mission shakti banner

ରାବାଡ଼ାଙ୍କ ଉପରୁ ୨ ମ୍ୟାଚ୍‍ର ବାସନ୍ଦାଦେଶ ଉଠିଲା

BSKY banner  750×100
0

କେପ୍‍ଟାଉନ୍‍, : ଘରୋଇ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ପାଇଁ ଏହା ବହୁତ ଖୁସିର ଖବର। ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‍ର ବାକି ୨ଟି ମ୍ୟାଚ୍‍ରେ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକାର ଫାଷ୍ଟବୋଲର କାଗିସୋ ରାବାଡ଼ା ସବୁଜ ସଙ୍କେତ ପାଇଛନ୍ତି। ରାବାଡ଼ାଙ୍କୁ ୨ଟି ମ୍ୟାଚ୍‍ରୁ ବାସନ୍ଦାଦେଶକୁ ଆଇସିସିର ଆଚାର ସଂହିତା ଅପିଲ କମିଶନର ମାଇକେଲ ହେରାନ୍‍ ଉଠାଇ ଦେଇଛନ୍ତି। ସୋମବାର ସନ୍ଧ୍ୟାରେ ଭିଡିଓ କନ୍‍ଫରେନ୍‍ସିଂ ଜରିଆରେ ବାସନ୍ଦାଦେଶ ବିରୋଧରେ ରାବାଡ଼ାଙ୍କ ଅପିଲ ଉପରେ ଶୁଣାଣି ହୋଇଥିଲା। ଅପିଲ କମିଶନର ନ୍ୟୁଜିଲାଣ୍ଡର ମାଇକେଲ ହେରାନ୍‍ଙ୍କ ପାଖରେ ରାବାଡ଼ାଙ୍କ ପକ୍ଷ ରଖିଥିଲେ ଦକ୍ଷିଣ ଆଫ୍ରିକାର ନାମୀ ଓକିଲ ଡାଲି ମପୋଫୁ। ସମସ୍ତ ଯୁକ୍ତି ଶୁଣିବା ପରେ ମାଇକେଲ ହେରନ୍‍ ରାବାଡ଼ାଙ୍କ ବିରୋଧରେ ଲାଗିଥିବା ଲେଭ୍‍ଲ-୨ ଅପରାଧକୁ ଲେଭ୍‍ଲ-୧କୁ ଖସାଇ ଦିଆ ଯାଇଥିଲା। ରାବାଡ଼ା ଜାଣିଶୁଣି ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ଙ୍କ କାନ୍ଧରେ ନିଜ କାନ୍ଧ ଲଗାଇବାର କୌଣସି ପ୍ରମାଣ ନ ମିଳିବାରୁ ହେରାନ୍‍ ଏପରି ନିଷ୍ପତ୍ତି ନେଇଥିଲେ।
ସୂଚନାଯୋଗ୍ୟ; ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିବା ୨ୟ ଟେଷ୍ଟର ୨ୟ ଇନିଂସରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ଙ୍କୁ ଆଉଟ୍‍ କରିବା ପରେ ରାବାଡ଼ା ‘ୟେସ୍‍’, ‘ୟେସ୍‍’ ଚିକ୍ରାରକରି ସ୍ମିଥ୍‍ଙ୍କ ଆଡ଼କୁ ଦୌଡ଼ି ଯାଇଥିଲେ ଏବଂ ସ୍ମିଥ୍‍ଙ୍କ କାନ୍ଧରେ ରାବାଡ଼ାଙ୍କ କାନ୍ଧ ବାଜିଥିଲା। ରାବାଡ଼ା ଜାଣିଶୁଣି ଏପରି କରିଥିଲେ ବୋଲି ମ୍ୟାଚ୍‍ ରେଫେରୀ ଅଭିଯୋଗ କରି ତାଙ୍କୁ ୩ଟି ନାସ୍ତିସୂଚକ (ଡିମେରିଟ୍‍) ପଏଣ୍ଟ ଦେଇଥିଲେ। ତେବେ ଶୁଣାଣି ପରେ ଅପିଲ କମିଶନର ମାଇକେଲ ହେରୋନ୍‍ ମ୍ୟାଚ୍‍ ରେଫେରୀ ଜେଫ୍‍ କ୍ରୋ ଦେଇଥିବା ୩ ଡିମେରିଟ୍‍ ପଏଣ୍ଟକୁ ୧କୁ କମାଇ ଦେଇଥିଲେ। ଫଳରେ ରାବାଡ଼ାଙ୍କ ଡିମେରିଟ୍‍ ପଏଣ୍ଟ ସଂଖ୍ୟା ୯ ପରିବର୍ତ୍ତେ ୭ ହୋଇଥିଲା। ଏହି କାରଣରୁ ରାବାଡ଼ା ୨ଟି ମ୍ୟାଚ୍‍ରୁ ବାସନ୍ଦହେବାରୁ ବଞ୍ଚି ଯାଇଛନ୍ତି। ୨ୟ ଇନିଂସରେ ଅଷ୍ଟ୍ରେଲିଆ ଓପ୍‍ନର ଡେଭିଡ୍‍ ୱାର୍ଣ୍ଣରଙ୍କୁ ଆଉଟ କରିବା ପରେ ରାବାଡ଼ା ତାଙ୍କ ପ୍ରତି କିଛି ଆକ୍ଷେପ କରିଥିଲେ। ଏଥିପାଇଁ ରାବାଡ଼ାଙ୍କୁ ଗୋଟିଏ ଡିମେରିଟ୍‍ ପଏଣ୍ଟ ମିଳିଥିଲା। ପୁଣି ଜେଫ୍‍ କ୍ରୋ ୫୦ ପ୍ରତିଶତ ମ୍ୟାଚ୍‍ ଫି କାଟି ଦେଇଥିବା ବେଳେ ହେରୋନ୍‍ ତାକୁ ୨୫ ପ୍ରତିଶତ କରିଛନ୍ତି। ଏହି ଶୁଣାଣି ବେଳେ ନିଜେ ରାବାଡ଼ା, ତାଙ୍କ ଅଧିନାୟକ ଫାଫ୍‍ ଡୁ ପ୍ଲେସି ଓ ଦଳର ମ୍ୟାନେଜର ମହମ୍ମଦ ମୁସାଜି ଉପସ୍ଥିତ ଥିଲେ। ଗୁରୁବାର ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ୩ୟ ଟେଷ୍ଟମ୍ୟାଚ୍‍ ଆରମ୍ଭ ହେବାକୁ ଥିବା ବେଳେ ବାସନ୍ଦାଦେଶ ଉଠିବା ପରେ ମଙ୍ଗଳବାର ରାବାଡ଼ା କେପ୍‍ଟାଉନ୍‍ରେ ଦକ୍ଷିଣ ଆଫ୍ରିକା ଦଳ ସହ ଅଭ୍ୟାସ ଆରମ୍ଭ କରିଛନ୍ତି। ସିରିଜ୍‍ ଏବେ ୧-୧ ସ୍ଥିତିରେ ରହିଛି।
ଶୁଣାଣି ପରେ ଅପିଲ କମିଶନର ହେରୋନ୍‍ କହିଛନ୍ତି, ରାବଡ଼ା ଜାଣିଶୁଣି ଶରୀର ସ୍ପର୍ଶ କରିଛନ୍ତି ବୋଲି ମାନିବାକୁ ପ୍ରସ୍ତୁତ ନୁହେଁ। ତେବେ ସେ ଯାହା କଲେ; ତାହା ଅଯୌକ୍ତିକ ଏବଂ ପ୍ରତିପକ୍ଷ ଖେଳାଳିଙ୍କ ପ୍ରତି ଅସମ୍ମାନ। ଏପରି କହିବା ସହ ହେରୋନ୍‍ ଆଗକୁ ଏପରି ଆଚରଣ ନ ଦେଖାଇବା ଲାଗି ଚେତାବନୀ ଦେଇଛନ୍ତି। ପରେ ଆଇସିସିର ମୁଖ୍ୟ କାର୍ୟ୍ୟନିର୍ବାହୀ ଡେଭିଡ୍‍ ରିଚାର୍ଡସନ୍‍ କହିଛନ୍ତି, ଅପିଲ କମିଶନରଙ୍କ ନିଷ୍ପତ୍ତିକୁ ଆମେ ଗ୍ରହଣ କରୁଛୁ ଏବଂ ଏହା ବିରୋଧରେ ଅପିଲ କରିବୁନାହିଁ। ବାସନ୍ଦ ହେବା ପରେ ରାବାଡ଼ା କହିଥିଲେ ଯେ ସ୍ମିଥ୍‍ଙ୍କୁ ସ୍ପର୍ଶ କରିବା ସେ ଅନୁଭବ କରିନଥିଲେ। ଯଦି ପ୍ରକୃତରେ ଏପରି କରିଥାଆନ୍ତେ; ତେବେ ବାସନ୍ଦ ବିରୋଧରେ ଅପିଲ କରିନଥାଆନ୍ତେ। ରାବାଡ଼ା ଏବେ ଚମକ୍ରାର ଫର୍ମରେ ଅଛନ୍ତି। ଏହି ଫାଷ୍ଟବୋଲର ୨ୟ ଟେଷ୍ଟରେ ମୋଟ ୧୧ଟି ୱିକେଟ ନେଇ ଦଳକୁ ଜିତାଇବା ସହ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ। ଏହି ୨ଟି ଟେଷ୍ଟରୁ ରାବାଡ଼ା ମୋଟ ୧୫ଟି ୱିକେଟ ନେଇ ସିରିଜ୍‍ରେ ସର୍ବାଧିକ ୱିକେଟ ହାସଲକାରୀ ହୋଇଛନ୍ତି।

Leave A Reply