www.samajalive.in
Thursday, December 11, 2025
16.1 C
Bhubaneswar

ପଞ୍ଚମ ପାଳିର ଆହ୍ୱାନ

କ୍ରମାଗତ ୨୦ ବର୍ଷ ଧରି ରାଜ୍ୟବାସୀଙ୍କ ଅକୁଣ୍ଠ ଶ୍ରଦ୍ଧା, ସମର୍ଥନ ଓ ସହଯୋଗର ଅଧିକାରୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀ ଆଉ ୫ ବର୍ଷ ଶାସନ ପାଇଁ ଜନାଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ ରାଜ୍ୟବାସୀଙ୍କ ମୁରବି ଭାବରେ ସୁପ୍ରିମୋଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ପୂର୍ବାପେକ୍ଷା ଆହୁରି ବୃଦ୍ଧି ପାଇଛି। ଏବେ ୨୦୨୪କୁ ଲକ୍ଷ୍ୟ ରଖି ସୁପ୍ରିମୋଙ୍କୁ ରାଜ୍ୟବାସୀଙ୍କ କଲ୍ୟାଣ ଓ ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ଚିନ୍ତା କରିବାକୁ ପଡ଼ିବ। କେବଳ ଚିନ୍ତା କିମ୍ବା ଯୋଜନା କଲେ ହେବନି। ସେଗୁଡ଼ିକର ଯେପରି ସଫଳ ରୂପାୟନ ହେବ ଏବଂ ଜନକଲ୍ୟାଣକାରୀ ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ସୁବିଧାରେ ପହଞ୍ଚି ପାରିବ ସେ ଦିଗରେ ମଧ୍ୟ ଯତ୍ନବାନ ହେବାକୁ ପଡ଼ିବ। ନିଷ୍ଠାବାନ, କର୍ମଠ, ଦାୟିତ୍ୱବାନ, ବିଶ୍ୱସ୍ତ ଓ ନିର୍ଭରଯୋଗ୍ୟ ଅଧିକାରୀମାନେ ଯୋଜନାର ରୂପାୟନ ଦାୟିତ୍ୱରେ ରହିଲେ ସୁପ୍ରିମୋଙ୍କୁ ଆଉ ‘ମୁଁ ନିଜେ ଏହି ଅଞ୍ଚଳର ଦାୟିତ୍ୱ ନେବି’ ବୋଲି କହିବାକୁ ପଡ଼ିବ ନାହିଁ। ଏଥିସହିତ ନବୀନଙ୍କ ପଞ୍ଚମ ପାଳିର ନୂଆ ପାରିଷଦବର୍ଗ ମଧ୍ୟ ଅଧିକ ଲୋକାଭିମୁଖୀ ହେଲେ ପରିଣତ ବୟସରେ ନିର୍ବାଚନ ପ୍ରଚାରକୁ ଏକାକୀ ନିଜ କାନ୍ଧରେ ବୋହିବାର କଷ୍ଟରୁ ସୁପ୍ରିମୋଙ୍କୁ ଲାଘବ ମିଳିପାରିବ।
ରାଜ୍ୟ ଓ ଜାତୀୟ ରାଜନୀତିରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ତଥା ଏକ ବିରଳ ରେକର୍ଡ ପ୍ରତିଷ୍ଠା ଦିଗରେ ଅଗ୍ରସର ହେଉଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ଆସନ୍ତା ୫ ବର୍ଷ ଅନେକ ସମସ୍ୟା ଓ ଆହ୍ୱାନର ପାଳି ହେବ। ସେଥିମଧ୍ୟରୁ କିଛି ପୁରୁଣା ଓ ଚିରାଚରିତ ସମସ୍ୟାର ସ୍ଥାୟୀ ସମାଧାନ ବାଟ ଖୋଜିବା ସହିତ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଦୂରଦୃଷ୍ଟିସମ୍ପନ୍ନ ଦୀର୍ଘମିଆଦୀ ଯୋଜନା ହାତକୁ ନେବାକୁ ପଡ଼ିବ।
ନବୀନ ସରକାରଙ୍କ ପାଇଁ ପ୍ରଥମ ଓ ପ୍ରଧାନ ଆହ୍ୱାନ ହେବ ‘ଫଣି’ ବିଧ୍ୱସ୍ତ ପୃଷ୍ଠଭୂମିରେ ବଜେଟ୍‍ ପ୍ରସ୍ତୁତି। ବାତ୍ୟାଜନିତ କ୍ଷୟକ୍ଷତି ୧୨ ହଜାର କୋଟି ଟଙ୍କା ଟପିବ ବୋଲି ଆକଳନ କରାଯାଇଛି। କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁନରୁଦ୍ଧାର ଓ ପୁନର୍ଗଠନ ପାଇଁ ମଧ୍ୟ ପ୍ରଚୁର ଅର୍ଥ ଆବଶ୍ୟକ। ଏଥିସହିତ ଜନମଙ୍ଗଳ ସରକାରର ପ୍ରଥମ ଦାୟିତ୍ୱ ଓ କର୍ତ୍ତବ୍ୟ ଭାବରେ ବାତ୍ୟାରେ ଉଜୁଡ଼ି ଯାଇଥିବା ଜୀବନଜୀବିକାକୁ ନୂଆ ରାହା ଦେଖାଇବାକୁ ପଡ଼ିବ। ବାତ୍ୟା, ବନ୍ୟା, ମରୁଡ଼ି ଓଡ଼ିଶାର ଚିର ସହଚର। ଆସନ୍ତା ୫ ବର୍ଷ ଭିତରେ ଓଡ଼ିଶା ଯେ ‘ଫଣି’ ଭଳି ଆଉ ଏକ ବିଧ୍ୱଂସକାରୀ ବାତ୍ୟାର ସମ୍ମୁଖୀନ ହେବ ନାହିଁ, ତାହା କିଏ କହିବ? ତେଣୁ ବାତ୍ୟା ଓ ବନ୍ୟାଜନିତ କ୍ଷୟକ୍ଷତିକୁ ଯଥାସମ୍ଭବ ହ୍ରାସ କରିବା ଲାଗି ଦୀର୍ଘମିଆଦୀ ଯୋଜନା ପ୍ରଣୟନ କରିବାକୁ ହେବ। ମରୁଡ଼ି ଓ ଜଳକ୍ଲିଷ୍ଟ ଅଞ୍ଚଳରେ ଫସଲ ହାନି ସମସ୍ୟାକୁ ଏଡ଼ାଇବା ପାଇଁ ଜଳସେଚନ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟକୁ ଆହୁରି ବ୍ୟାପକ ଓ ରୂପାୟନକୁ ଆହୁରି ତ୍ୱରାନ୍ୱିତ କରିବା ଦିଗରେ ଚିନ୍ତା କରିବାକୁ ପଡ଼ିବ। ଏସବୁ ରାଜ୍ୟ ବଜେଟ୍‍ରେ ପ୍ରତିଫଳିତ ହେବ। ଇତିମଧ୍ୟରେ ବିଭିନ୍ନ କାରଣରୁ ରାଜ୍ୟର ଋଣ ଭାର ବୃଦ୍ଧି ପାଇଛି। ସେହିଦୃଷ୍ଟିରୁ ଆଗାମୀ ବଜେଟ୍‍ କେତେ ଦୂର ସମତୁଲ ହୋଇପାରିବ ତାହା ମୁଖ୍ୟମନ୍ତ୍ରୀ, ତାଙ୍କ ପାରିଷଦବର୍ଗ ଓ ପରାମର୍ଶଦାତାଙ୍କ ବିତ୍ତୀୟ ପରିଚାଳନାର ବିଚକ୍ଷଣତା ଉପରେ ନିର୍ଭର କରିବ। ରାଜ୍ୟ ରାଜକୋଷୀୟ ନିଅଣ୍ଟର ସଠିକ ପରିଚାଳନା ଓ ଜନମଙ୍ଗଳ ସରକାରର କର୍ତ୍ତବ୍ୟ ଭିତରେ ଏକ ସହଜ ଓ ସରଳ ଉପାୟ ଖୋଜି ବାହାର କରିବା ରାଜ୍ୟ ସରକାରଙ୍କ ପାଇଁ ମୁଖ୍ୟ ଆହ୍ୱାନ ହେବ।
ଏତଦ୍‍ବ୍ୟତୀତ ଆଗାମୀ ଦିନରେ ମହାନଦୀ ଓ ପୋଲାଭରମ୍‍ ପ୍ରକଳ୍ପ ମଧ୍ୟ ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟ ସମସ୍ୟା ରୂପେ ଉଭା ହେବ। ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଏହି ସମସ୍ୟାର ସମାଧାନ ଆଶା ଯେ କ୍ଷୀଣ ତାହା ପୂର୍ବ ଅଭିଜ୍ଞତାରୁ ସ୍ପଷ୍ଟ। ଏବେ ଏହି ଦୁଇ ପ୍ରସଙ୍ଗ ନ୍ୟାୟିକ ବିଚାର ପ୍ରକ୍ରିୟା ଅଧୀନ ହୋଇସାରିଥିବାରୁ ବିଜେଡି ସରକାରଙ୍କୁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବାକୁ ହେବ। ମହାନଦୀ ବଞ୍ଚାଅ ଅଭିଯାନକୁ ଆହୁରି ବ୍ୟାପକ କରିବା ସହିତ ଅବବାହିକାରେ ଚାରାରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ। ଏହା ଯେତେ ଶୀଘ୍ର ହେବ ତାହା ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ ମଙ୍ଗଳପ୍ରଦ। ଓଡ଼ିଶାର ଜୀବନ ଓ ଜୀବିକାର ଅବିଚ୍ଛେଦ୍ୟ ଅଙ୍ଗ ମହାନଦୀ ପ୍ରସଙ୍ଗ ବିରୋଧୀଙ୍କ ପାଇଁ ମଧ୍ୟ ଆହ୍ୱାନ ସୃଷ୍ଟି କରିଛି। ଛତିଶଗଡ଼ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ନେତୃତ୍ୱାଧୀନ ବିଜେପି ସରକାର ଅମଳରେ ହିଁ ଓଡ଼ିଶା ପାଇଁ ମହାନଦୀ ସମସ୍ୟା ସୃଷ୍ଟି ହୋଇଥିଲା। ମହାନଦୀ ପ୍ରସଙ୍ଗରେ ସେତେବେଳେ ରାଜ୍ୟ ବିଜେପି ଶାଖା ଛତିଶଗଡ଼ ସରକାରଙ୍କୁ ନିରବ ସମର୍ଥନ କରୁଥିବା ଓଡ଼ିଶାବାସୀଙ୍କ ହୃଦବୋଧ ହୋଇଥିଲା। ଇତିମଧ୍ୟରେ ରାଜନୈତିକ ସ୍ଥିତି ବଦଳିଛି। ଛତିଶଗଡ଼ରେ ବିଜେପି ସରକାର କ୍ଷମତାଚ୍ୟୁତ ହୋଇଥିବା ବେଳେ ଓଡ଼ିଶାରେ ବିଜେପି ବିରୋଧୀ ଦଳ ଆସନରେ ବସିବାକୁ ଯାଉଛି। ତେଣୁ ରାଜ୍ୟ ସରକାରଙ୍କ ମହାନଦୀ ବଞ୍ଚାଅ ଅଭିଯାନକୁ ରାଜ୍ୟ ବିଜେପି ଶାଖା ବିରୋଧ କରିବ କି ସମର୍ଥନ କରିବ ସେଦିଗରେ ଭାବିଚିନ୍ତି ପଦକ୍ଷେପ ନେବାକୁ ପଡ଼ିବ। ୨୦୨୪ ନିର୍ବାଚନ ଏବଂ ତା’ ପୂର୍ବରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ବିଜେପି ନେତାଙ୍କୁ ଏହି ପ୍ରସଙ୍ଗ ଓ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିବ।
୨୦୧୯ ନିର୍ବାଚନ ଫଳାଫଳ ପରେ ବିଜେଡି ସୁପ୍ରିମୋଙ୍କ ସମଦୂରତ୍ୱ ସୂତ୍ର ଆଉ ଯୁଗୋପଯୋଗୀ ନୁହେଁ ବୋଲି ମତ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଜାରି ରହିବ କି ନାହିଁ ତାହା ଏକ ପ୍ରଶ୍ନ। ସେହିପରି କେନ୍ଦ୍ରୀୟ ଅବହେଳା ଅଭିଯୋଗ କ୍ଷୀଣ ହେବ ନା ଆହୁରି ତୀବ୍ର ହେବ ତାହା ଉପରେ ସମସ୍ତଙ୍କ ଦୃଷ୍ଟି ରହିବ। ଆଗାମୀ ଦିନରେ ଲୋକସଭାରେ ଆଗତ ହେବାକୁ ଥିବା ଚିଠା ପ୍ରସ୍ତାବ ଏବଂ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୋଣକୁ ବିଜେଡି ସାଂସଦମାନେ ସମର୍ଥନ ଦେବେ ନା ନାହିଁ ତାହା ମଧ୍ୟ ଚର୍ଚ୍ଚାକୁ ଆସିବ। ଯୁଗୋପଯୋଗୀ ରାଜନୈତିକ ସମୀକରଣ ଦୃଷ୍ଟିରୁ ଏକପକ୍ଷରେ କେନ୍ଦ୍ର ସରକାରଙ୍କୁ ସମର୍ଥନ, ଅପରପକ୍ଷରେ ରାଜ୍ୟବାସୀଙ୍କ ସ୍ୱାର୍ଥସାଧନର ସୂତ୍ରକୁ ଏକ ସୁପରିକଳ୍ପିତ ମାର୍ଗରେ ପରିଚାଳିତ କରିବାର ଆହ୍ୱାନ ଏବଂ ତାହାର ସମାଧାନ ହିଁ ବିଜେଡି ସୁପ୍ରିମୋଙ୍କୁ ଜଣେ ବିଚକ୍ଷଣ ରାଜନୀତିଜ୍ଞ ଓ ଜନନେତା ଭାବରେ ପୁଣି ଥରେ ପ୍ରମାଣିତ କରିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories