ଦୁର୍ଘଟଣାରେ ଜଣେ ଆହତ, ପ୍ରତିବାଦରେ ରାସ୍ତାରୋକ
ଆଠଗଡ : ଆଠଗଡ ସହର ଦେଇ ଯାଇଥିବା ପୁରୁଣା କଟକ-ସମ୍ବଲପୁର ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଦୀର୍ଘଦିନ ହେଲା ଚାଲିଛି । ଅତ୍ୟନ୍ତ ଧିର ମନ୍ଥର ଗତିରେ ଚାଲିଥିବାରୁ ଅଧିକାଂଶ ସ୍ଥାନରେ ରାସ୍ତା କାମ ଅଧପନ୍ତରିଆ ହୋଇ ରହିଛି । ଅନେକ ସ୍ଥାନରେ ରାସ୍ତା ଖୋଳାହୋଇ ରହିଥିବା ଓ ଖାଲଖମା ହୋଇଥିଲେ ମଧ୍ୟ ସେଠାରେ କୌଣସି ସୂଚନା ଫଳକ ଲଗାଯାଇ ନଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ରବିବାର ସନ୍ଧ୍ୟାରେ କରିକୋଲ ସ୍କୁଲ ନିକଟରେ ଥିବା ଏକ ପୋଲିଆ ନିକଟରେ ରାସ୍ତା କାମ ଅଧପନ୍ତରିଆ ହୋଇ ରହିଥିବାରୁ ଏକ ବାଇକ ଓ ସ୍କୁଟି ମଧ୍ୟରେ ଦୁର୍ଘଟଣା ଘଟିଥିଲା। ମୁହାଁମୁହିଁ ଦୁର୍ଘଟଣା ଘଟିବା ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଆହତ ବାଇକ ଚାଳକଙ୍କୁ ଆଠଗଡ ଡାକ୍ତରଖାନା ପଠାଇଥିଲେ। ଦୀର୍ଘଦିନ ହେବ ଚାଲିଥିବା ଉକ୍ତ ରାସ୍ତା କାମ ଅଧପନ୍ତରିଆ ରହିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ଠିକାଦାର ଓ ପୂର୍ତ୍ତ ବିଭାଗ ଏସବୁକୁ ଅଣଦେଖା କରୁଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳ ଲୋକ ଅଭିଯୋଗ କରିଛନ୍ତି । ଆଜିର ଦୁର୍ଘଟଣା ପରେ ଅସନ୍ତୁଷ୍ଟ ସ୍ଥାନୀୟଲୋକେ ପୁରୁଣା କଟକ-ସମ୍ବଲପୁର ରାସ୍ତାକୁ କରିକୋଲ ସ୍କୁଲ ନିକଟରେ ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ଆଠଗଡ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ଠିକାଦାରଙ୍କ ସହ ଆଲୋଚନା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
Comments are closed.