ରକ୍ତ କର୍କଟରେ ପୀଡିତ ୬ଷ୍ଠ ଶ୍ରେଣୀର ଛାତ୍ର, ଚିକିତ୍ସାରେ ଅର୍ଥ ବାଧକ
ଫୁଲବାଣୀ: ରକ୍ତ କର୍କଟ ରୋଗରେ ପୀଡିତ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରର ଚିକିତ୍ସାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପରିବାର ଲୋକେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତର ଜାର୍ଗୀପଦର ଗାଁରେ। ଗାଁର ଅଶୋକ କୁମାର କର୍ଣ୍ଣଙ୍କ ଏକମାତ୍ର ପୁତ୍ର ବ୍ୟାସଦେବ କର୍ଣ୍ଣ। ସେ ବର୍ତ୍ତମାନ ରକ୍ତ କର୍କଟ ରୋଗରେ ପୀଡିତ। ଜନ୍ମରୁ ବ୍ୟାସଦେବ ସମ୍ପୂର୍ଣ୍ଣ ଠିକ ଥିଲେ। ଭଲ ପାଠ ମଧ୍ୟ ପଢୁଥିଲେ। ତେଣୁ ବାପା ମା’ ଫିରିଙ୍ଗିଆଠାରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିଲେ। ଗତ ଜୁନ ମାସ ପରେ ହଠାତ ତାଙ୍କୁ ଜ୍ୱର ଆରମ୍ଭ ହୋଇଥିଲା। ପରିବାର ଲୋକେ ପ୍ରଥମେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ। ଜ୍ୱର ଭଲ ନ ହେବାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିଥିଲେ। କିନ୍ତୁ ସେ ସୁସ୍ଥ ହୋଇ ନ ଥିଲେ। ପରିବାର ଲୋକେ ଭୁବନେଶ୍ୱରସ୍ଥିତ ଏମସ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ବ୍ୟାସଦେବଙ୍କର ବିଭିନ୍ନ ପରୀକ୍ଷା ପରେ ସେ ରକ୍ତ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଏହା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ସେମାନେ ପୁଅର ଚିକିତ୍ସା ପାଇଁ ୭ ମାସ ମଧ୍ୟରେ ଜମିବାଡ଼ି ବିକ୍ରି କରି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ମିଳୁଥିବା ଅର୍ଥ ବି ପର୍ଯ୍ୟାପ୍ତ ହେଉନାହିଁ। ଏପରି କି ନିଜର ଘର ଖଣ୍ଡିଏ ନ ଥିବାରୁ ଅନ୍ୟ ଘରେ ସେ ଆଶ୍ରୟ ମଧ୍ୟ ନେଇଛନ୍ତି। ବ୍ୟାସଦେବଙ୍କ ବାପା ଅଶୋକ ଜଣେ ଅଟୋ ଡ୍ରାଇଭର। ଡାକ୍ତରଙ୍କ କହିବା ଅନୁସାରେ ପୁଅକୁ ଭୁବନେଶ୍ୱରରେ ୩ ମାସ ପର୍ଯ୍ୟନ୍ତ ରହିବାକୁ ପଡ଼ିବ। ପୁଅର ଚିକିତ୍ସା ପାଇଁ ଦୈନିକ ୭୦ ହଜାରରୁ ଅଧିକ ଟଙ୍କା ଦରକାର, ଯାହା ଯୋଗାଡ଼ କରିବା ଅଶୋକଙ୍କ ପାଇଁ ଅସମ୍ଭବ। ତେଣୁ ଚିକିତ୍ସା ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇଦେଲେ ପୁଅ କର୍କଟ ଭଳି ମାରାତ୍ମକ ରୋଗରୁ ସୁସ୍ଥ ହୋଇ ପାରନ୍ତା ବୋଲି ମା’ ମୀରାଜୀ କର୍ଣ୍ଣ ଓ ବାପା ଅଶୋକ କହିଛନ୍ତି।
Comments are closed.