www.samajalive.in
Sunday, December 14, 2025
19.1 C
Bhubaneswar

ବୋର୍ଡ଼ କାର୍ଯ୍ୟାଳୟରେ ଭଙ୍ଗାରୁଜା

-ପୁଲିସର ମୃଦୁ ଲାଠିମାଡ଼: ୨୧ ଏବିଭିପି କର୍ମୀ ଗିରଫ ,- +୨ ପରୀକ୍ଷା କଡ଼ାକଡ଼ି କରିବାକୁ ମନ୍ତ୍ରୀଙ୍କ ନିର୍ଦେଶ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କାର୍ଯ୍ୟାଳୟରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ(ଏବିଭିପି) କର୍ମୀମାନେ ମଙ୍ଗଳବାର ପୂର୍ବାହ୍ଣରେ ଲଙ୍କାକାଣ୍ଡ ଘଟାଇଛନ୍ତି। ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ନେଇ ଏବିଭିପିର ଶତାଧିକ କର୍ମୀ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବୋର୍ଡ କର୍ତ୍ତୃପକ୍ଷଙ୍କ ଅପରିଣାମଦର୍ଶିତା ଯୋଗୁଁ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେଉଛି। ଏହାକୁ ରୋକିବାରେ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗକରି ଶତାଧିକ କର୍ମୀ ବୋର୍ଡ କାର୍ଯ୍ୟାଳୟ ଭିତରକୁ ଜୋରଜବରଦସ୍ତ ପ୍ରବେଶ କରିଥିଲେ। କାର୍ଯ୍ୟାଳୟର ବିଭିନ୍ନ ପ୍ରକୋଷ୍ଠରେ ଚୌକି, ଟେବୁଲ ଭଙ୍ଗାରୁଜା କରିଥିଲେ। ଖବର ପାଇ ମଙ୍ଗଳାବାଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ
କର୍ମୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ପାଲଟା ସେମାନେ ପୁଲିସକୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଉତ୍ତ୍ୟକ୍ତ ଏବିଭିପି କର୍ମୀଙ୍କୁ ଘଉଡ଼ାଇବା ପାଇଁ ପୁଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା। ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଦୀର୍ଘସମୟଧରି ଛକାପଞ୍ଝା ଲାଗିରହିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା। ଏହି ଘଟଣାରେ ପୁଲିସ ଏବିଭିପିର ୨୧ଜଣଙ୍କୁ ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ, ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ୨୩ତାରିଖରୁ ଆରମ୍ଭ ହୋଇଛି। ୨୩ତାରିଖରେ ପ୍ରଥମ ଭାଷା ଓଡ଼ିଆ ଏବଂ ୨୬ତାରିଖରେ ଇଂରାଜୀ ଦ୍ୱିତୀୟ ଭାଷା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। କେତେକ ବିଦ୍ୟାର୍ଥୀ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେଇ ପ୍ରଶ୍ନପତ୍ରଗୁଡିକୁ ହ୍ୱାଟସ୍‌ଆପ ଓ ଫେସ୍‌ବୁକରେ ଛାଡିଦେଇଥିଲେ। ଏହାକୁ ନେଇ ରାଜ୍ୟବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଘଟଣା ପ୍ରଘଟ ହେବା ପରେ ଗଣଶିକ୍ଷା ବିଭାଗ ନିର୍ଦେଶନାମା ଜାରିକରି ପରୀକ୍ଷାକେନ୍ଦ୍ରକୁ ମୋବାଇଲ ଫୋନ ନେବା ଉପରେ କଟକଣା ଜାରି କରିଥିଲା। ଏହାସତ୍ତ୍ୱେ ଗତକାଲି ଇଂରାଜୀ ଦ୍ୱିତୀୟପତ୍ର ମଧ୍ୟ ଫେସ୍‌ବୁକ ଓ ହ୍ୱାଟସ୍‌ଆପରେ ଭାଇରାଲ ହୋଇଥିଲା। ବୋର୍ଡ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ମାଟ୍ରିକ ପରୀକ୍ଷା ପରିଚାଳନାରେ ବିଭ୍ରାଟ ହେଉଥିବା ଅଭିଯୋଗ କରି ଆଜି ପୂର୍ବାହ୍ଣରେ ଏବିଭିପିର ଶତାଧିକ କର୍ମୀ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସେମାନେ ବୋର୍ଡ ସଭାପତିଙ୍କୁ ଭେଟିବା ପାଇଁ ଜୋରଜବରଦସ୍ତ ତାଙ୍କ କାର୍ଯ୍ୟାଳୟ ଭିତରକୁ ପଶିଥିଲେ। ସଭାପତିଙ୍କ ସହିତ ଆଲୋଚନା କରିବା ବଦଳରେ କାର୍ଯ୍ୟାଳୟର ବିଭିନ୍ନ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। କର୍ମୀଙ୍କ ଲଙ୍କାକାଣ୍ଡ ଯୋଗୁଁ କର୍ମଚାରୀମାନେ ଆତଙ୍କିତ ହୋଇପଡିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଡିସିପି ଅଖିଳେଶ୍ୱର ସିଂଙ୍କ ସମେତ ଜୋନ-୨ଏସିପି ସେକ ସରିଫଉଦ୍ଦିନ, ତ୍ରିନାଥ ମିଶ୍ର, ଅନିଲ ମିଶ୍ରଙ୍କ ସମେତ ବିଭିନ୍ନ ଥାନାଧିକାରୀ ବୋର୍ଡରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରିବା ସତ୍ତ୍ୱେ ପରିସ୍ଥିତି ଶାନ୍ତ ହୋଇନଥିଲା। ପୁଲିସ କେତେକ କର୍ମୀଙ୍କୁ ଅଟକ ରଖିବା ପରେ ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ। ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ କରିବା ସହିତ ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଗିରଫ ପାଇଁ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରହିଥିବା ଡିସିପି ଶ୍ରୀ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ପୁଲିସର ଆକ୍ରମଣକୁ ବିଜେପିର ନିନ୍ଦା
ଭୁବନେଶ୍ୱର  : ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରୁଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର କାର୍ଯ୍ୟକର୍ତାଙ୍କୁ କମିଶନରେଟ୍‌ ପୁଲିସର ଆକ୍ରମଣକୁ ବିଜେପି ନିନ୍ଦା କରିଛି। ଯୁବମୋର୍ଚାର ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଂଜିତ ଦାସ କହିଛନ୍ତି ଯେ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରିବାର ସମସ୍ତଙ୍କର ଅଧିକାର ରହିଛି। ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଭାଗ୍ୟ ସହ ଖେଳୁଥିବା ଶିକ୍ଷା ବିଭାଗ ଓ ମାଧ୍ୟମିକ ଶିକ୍ଷା ବୋର୍ଡ ବିରୁଦ୍ଧରେ ଗଣତାନ୍ତ୍ରିିକ ଉପାୟରେ ପ୍ରତିବାଦ କରିବାକୁ ଯାଇଥିବା ଏବିଭିପିର କାର୍ଯ୍ୟକର୍ତାମାନଙ୍କୁ ପୁଲିସ ଗୋଇଠା ଓ ଲାଠି ମାଡ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଦାସ କହିଛନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories