ଦିଲୀପ ତିର୍କୀଙ୍କୁ କୃପାଜଳ ସମ୍ମାନ-୨୦୧୮

0

ପିପିଲି: କୃପାଜଳ ଇଞ୍ଜିନିୟରିଂ କଲେଜର ୨୧ତମ ତିନିଦିନିଆ ବାର୍ଷିକ କ୍ରୀଡା ଉତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଅର୍ନ୍ତଜାତୀୟ ଓଡିଆ ହକି ଖେଳାଳି ତଥା ରାଜ୍ୟ ସଭା ସାଂସଦ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କୁ କୃପାଜଳ ସମ୍ମାନ-୨୦୧୮ରେ ସମ୍ବର୍ଦ୍ଧିତ କରାଯାଇଛି। କ୍ରୀଡା କ୍ଷେତ୍ରରେ ଦୀର୍ଘ ଦୁଇ ଦଶନ୍ଧିର ନିରନ୍ତର ଅବଦାନ ସହ ବିଭିନ୍ନ ଜାତୀୟ ଓ ଆର୍ନ୍ତଜାତୀୟ ସଫଳତା ପାଇଁ କୃପାଜଳ ଗୃପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍ସର ଚେୟାରମ୍ୟାନ ଡ଼. ଭବାନୀ ଚରଣ ରଥ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବା ସହ ତାଙ୍କର ସଫଳତା କାମନା କରିଥିଲେ।
କଲେଜର ବାର୍ଷିକ କ୍ରୀଡାର ଉଦ୍‌ଯାପନୀ ଉତ୍ସବରେ ପଦ୍ମଶ୍ରୀ ଶ୍ରୀ ତିର୍କି ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ, ନିଜର ସର୍ବାଙ୍ଗ ଉନ୍ନତି ପାଇଁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ରୀଡାରେ ସାମିଲ ହେବା ପାଇଁ ପରାମର୍ଶ ଦେବା ସହ ଆଗାମୀ ଦିନରେ ଭୁବନେଶ୍ୱର ଠାରେ ହେବାକୁ ଥିବା ବିଶ୍ୱ ହକି ପ୍ରତିଯୋଗିତା ସଂପର୍କରେ ଆଲୋକପାତ କରିଥିଲେ। କୃପାଜଳ ଗୃପ୍‌ର ଚେୟାରମ୍ୟାନ୍‌ ଡ଼ଃ ରଥ ନିଜର ବକ୍ତବ୍ୟରେ ଶ୍ରୀ ତିର୍କିଙ୍କ ବିଭିନ୍ନ ସଫଳତା ସଂପର୍କରେ ଆଲୋକପାତ କରିବା ସହ ତାଙ୍କର ଜୀବନଶୈଳୀକୁ ଅନୁକରଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କଲେଜର ଡାଇରେକ୍ଟର ବିଭୂତି ଭୂଷଣ ରଥ ଶ୍ରୀ ତିର୍କିଙ୍କ ଅଲମ୍ପିକ୍‌ ଅନୁଭୂତି ଉପରେ ଆଲୋକପାତ କରିବା ସହ ନିଜର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପଥକୁ ବାସ୍ତବ ରୂପ ଦେବା ପାଇଁ ସର୍ବଦା ପ୍ରୟାସ ଜାରି ରଖିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କଲେଜର ପ୍ରିନ୍ସପାଲ ପ୍ରଫେସର ଡ଼ଃ ନିରଞ୍ଜନ ମିଶ୍ର ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ନିଜର ସ୍ୱାଗତ ଭାଷଣରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଫେସର ଚିନା ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିବା ବେଳେ କଲେଜର ଆଡ୍‌ମିନ୍‌ ଅଫିସର ନିବେଦିତା ସାମଲ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply