଏଥିସହ ଗୁରୁ ନାନକଙ୍କର ୫୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସରକାର ସୋମବାର ଘୋଷଣା କରିଥିଲେ। ଏଥିକ୍ରମେ ଗୁରୁ ନାନକଙ୍କ ସ୍ମୃତିରେ ଏକ ମୁଦ୍ରା ଏବଂ ଡାକଟିକଟ ଜାରି କରାଯିବାର ଯୋଜନା ରହିଛି। ପାକିସ୍ତାନ କରତାରପୁର ସାହିବ କରିଡର ଖୋଲିବ ବୋଲି ସେଠାକାର ସେନାମୁଖ୍ୟ କମର ଜାଭେଦ ବାଜୱା ତାଙ୍କୁ କହିଥିବା ଶିରୋମଣି ଅକାଳୀ ଦଳ ନେତା ତଥା ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ନିକଟରେ ମନ୍ତବ୍ୟ ଦେଇଥିଲେ। ତାଙ୍କର ଏହି ମନ୍ତବ୍ୟ ପରେ କରତାରପୁର କରିଡର ଚର୍ଚ୍ଚାକୁ ଆସିଥିଲା।
ଶିଖ୍ ଶ୍ରଦ୍ଧାଳୁଙ୍କୁ କେନ୍ଦ୍ରର ଉପହାର: କରତାରପୁର କରିଡରକୁ ମଞ୍ଜୁରୀ
Popular Categories



