BJD Bijuli 480×75 Mob

ଗ୍ରାଉଣ୍ଡ ପରିଦର୍ଶନ କଲେ ଏଫଆଇଏଚ୍‍ ପ୍ରତିନିଧି

BJD Bijuli 480×75 Mob
0

ଭୁବନେଶ୍ୱର: ଆଉ ମାତ୍ର ୮୩ ଦିନ ପରେ କଳିଙ୍ଗ ଷ୍ଟାଡିୟମ୍‍ରେ ଆରମ୍ଭହେବ ୧୪ଶ ପୁରୁଷ ହକି ବିଶ୍ୱକପ୍‍। ଏହି ବିଶ୍ୱକପ୍‍ ଲାଗି ଲାଗି ପ୍ରସ୍ତୁତି ଅନ୍ତିମ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ କେବଳ ଫିନିସିଂ ବାକି ରହିଛି। ରାଜ୍ୟ ସରକାର ଏହି ବିଶ୍ୱକପ୍‍କୁ ଆୟୋଜନ ଦୃଷ୍ଟିରୁ ସଫଳ କରିବା ପାଇଁ ମଧ୍ୟ ସବୁପ୍ରକାର ପ୍ରସ୍ତୁତି ଚଳାଇଛନ୍ତି। ଏହି ବିଶ୍ୱକପ୍‍ ପାଇଁ ମଙ୍ଗଳବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‍) ଗ୍ରାଉଣ୍ଡ ବୈଷୟିକ ଦଳ ହକି ଗ୍ରାଉଣ୍ଡ ପରୀକ୍ଷା କରିଛନ୍ତି। ଅନ୍ୟପକ୍ଷରେ ହକି ବିଶ୍ୱକପରୁ ଅଧିକ ଲୋକପ୍ରିୟତା କରିବା ନେଇ ମାଇ ହାର୍ଟ ବିଟ୍‍ସ ଫର୍‍ ହକି କାର୍ୟ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ସଚିବାଳୟରେ ପ୍ରଦର୍ଶିତ ହୋଇଛି ହକି ବିଶ୍ୱକପ୍‍ର ଅବିକଳ ପ୍ରତିକୃତି ଟ୍ରଫି।
ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ୟ୍ୟନ୍ତ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତା ଖେଳାଯିବ। ଏଥିପାଇଁ ମାଇ ହାର୍ଟ ବିଟ୍‍ସ ଫର୍‍ ହକି ଗତ ଅଗଷ୍ଟ ୨୯ରୁ ଆରମ୍ଭହେବା ପରେ ଆରମ୍ଭ ହୋଇଯାଇଛି ଅବଗଣନା। ଏହି କାର୍ୟ୍ୟକ୍ରମ ମାଧ୍ୟମରେ ମଙ୍ଗଳବାର ସଚିବାଳୟରେ ପ୍ରଦର୍ଶିତ ହୋଇଛି ହକି ବିଶ୍ୱକପ ଟ୍ରଫି। ୧୦ ଫୁଟ ଉଚ୍ଚ ବିଶିଷ୍ଟ ଟ୍ରଫିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିଥିଲେ। ସଚିବାଳୟକୁ ଆସୁଥିବା କର୍ମଚାରୀ ଓ ସାଧାରଣ ଲୋକେ ଟ୍ରଫିକୁ ଦେଖିବା ସହିତ ଟ୍ରଫି ସହିତ ସେଲ୍‍ଫି ନେଇଥିଲେ। ଏହି ଟ୍ରଫି ରାଜ୍ୟର ୧୮ଟି ସ୍ଥାନରେ ପ୍ରଦର୍ଶିତ ହେବ। ଅନ୍ୟପକ୍ଷରେ ପ୍ରତିଯୋଗିତା ଲାଗି ଗ୍ରାଉଣ୍ଡ ପ୍ରସ୍ତୁତି କାର୍ୟ୍ୟର ତଦାରଖ କରିଛନ୍ତି ଅନ୍ତର୍ଜାତୀୟ ହକି ମହାସଂଘ ପ୍ରତିନିଧି। ଏଫଆଇଏଚ୍‍ ୩ ଜଣିଆ ପ୍ରତିନିଧି ମୁଖ୍ୟ ହକି ଗ୍ରାଉଣ୍ଡ ଓ ଅଭ୍ୟାସ ଗ୍ରାଉଣ୍ଡରେ ବିଛା ଯାଇଥିବା ନୂତନ ଟର୍ଫକୁ ତଦାରଖ କରିଥିଲେ। ଗ୍ରାଉଣ୍ଡ ସମତଳ କରିବା କାର୍ୟ୍ୟରୁ ଆରମ୍ଭ କରି ଡି ଏରିଆ, ପେନାଲ୍‍ଟି ଏରିଆ, ବ୍ୟାକ୍‍ ଏରିଆ, ଫ୍ଲଡ ଲାଇଟ୍‍ ଆଦି ତଦାରଖ କରିଥିଲେ। କିଭଳି ଟର୍ଫରେ ବଲ୍‍ ଗଡ଼ୁଛି; ସେ ନେଇ ମଧ୍ୟ ପରୀକ୍ଷା କରିଥିଲେ। ଏହାଛଡ଼ା ଟର୍ଫରେ ବ୍ୟବହାର କରାଯିବାକୁ ଥିବା ପାଣି ସ୍ପ୍ରେ ବ୍ୟବସ୍ଥାକୁ ମଧ୍ୟ ତଦାରଖ କରିଥିଲେ। ପୂର୍ବରୁ ୨୦୧୩ରେ ବିଛା ଯାଇଥିବା ଜର୍ମାନ ଟର୍ଫରେ କିଛି ତ୍ରୁଟି ରହିଥିଲା। ବେସ୍‍ ଲେବଲିଂ ଅସମତଳ ରହିଥିବାରୁ ଦୁଇ ଗୋଲପୋଷ୍ଟ ଅଞ୍ଚଳର ବ୍ୟାକ୍‍ ଏରିଆରେ ପାଣି ଜମିବା ସହିତ ବଲ୍‍ ଗଡ଼ିବାରେ ମଧ୍ୟ ସମାନତା ରହୁନଥିଲା; ଯାହାକୁ ନେଇ ହକି ଇଣ୍ଡିଆ ଲିଗ୍‍ ଓ ୨୦୧୭ରେ ଖେଳା ଯାଇଥିବା ହକି ବିଶ୍ୱଲିଗ୍‍ ଫାଇନାଲ ସମୟରେ ବିଦେଶୀ ଦେଶର ଖେଳାଳି, ପ୍ରଶିକ୍ଷକ ପ୍ରଶ୍ନ ଉଠାଇଥିଲେ। ତେବେ ଏହାକୁ ପରିବର୍ତ୍ତନ କରାଯାଇ ନୂତନ ଭାବେ ବେସ୍‍ ସମତଳ କରାଯାଇଛି। ବିଶ୍ୱକପ ଭଳି ପ୍ରତିଯୋଗିତା ଖେଳାଯିବାର ଜର୍ମାନ ବୈଷୟିକ ଅଧିକାରୀଙ୍କ ଦ୍ୱାରା ବେସ୍‍କୁ ସମ୍ପୂର୍ଣ୍ଣ ଭାବେ ସମତଳ କରାଯାଇ ଟର୍ଫ ବିଛାଯାଇଛି। ମ୍ୟାଚ୍‍ ଖେଳାଯିବା ଲାଗି ପ୍ରତି ଫ୍ଲଡ୍‍ଲାଇଟ୍‍ରେ ୨୨୫୦ ମେଗାୱାଟ ଆଲୋକ ଆବଶ୍ୟକ ରହିଥିବା ବେଳେ ନୂତନ ଭାବେ ଲାଗିଥିବା ଫ୍ଲଡ ଲାଇଟରେ ୨୫୦୦ ମେଗାୱାଟ ଆଲୋକ ବ୍ୟବସ୍ଥା ରହିଛି। ସେମାନେ ଗ୍ରାଉଣ୍ଡ ପ୍ରସ୍ତୁତି ନେଇ ରିପୋର୍ଟ ଅନ୍ତର୍ଜାତୀୟ ହକି ମହାସଂଘକୁ ପ୍ରଦାନ କରିବେ। ପ୍ରସ୍ତୁତି କାର୍ୟ୍ୟ ନେଇ ଏଫଆଇଏଚ୍‍ ପ୍ରତିନିଧି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ବିଶାଳ ଦେବ, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ପୁଲିସ କମିଶନର ସତ୍ୟଜିତ ମହାନ୍ତି ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ। କ୍ରୀଡା ଓ ଯୁବସେବା ସଚିବ ବିଶାଳ ଦେବ କହିଛନ୍ତି, ଏଫଆଇଏଚ ନିୟମ ଅନୁଯାୟୀ, ମୁଖ୍ୟ ଗ୍ରାଉଣ୍ଡ ଓ ଅଭ୍ୟାସ ଗ୍ରାଉଣ୍ଡ ପ୍ରସ୍ତୁତ ହୋଇଛି। ଏଥିରେ କୌଣସି ତ୍ରୁଟି ରହିନାହିଁ। ଗ୍ରାଉଣ୍ଡ ପ୍ରସ୍ତୁତି ନେଇ ଏଫଆଇଏଚ୍‍ ପ୍ରତିନିଧିମାନେ ସନ୍ତୋଷଜନକ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ନେଇ ଦୃଢ଼ ବିଶ୍ୱାସ ରହିଛି।

Leave A Reply