ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ପତିଙ୍କୁ ପିଠିରେ ବୋହିଲେ ପତ୍ନୀ

0

ନୂଆଦିଲ୍ଲୀ: ଭିନ୍ନକ୍ଷମ ଲୋକଙ୍କ ପାଇଁ ସରକାରୀ ସ୍ତରରେ ରହିଥିବା ଉଦାସୀନ ମନୋଭାବ ଏବେ ପଦାରେ ପଡିଛି। ମଥୁରାରେ ଜଣେ ବ୍ୟକ୍ତି ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିବାବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ପିଠିରେ ବୋହିକି ନେବା ଦୃଶ୍ୟ ଏହି ଉଦାସୀନତାକୁ ପ୍ରମାଣିତ କରିଛି। ବିମଳା ନାମକ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ଲାଗି ଭିନ୍ନକ୍ଷମ ପ୍ରମାଣପତ୍ର ସଂଗ୍ରହ କରିବାକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ପ୍ରମାଣପତ୍ର ନେବା ପୂର୍ବରୁ ଆବଶ୍ୟକ କାଗଜପତ୍ର କାମ ଲାଗି ତାଙ୍କୁ ସମ୍ପୃକ୍ତ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଫଟୋ ମଗାଯାଇଥିଲା। ସ୍ୱାମୀଙ୍କ ଫଟୋ ଉଠାଇବା ଲାଗି ଷ୍ଟୁଡିଓକୁ ନେବା ପାଇଁ ବିମଳାଙ୍କ ପାଖରେ କୌଣସି ବିକଳ୍ପ ନଥିଲା। ଫଳରେ ବିମଳା ସ୍ୱାମୀଙ୍କୁ ନିଜ ପିଠିରେ ବୋହି ଷ୍ଟୁଡିଓକୁ ନେଇଥିଲେ। ରାସ୍ତାରେ ସ୍ୱାମୀଙ୍କୁ ଏପରି ପିଠିରେ ବୋହିକି ନେବାର ଦୃଶ୍ୟକୁ ଅନେକ ନିଜ ନିଜର ମୋବାଇଲ ଫୋନରେ ରେକର୍ଡ କରିଥିଲେ; ମାତ୍ର କେହି ଜଣେ ସାହାଯ୍ୟ ପାଇଁ ହାତ ବଢାଇ ନଥିଲେ। ବିମଳାଙ୍କ ସ୍ୱାମୀ ଦୁର୍ଘଟଣାରେ ନିଜର ଗୋଡ ହରାଇଥିଲେ। ବିମଳା ତାଙ୍କ ସ୍ୱାମୀଙ୍କୁ ପିଠିରେ ବୋହିକି ନେବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଉତ୍ତରପ୍ରଦେଶ ମନ୍ତ୍ରୀ ଭୂପେନ୍ଦ୍ର ଚୌଧୁରୀ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି।

Leave A Reply