ପଳାତକ ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତ ପାଇଁ ଖୁବଶୀଘ୍ର ଆଇନ ଆଣିବେ ସରକାର

0

ନୂଆଦିଲ୍ଲୀ : କୋଟି କୋଟି ଟଙ୍କାର ଠକେଇ ମାମଲାରେ ସଂଶ୍ଲିଷ୍ଟ ହେବାପରେ ଗିରଫଦାରୀ ଏଡାଇବାକୁ ବିଦେଶ ପଳାଉଥିବା ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଖୁବଶୀଘ୍ର ଏକ ଆଇନ ପ୍ରଣୟନ କରିବାକୁ ଚିନ୍ତା କରୁଥିବା ଜଣାପଡିଛି। ନିକଟରେ ବିଶିଷ୍ଟ ହୀରା ବ୍ୟବସାୟୀ ନିରବ ମୋଦି, ତାଙ୍କ ମାମୁଁ ମେହୁଲ ଚୋକ୍‌ସି ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଋଣ ଆକାରରେ ଉଠାଇଥିବା ୧୧,୫୦୦ କୋଟି ଟଙ୍କାକୁ ପରିଶୋଧ ନ କରି ବିଦେଶ ପଳାଇଛନ୍ତି। ପୂର୍ବରୁ ବିଶିଷ୍ଟ ଶିଳ୍ପପତି ବିଜୟ ମାଲ୍ୟା ମଧ୍ୟ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯୦୦୦ କୋଟି ଟଙ୍କା ଋଣ କରିବାପରେ ଦୁଇବର୍ଷ ହେବ ଲଣ୍ଡନରେ ସ୍ୱେଚ୍ଛାକୃତ ନିର୍ବାସନ ଦଣ୍ଡ ଭୋଗୁଛନ୍ତି। ଏଭଳି ଆଉ କେତେକ ବ୍ୟାଙ୍କ ଠକେଇ ମାମଲା ମଧ୍ୟ ଲୋକଲୋଚନକୁ ଆସିଥିବା ପରିପ୍ରେକ୍ଷୀରେ ସରକାର ବର୍ତ୍ତମାନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଉଦ୍ୟମ କରୁଥିବା ଜଣାପଡିଛି। ୧୦୦ କୋଟି ଟଙ୍କା କିମ୍ବା ତଦୁଦ୍ଧ୍ୱର୍ ପରିମାଣର ଋଣ ଉଠାଇ ବିଦେଶ ପଳାଉଥିବା ଅପରାଧୀଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତ କରିବାକୁ ଏଭଳି ଆଇନର ଆବଶ୍ୟକତା ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟ ଦେଶରେ ପ୍ରଚଳିତ ଅନୁରୂପ ଆଇନକୁ ଅନୁସରଣ କରି ଏ ସଂକ୍ରାନ୍ତ ବିଧେୟକ ପ୍ରସ୍ତୁତ କରାଯାଇଛି। ଏପରିକି କେତେକ ସଂଶୋଧନ ପରେ ଆଇନ ମନ୍ତ୍ରଣାଳୟ ମଧ୍ୟ ଏହି ବିଧେୟକକୁ ଅନୁମୋଦନ କରିସାରିଛି।
ପ୍ରସ୍ତାବିତ ବିଧେୟକ ଅନୁଯାୟୀ ପଳାତକ ଅର୍ଥନୈତିକ ଅପରାଧୀଙ୍କର ସମ୍ପତ୍ତି ବାଜ୍ୟାପ୍ତ କରିବା କ୍ଷମତା ପ୍ରବର୍ତ୍ତନ ନିର୍ଦେଶାଳୟ ଉପରେ ନ୍ୟସ୍ତ କରାଯିବ। ଏପରିକି ଯଦି ସଂପୃକ୍ତ ଅପରାଧୀ ଦୀର୍ଘ ସମୟ ଧରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ ନ କରନ୍ତି, ତେବେ ତାଙ୍କର ସମ୍ପତ୍ତିକୁ ନିଲାମ କରିବାର ଅଧିକାର ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ନିକଟରେ ସଂରକ୍ଷିତ ରହିବ। ଭାରତୀୟ ପିଙ୍ଗଳ କୋଡ୍‌, ଦୁର୍ନୀତି ନିବାରଣ ଆଇନ, ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ ଆଇନ, ବର୍ହିଃଶୁଳ୍‌କ ଆଇନ ଅନୁଯାୟୀ ଏଭଳି ଅପରାଧୀଙ୍କ ପାଇଁ ଯେଭଳି ଦଣ୍ଡବିଧାନ ବ୍ୟବସ୍ଥା ରହିଥିବ, ତାହାକୁ ଅନୁସରଣ କରି ଆଇନ ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି।

Leave A Reply