ନୂଆପଡା: ନୂଆପଡା ବିଧାନସଭା ଉପନିର୍ବାଚନକୁ ଲକ୍ଷ୍ୟ କରି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଗାଁ ଗାଁ ବୁଲି ଜନସମ୍ପର୍କ ଓ ସଭା ସମାବେଶ କରୁଛନ୍ତି। ସେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ଲୋକମାନଙ୍କୁ ନିବେଦନ କରୁଛନ୍ତି।
ଏହି ଅବସରରେ ବିଶି କହିଛନ୍ତି ଯେ, ବିଜୁ ପଟ୍ଟନାୟକ ଯୁଗରୁ ନୂଆପଡା ବିକାଶମୂଳକ ରାଜନୀତିକୁ ଚୟନ କରିଛି। ଚୁକଟିଆ ଭୁଞ୍ଜିଆ ସମ୍ପ୍ରଦାୟକୁ ଆଦିବାସୀ ତାଲିକାରେ ସାମିଲ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯାହା ଭୁଞ୍ଜିଆ ଜୀବିକାକୁ ଦୃଢ଼ କରିଛି। ବିଜେଡି ଗାଁ ଯୋଡ଼ିବା ପାଇଁ ରାସ୍ତା, ବ୍ରିଜ, କଲଭର୍ଟ କରିଛି, ଚାଷୀମାନଙ୍କ ପାଇଁ ଜଳସେଚନ ସୁବିଧା, ମେଗା ଜଳସେଚନ ପ୍ରକଳ୍ପ, ଗଭୀର ନଳକୂପ ଓ ଗାଁ ଗାଁକୁ ପିଇବା ପାଣି ଯୋଗାଣ, ମିଶନ୍ ଶକ୍ତି ମାଧ୍ୟମରେ ମହିଳା ସଶକ୍ତୀକରଣ, ସ୍କୁଲ, କଲେଜ, ୟୁନିଭର୍ସିଟି ପାଇଁ ଆଧୁନିକ ଭବନ, ଚିକିତ୍ସା ସେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ପ୍ରତିବର୍ଷ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା, ପୁରୁଷଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଦେଇଛି। ସେହିପରି ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ଦିବ୍ୟାଙ୍ଗଜନ ଭତ୍ତା, ଶ୍ରମିକ ଭତ୍ତା, ଜନନୀ ସୁରକ୍ଷା ଯୋଜନା, ଗର୍ଭଧାରଣରୁ ସୁରକ୍ଷିତ ଶିଶୁଜନ୍ମ ପର୍ଯ୍ୟନ୍ତ, ଜନ୍ମରୁ ମୃତ୍ୟୁ ସଂସ୍କାର ପର୍ଯ୍ୟନ୍ତ କଲ୍ୟାଣ ଯୋଜନା, ଏସଟି/ଏସସି, ଓବିସି ଛାତ୍ରଛାତ୍ରୀଙ୍କୁ ବୃତ୍ତି, ଛାତ୍ରବୃତ୍ତି ଓ ଆର୍ଥିକ ସହାୟତା ପ୍ରଦାନ କରିଛି। ବିଜେପି ସରକାରକୁ ସମାଲୋଚନା କରି ବିଶି କହିଲେ, “ଦେଢ଼ ବର୍ଷ ଭିତରେ ବିଜେପି ସରକାର ନୂଆ ପ୍ରକଳ୍ପ କରି ନାହିଁ। ବିକାଶ ଧାରାକୁ ବନ୍ଦ କରିଦେଇଛି। ଜନକଲ୍ୟାଣ ଯୋଜନା କାଟିବାରେ ଲାଗିଛି।”
ନୂଆପଡା ବିକାଶ, ଶାନ୍ତି ଓ ସ୍ୱାଭିମାନର ପକ୍ଷରେ ରହିଛି। ସେହି ଯାତ୍ରାକୁ ଜାରି ରଖିବା ପାଇଁ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବହୁ ଭୋଟରେ ବିଜୟୀ କରିବାକୁ ସାଂସଦ ବିଶି ଲୋକଙ୍କୁ ଗୁହାରି କରିଛନ୍ତି।



